ଶ୍ରୀମନ୍ଦିର ସଂସ୍କାର ମାମଲାରେ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ : ଶଙ୍କରାଚାର୍ଯ୍ୟ ଦାୟିତ୍ବ ନେଇପାରିବେ କି?

ଏପ୍ରିଲ ୩୦ରେ ପରବର୍ତ୍ତୀ ଶୁଣାଣି

ନୂଆଦିଲ୍ଲୀ : ଶ୍ରୀମନ୍ଦିର ସଂସ୍କାର ମାମଲାକୁ ନେଇ ଆଜି ସୁପ୍ରମକୋର୍ଟର ବିଚାରପତି ଜଷ୍ଟିସ୍ ଏସ.ଏ. ବବଡେ ଓ ଜଷ୍ଟିସ୍ ଅବଦୁଲ ନଜିରଙ୍କ ଖଣ୍ଡପୀଠରେ ଏକ ଗୁରୁତ୍ବପୂର୍ଣ୍ଣ ଶୁଣାଣି ହୋଇଛି। ପ୍ରଥମ ଥର ପାଇଁ ବିଚାରପତି ଏସ.ଏ. ବବଡେଙ୍କ ଖଣ୍ଡପୀଠରେ ହୋଇଥିବା ଶୁଣାଣିରେ ଶ୍ରୀମନ୍ଦିର ପରିଚାଳନା ଦାୟିତ୍ବ ଧର୍ମଗୁରୁ ଶଙ୍କରାଚାର୍ଯ୍ୟଙ୍କ ହାତରେ ନ୍ୟସ୍ତ କରାଯାଇପାରିବ କି ବୋଲି ଖଣ୍ଡପୀଠ ପ୍ରଶ୍ନ କରିଥିଲେ।

