ନୂଆଦିଲ୍ଲୀ : ସୁପ୍ରିମ୍କୋର୍ଟରେ ଶ୍ରୀମନ୍ଦିର ସଂସ୍କାର ମାମଲାର ଶୁଣାଣି ଘୁଞ୍ଚିଯାଇଛି। ପରବର୍ତ୍ତୀ ଶୁଣାଣି ମାର୍ଚ୍ଚ ୫ ତାରିଖରେ ହେବ। ସୁପ୍ରିମ୍କୋର୍ଟର ବିଚାରପତି ଜଷ୍ଟିସ୍ ଏ.କେ.ସିକ୍ରି, ବିଚାରପତି ଏସ.ଏ.ଅବଦୁଲ ନଜିର ଓ ବିଚାରପତି ଏମ.ଏ.ଶାହାଙ୍କ ଖଣ୍ଡପୀଠରେ ଆଜି ମାମଲା ଶୁଣାଣି ପାଇଁ ତାଲିକାଭୁକ୍ତ କରାଯାଇଥିବା ବେଳେ କୌଣସି କାରଣବଶତଃ ବିଚାରପତି ଜଷ୍ଟିସ୍ ଏ.କେ.ସିକ୍ରି ଅନୁପସ୍ଥିତ ଥିଲେ। ଫଳରେ ଶ୍ରୀମନ୍ଦିର ସଂସ୍କାର ମାମଲାର ବିସ୍ତୃତ ଶୁଣାଣି ହୋଇ ପାରିନଥିଲା। ସଂକ୍ଷିପ୍ତ ଶୁଣାଣିରେ ପୂର୍ବତନ ସଲିସିଟର ଜେନେରାଲ ତଥା ଶ୍ରୀମନ୍ଦିର ସଂସ୍କାର ମାମଲାରେ ସୁପ୍ରିମ୍କୋର୍ଟଙ୍କ ଦ୍ବାରା ନିଯୁକ୍ତ ଆମିକସ୍ କ୍ୟୁରି ରଂଜିତ କୁମାର ଖଣ୍ଡପୀଠଙ୍କୁ ତାଙ୍କର ଶ୍ରୀମନ୍ଦିର ପରିଦର୍ଶନ ତଥା ଶ୍ରୀମନ୍ଦିର ସଂସ୍କାର ସଂପର୍କିତ ରିପୋର୍ଟ ପ୍ରଦାନ ପାଇଁ ଅଧିକ ସମୟ ମାଗିଥିଲେ।
ରଂଜିତ କୁମାର ଖଣ୍ଡପୀଠଙ୍କୁ କହିଥିଲେ, ଗତ ସପ୍ତାହରେ ସେ ପୁରୀ ଗସ୍ତରେ ଯାଇ ଶ୍ରୀମନ୍ଦିର ସଂସ୍କାର ମାମଲାରେ ବିଭିନ୍ନ ପକ୍ଷ ଯଥା ମନ୍ଦିର ପ୍ରଶାସନ, ସେବାୟତ, ସ୍ଥାନୀୟ ସାଂସଦ, ବିଧାୟକ, ଗଜପତି ଏବଂ ଶ୍ରୀମନ୍ଦିର ସହ ଜଡିତ ବିଭିନ୍ନ ବ୍ୟକ୍ତି ବିଶେଷଙ୍କ ସହ ଆଲୋଚନା କରିଛନ୍ତି। ଆଲୋଚନା ସମୟରେ କିଛି ପକ୍ଷମାନଙ୍କ ଦ୍ବାରା ଲିଖିତ ଭାବେ ନଥିପତ୍ର ଓ ଦସ୍ତାବିଜ ତାଙ୍କୁ ପ୍ରଦାନ କରାଯାଇଛି। ବିସ୍ତୃତ ରିପୋର୍ଟ ଦାଖଲ କରିବା ପୂର୍ବରୁ ସମସ୍ତ ନଥିପତ୍ର ଓ ଦସ୍ତାବିଜ୍ଗୁଡିକର ଅନୁଶୀଳନ, ଅନୁଧ୍ୟାନ କରିବାର ଆବଶ୍ୟକତା ରହିଛି। ଏହା ସମୟ ସାକ୍ଷେପ। ଏ ଦୃଷ୍ଟିରୁ ଚୂଡ଼ାନ୍ତ ରିପୋର୍ଟ ଦାଖଲ ପାଇଁ ଖଣ୍ଡପୀଠ ଅଧିକ ସମୟ ଦେବାକୁ ଆମିକସ୍ କ୍ୟୁରି ଅନୁରୋଧ କରିଥିଲେ। ଏ ନେଇ ଖଣ୍ଡପୀଠ ଆମିକସ୍ କ୍ୟୁରିଙ୍କ ଅନୁେରାଧ ଗ୍ରହଣ କରିଥିଲେ। ତେବେ ଆମିକସ୍ କ୍ୟୁରି କେବେ ତାଙ୍କ ରିପୋର୍ଟ ପ୍ରଦାନ କରିବେ ସେ ସଂପର୍କରେ ଖଣ୍ଡପୀଠଙ୍କୁ କୌଣସି ସୂଚନା ଦେଇନଥିଲେ।