ଶ୍ରୀମନ୍ଦିର ସଂସ୍କାର ମାମଲାରେ ଆମିକସ୍‌ କ୍ୟୁରି ରଣଜିତ୍‌ କୁମାର ଚୂଡ଼ାନ୍ତ ରିପୋର୍ଟ କୋର୍ଟରେ ଦାଖଲ କରିବା ପରେ ଧର୍ମଗୁରୁ ଶଙ୍କରାଚାର୍ଯ୍ୟ ମାମଲାରେ ପକ୍ଷଭୁକ୍ତ ହେବାକୁ ଆବେଦନ କରିଥିଲେ, ଯାହାକୁ କୋର୍ଟ ଗ୍ରହଣ କରିଥିଲେ। ଏ ନେଇ ଆଜି ଶଙ୍କରାଚାର୍ଯ୍ୟଙ୍କ ଓକିଲ ଖଣ୍ଡପୀଠଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ମନ୍ଦିର ବ୍ୟାପାର ରାଜ୍ୟ ସରକାରଙ୍କ ଅଧିକାରୀଙ୍କ ଦ୍ବାରା ପରିଚାଳିତ ହେଉଥିବାବେଳେ ଖଣ୍ଡପୀଠ ମନ୍ଦିର ପରିଚାଳନା ଦାୟିତ୍ବ ଜଣେ ଧର୍ମ ପ୍ରମୁଖ (ଶଙ୍କରାଚାର୍ଯ୍ୟ)ଙ୍କୁ ଦେବା ପାଇଁ ଗୁରୁତ୍ବାରୋପ କରିଥିଲେ। ରାଜ୍ୟ ସରକାରଙ୍କ ଓକିଲ ଶିବାଶିଷ ମିଶ୍ର ନିଜ ଆଭିମୁଖ୍ୟ ସ୍ପଷ୍ଟ କରି କହିଥିଲେ ଯେ, ଶ୍ରୀ ଜଗନ୍ନାଥ ମନ୍ଦିର ସମ୍ପର୍କିତ ଦୁଇଟି ଆଇନ୍‌ ରହିଛି। ଯାହାର ବୈଧତାକୁ ସୁପ୍ରିମକୋର୍ଟର ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ୧୯୬୪ରେ କାଏମ ରଖିଛନ୍ତି। ଶ୍ରୀ ଜଗନ୍ନାଥ ମନ୍ଦିର ହେଉଛି ସ୍ବତନ୍ତ୍ର ମନ୍ଦିର ଏବଂ ଏହି ଆଇନଗୁଡ଼ିକର ସାମ୍ବିଧାନିକ ବୈଧତା ରହିଛି। ଏତଦ୍‌ବ୍ୟତୀତ ବିଚାରପତି ଗୋପାଲ ଗୌଡ଼ାଙ୍କ ରାୟରେ ହିନ୍ଦୁ ରିଲିଜିୟସ୍ ଆଇନ୍‌ ଏବଂ ଓଡ଼ିଶା ଇଷ୍ଟେଟ୍ ଆବଲିସନ୍‌ ଆଇନ୍‌ର ପ୍ରୋଭିଜନ୍‌ ଜଗନ୍ନାଥ ମନ୍ଦିର ପାଇଁ ପ୍ରଯୁଜ୍ୟ ହେଉନାହିଁ। ଅତଏବ ଦୁଇଟି ଆଇନ୍‌ ଅନୁସାରେ ମନ୍ଦିର ପ୍ରଶାସନ ଜାରି ରହିଛି ବୋଲି ଶିବାଶିଷ କହିଥିଲେ। ଏଭଳି ସ୍ଥିତିରେ ଯଦି ମାନ୍ୟବର ଅଦାଲତ ଧର୍ମଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ମନ୍ଦିର ପ୍ରଶାସନର ଭାର ନ୍ୟସ୍ତ କରିବାକୁ ଚାହୁଁଛନ୍ତି ତାହା ହେଲେ ସାମ୍ବିଧାନିକ ବେଞ୍ଚର ନିଷ୍ପତ୍ତି ତଥା ବିଚାରପତି ଗୋପାଳ ଗୌଡ଼ଙ୍କ ରାୟକୁ ରିଭିଜିଟ୍ (ସମୀକ୍ଷା) କରିବାକୁ ପଡ଼ିବ। ଶ୍ରୀ ଜଗନ୍ନାଥ ମନ୍ଦିର ଆଇନ୍‌ ଅନୁସାରେ କମିଟି ଗଠନ କରାଯାଇଛି। ଏହି ଆଇନ୍‌ ଅନୁସାରେ ଅନ୍ୟ କେହି ମନ୍ଦିର ପରିଚାଳନା ଭାର ନେଇ ପାରିବେ ନାହିଁ। ଶ୍ରୀମନ୍ଦିର ପରିଚାଳନା ଦାୟିତ୍ବ ଶଙ୍କରାଚାର୍ଯ୍ୟଙ୍କୁ ଦେବା ପ୍ରସ୍ତାବ ସମ୍ପର୍କରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରି ରାଜ୍ୟ ସରକାରଙ୍କ ଓକିଲ କହିଥିଲେ, ଶ୍ରୀଜଗନ୍ନାଥ ମନ୍ଦିର ସ୍ବତନ୍ତ୍ର ରୀତିନୀତି ଅନୁସାରେ ଚାଲିଥାଏ। ତେଣୁ ଦେଶର ଅନ୍ୟ ମନ୍ଦିରମାନଙ୍କ ସହ ଏହାକୁ ତୁଳନା ନ କରିବାକୁ ସେ ଯୁକ୍ତି ବାଢିଥିଲେ। ରାଜ୍ୟ ସରକାରଙ୍କ ଯୁକ୍ତି ଉପରେ ଟିପ୍ପଣୀ ରଖି ଖଣ୍ଡପୀଠ କହିଥିଲେ, ଯେହେତୁ ଦୁଇଟି ପୂର୍ବ ଆଇନ୍‌ ସାମ୍ବିଧାନିକ ବେଞ୍ଚରେ କାଏମ୍‌ ରହିଛି, ବର୍ତ୍ତମାନ ସେମାନେ ଶଙ୍କରାଚାର୍ଯ୍ୟଙ୍କୁ ଶ୍ରୀମନ୍ଦିର ପରିଚାଳନା ଦାୟିତ୍ବ ଦେବା ନେଇ କୌଣସି ପ୍ରକାର ଆଦେଶ ଜାରି କରୁନାହାନ୍ତି।

ଧର୍ମଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ଶ୍ରୀମନ୍ଦିର ପରିଚାଳନା ଦାୟିତ୍ବ ଦେବା ନେଇ ଶଙ୍କରାଚାର୍ଯ୍ୟଙ୍କ ଓକିଲଙ୍କୁ ଖଣ୍ଡପୀଠ ପ୍ରଶ୍ନ କରି ତାଙ୍କର ମତ ଜାଣିବାକୁ ଚାହିଥିଲେ। ହେଲେ ସେ ତାଙ୍କର ଆଭିମୁଖ୍ୟ ପରବର୍ତ୍ତୀ ସମୟରେ ଜଣାଇବେ ବୋଲି ଖଣ୍ଡପୀଠଙ୍କୁ ଅବଗତ କରିଥିଲେ। ଆମିକସ୍‌ କ୍ୟୁରି ରଣଜିତ୍‌ କୁମାର କହିଥିଲେ, ଶ୍ରୀଜଗନ୍ନାଥ ମନ୍ଦିର ଆଇନ୍‌ରେ ଅନେକ ବ୍ୟବସ୍ଥା ରହିଛି, ଯାହାଦ୍ବାରା ଭକ୍ତମାନଙ୍କ ପ୍ରତି ହଇରାଣ ହରକତ ଓ ନିର୍ଯାତନା ରୋକା ଯାଇପାରିବ ତଥା ମନ୍ଦିର ପ୍ରଶାସନରେ ସୁଧାର ଅଣାଯାଇ ପାରିବ। ହେଲେ ଆଇନ୍‌ଗୁଡ଼ିକୁ ଠିକଣା ଭାବେ ଉପଯୋଗ କରାଯାଇପାରୁନାହିଁ। ଅତଏବ ତାଙ୍କ ଦ୍ବାରା ଦାଖଲ କରାଯାଇଥିବା ରିପୋର୍ଟ ଆଧାରରେ ତ୍ବରିତ ଶୁଣାଣି ପୂର୍ବକ ଆଦେଶ ଜାରି କରାଯାଉ ବୋଲି ସେ ଖଣ୍ଡପୀଠଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଖଣ୍ଡପୀଠ ଏପ୍ରିଲ ୩୦ରେ ତାଙ୍କ ରିପୋର୍ଟ ଉପରେ ଶୁଣାଣି କରିବେ ବୋଲି ସ୍ପଷ୍ଟ କରିଛନ୍ତି।

ମାମଲାରେ ନିଜର ମତ ରଖି କେନ୍ଦ୍ର ସରକାରଙ୍କ ତରଫରୁ ଆଟର୍ଣ୍ଣି ଜେନେରାଲ କେ.କେ. ଭେନୁଗୋପାଲ କହିଥିଲେ, ଦେଶରେ ଏମିତି ଅନେକ ଦୃଷ୍ଟାନ୍ତ ରହିଛି ଯେଉଁଥିରେ ରାଜ୍ୟମାନଙ୍କ ଦ୍ବାରା ମନ୍ଦିରଗୁଡ଼ିକର ପରିଚାଳନା କରାଯାଉଛି। ସେ କେରଳ, ଆନ୍ଧ୍ରପ୍ରଦେଶ, ତାମିଲନାଡୁର ମନ୍ଦିରଗୁଡ଼ିକର ଉଦାହରଣ ଦେଇଥିଲେ। ଅପରପକ୍ଷେ ଖଣ୍ଡପୀଠ କହିଥିଲେ, କିଛି ମାମଲାରେ କୋର୍ଟ ବ୍ୟବସ୍ଥାପନକୁ ବାତିଲ କରିଛନ୍ତି। ତାମିଲନାଡୁର ଚିଦାମ୍ବରମ୍ ମନ୍ଦିରର ବ୍ୟବସ୍ଥାଗୁଡ଼ିକୁ ତତ୍କାଳୀନ ବିଚାରପତି ସଥାଶିଭମ୍ ଓ ସ୍ବୟଂ (ବିଚାରପତି ଏସ.ଏ.ବବଡେ)ଙ୍କ ଦ୍ବାରା ବାତିଲ କରି ଦିଆଯାଇଥିଲା।

ବରିଷ୍ଠ ଆଇନଜୀବୀ ରାଜିବ ଧଵନ କହିଥିଲେ, ଦେଶରେ ଲୋକମାନଙ୍କର ଧାର୍ମିକ ଭାବନାକୁ ଧ୍ୟାନ ଦିଆନଯାଇ ମନ୍ଦିରଗୁଡ଼ିକକୁ ଜାତୀୟକରଣ କରାଯାଉଛି। ମନ୍ଦିର ବ୍ୟାପାରରେ ରାଜ୍ୟ ସରକାରମାନେ ହସ୍ତକ୍ଷେପ କରିପାରିବେ କି ନାହିଁ ସେ ନେଇ ଯୁକ୍ତି ଉପସ୍ଥାପନ କରିବା ପାଇଁ ଶ୍ରୀ ଧାୱନ୍‌ କୋର୍ଟର ଅନୁମତି ମାଗିଥିଲେ। କୋର୍ଟ ତାଙ୍କର ଯୁକ୍ତି ଶୁଣିବେ ବୋଲି ଅନୁମତି ପ୍ରଦାନ କରିଥିଲେ।

ମାମଲାର ଆବେଦନକାରୀ ମୃଣାଳିନୀ ପାଢୀଙ୍କ ଓକିଲ ଶୁଭ୍ରାଂଶୁ ପାଢୀ କହିଥିଲେ, ଶ୍ରୀମନ୍ଦିର ସଂସ୍କାର ମାମଲାରେ ଭକ୍ତମାନଙ୍କୁ ଶୋଷଣକୁ କିଭଳି ରୋକାଯାଇପାରିବ ସେ ନେଇ ଏକାଧିକ ସୁପାରିଶ କୋର୍ଟଙ୍କ ଦ୍ବାରା କରାଯାଇଥିଲା। ସେଗୁଡ଼ିକ କିଭଳି କାର୍ଯ୍ୟକାରୀ କରାଯାଉଛି ସେ ସଂପର୍କରେ ବର୍ତ୍ତମାନ ସୁଦ୍ଧା ରାଜ୍ୟ ସରକାର କିମ୍ବା ମନ୍ଦିର ପ୍ରଶାସନଙ୍କ ଦ୍ବାରା କୌଣସି ପ୍ରକାର ରିପୋର୍ଟ ଦାଖଲ କରାଯାଇନାହିଁ। ଏହାର ଶୁଣାଣି ଉପରେ ଗୁରୁତ୍ବ ଦେବାର ଆବଶ୍ୟକତା ରହିଛି ବୋଲି ସେ ଖଣ୍ଡପୀଠଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଖଣ୍ଡପୀଠ କହିଥିଲେ ଏପ୍ରିଲ ୩୦ରେ ଆମିକସ୍‌ କ୍ୟୁରିଙ୍କ ରିପୋର୍ଟ ଉପରେ ଶୁଣାଣି କରାଯିବା ପରେ ଅନ୍ୟ ସବୁ ପ୍ରସଙ୍ଗ ସମ୍ବନ୍ଧରେ ପର୍ଯ୍ୟାୟ କ୍ରମେ ଶୁଣାଣି କରାଯିବ। ଅପରପକ୍ଷେ ଇଣ୍ଟର କଣ୍ଟିନେଣ୍ଟାଲ ଆସୋସିଏସନ ସଂସ୍ଥା ପକ୍ଷରୁ ଅଧ୍ୟକ୍ଷ ତଥା ଆଇନଜୀବୀ ଦେବାଶିଷ ମିଶ୍ର ଶ୍ରୀମନ୍ଦିର ମାମଲାରେ ଦାଖଲ କରାଯାଇଥିବା ଆବେଦନ ଆଦୌ ଗ୍ରହଣଯୋଗ୍ୟ ନୁହେଁ ଦର୍ଶାଇ ଏହାକୁ ଖାରଜ କରିବା ପାଇଁ ଖଣ୍ଡପୀଠଙ୍କ ନିକଟରେ ଯୁକ୍ତି ବାଢିଥିଲେ। ହେଲେ କୋର୍ଟ ଦେବାଶିଷ ମିଶ୍ରଙ୍କ ଆଚରଣକୁ ନେଇ କଡ଼ା ଭାଷାରେ ଭତ୍ସନା କରିଥିଲେ।

ସୂଚନାଯୋଗ୍ୟ ଶ୍ରୀମନ୍ଦିର ସଂସ୍କାର ମାମଲାରେ ଖଣ୍ଡପୀଠ ଆଜି ଶୁଣାଣି ଆରମ୍ଭ କରିବା ସମୟରେ ଭକ୍ତମାନଙ୍କୁ କିଭଳି ହଇରାଣ ହରକତ କରାଯାଉଛି ସେମାନେ ସମ୍ପୂର୍ଣ୍ଣ ଭାବେ ଅବଗତ ଥିବା କହିଥିଲେ। ଏହାକୁ କିଭଳି ନିୟନ୍ତ୍ରଣ କରାଯାଇପାରିବ ସେ ନେଇ ପଦକ୍ଷେପ ନେବାର ଆବଶ୍ୟକତା ରହିଛି ବୋଲି କୋର୍ଟ କହିଥିଲେ।

ସମ୍ବନ୍ଧିତ ଖବର