ଆଜିର ଶୁଣାଣି ସମୟରେ ଇଣ୍ଟରଭେନ୍ସନ ପିଟିସନ୍ ଦାଖଲ କରିଥିବା ଆଇନଜୀବୀ ଦେବାଶିଷ ମିଶ୍ର ଶ୍ରୀମନ୍ଦିର ସଂସ୍କାର ନେଇ ସୁପ୍ରିମ୍କୋର୍ଟରେ ମୂଳ ଆବେଦନକାରୀଙ୍କ ଦ୍ବାରା ଦାଖଲ କରାଯାଇଥିବା ପିଟିସନ୍ ଆଦୌ ଗ୍ରହଣଯୋଗ୍ୟ ନୁହେଁ ବୋଲି ଖଣ୍ଡପୀଠଙ୍କ ନିକଟରେ ଯୁକ୍ତି ବାଢିଥିଲେ। ଏହାବ୍ୟତୀତ ଶ୍ରୀମନ୍ଦିର ସଂସ୍କାର ମାମଲାରେ ଆମିକସ୍ କ୍ୟୁରିଙ୍କ ରିପୋର୍ଟ ଏକ ନିରର୍ଥକ ପ୍ରୟାସ ଏବଂ ଏହା ଦ୍ବାରା ଅଯଥାରେ ସମୟ ନଷ୍ଟ ହେଉଛି। ବିନା ଆଲୋଚନାରେ ସଂସ୍କାର କିଭଳି ସମ୍ଭବ ବୋଲି ଆଇନଜୀବୀ ଶ୍ରୀ ମିଶ୍ର ପ୍ରଶ୍ନ କରିଥିଲେ। ହେଲେ ଖଣ୍ଡପୀଠ ଶ୍ରୀ ମିଶ୍ରଙ୍କ ମନ୍ତବ୍ୟକୁ କୋର୍ଟ ସଂଜ୍ଞାନେର ନେଉନାହିଁ ବୋଲି କହିଥିଲେ। ଆମିକସ୍ କ୍ୟୁରିଙ୍କ ରିପୋର୍ଟର କପି ଯୋଗାଇ ଦେବା ପାଇଁ ଶ୍ରୀ ମିଶ୍ର ଖଣ୍ଡପୀଠଙ୍କ ଦୃଷ୍ଟି ଆକର୍ଷଣ ମଧ୍ୟ କରିଥିଲେ।
ଅନ୍ୟପକ୍ଷରେ ଆମିକସ୍ କ୍ୟୁରି ରଂଜିତ କୁମାର କହିଥିଲେ, ସେ ତାଙ୍କ ରିପୋର୍ଟ କେବଳ ଖଣ୍ଡପୀଠଙ୍କ ନିକଟରେ ଦାଖଲ କରିବେ। ମାମଲାର ଶୁଣାଣି ମାର୍ଚ୍ଚ ୫କୁ ଖଣ୍ଡପୀଠ ଧାର୍ଯ୍ୟ କରିବା ପରେ ରାଜ୍ୟ ସରକାରଙ୍କ ଓକିଲ ଶୁଭାଶିଷ ମିଶ୍ର ଏହାକୁ ୬ ତାରିଖରେ କରିବା ପାଇଁ ଅନୁେରାଧ କରିଥିଲେ। ତେବେ ବିଚାରପତି ଏ.କେ.ସିକ୍ରି ମାର୍ଚ୍ଚ ୬ରେ ଅବସର ଗ୍ରହଣ କରୁଥିବାରୁ ସେ ଦିନ ସେ ପ୍ରଧାନ ବିଚାରପତିଙ୍କ ବେଞ୍ଚରେ ଶୁଣାଣି କରିବାର ପରମ୍ପରା ରହିଛି। ତେଣୁ ଏହି ମାମଲାର ଶୁଣାଣି ମାର୍ଚ୍ଚ ୫ ତାରିଖରେ ହେବ ବୋଲି ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି।