ଶ୍ରୀନଗର: ମଙ୍ଗଳବାର ସକାଳେ ଶ୍ରୀନଗର ନିକଟରେ ଝେଲମ ନଦୀରେ ଡଙ୍ଗା ବୁଡ଼ି ୬ ଜଣଙ୍କ ମୃତ୍ୟୁ ଘଟିଛି। ଲାଲ ଚୌକ ସହର କେନ୍ଦ୍ରଠାରୁ ୫ କିଲୋମିଟର ଦୂରରେ ଏହି ଦୁର୍ଘଟଣା ଘଟିଛି। ଡଙ୍ଗା ବୁଡ଼ିଯିବାରୁ ଜଣେ ୩୫ ବର୍ଷୀୟା ମା’ ଏବଂ ତାଙ୍କର ଦୁଇ ସ୍କୁଲ ଯାଉଥିବା ଯାଆଁଳା ପୁଅଙ୍କ ସମେତ ୬ ଜଣଙ୍କର ମୃତ୍ୟୁ ଘଟିଥିବା ପୁଲିସ ସୂତ୍ରରୁ ପ୍ରକାଶ। ଶ୍ରୀନଗର ଡେପୁଟି ପୁଲିସ କମିସନର ବିଲାଲ ଭଟ୍ଟ କହିଛନ୍ତି ଯେ ସକାଳ ୮ଟାରେ ଝେଲମ ନଦୀର ଗୋଟିଏ ପାର୍ଶ୍ୱରେ ଗନ୍ଦୱାଲରୁ ବଟୱାରା ଯାଉଥିବା ଏକ ପୁରୁଣା କାଠ ଡଙ୍ଗା ହଠାତ୍‌ ବୁଡ଼ିଯାଇଥିଲା। ଡଙ୍ଗା ଯୋଗେ ଏହି ଅଂଚଳ ମଧ୍ୟରେ ଦୂରତା ୫୦୦ ମିଟର ହୋଇଥିବା ବେଳେ ନିକଟତମ ପୋଲ ୩ କିଲୋମିଟର ଦୂରରେ ରହିଛି। ଅଧିକାଂଶ ଲୋକ ଦୂରତା ପାଇଁ ପୋଲ୍‌ ବ୍ୟବହାର ନକରି ଏଭଳି ବିପଦପୂର୍ଣ୍ଣ ଯାତ୍ରା କରିବାକୁ ବାଧ୍ୟ ହେଉଛନ୍ତି। ଦୁର୍ଘଟଣା ଘଟିଥିବା ଅଞ୍ଚଳ ନିକଟରେ ଏକ ଫୁଟ୍‌ବ୍ରିଜ୍‌ ପ୍ରାୟ ଏକ ଦଶନ୍ଧି ଧରି ନିର୍ମାଣାଧୀନ ରହିଛି। କାଶ୍ମୀର ଉପତ୍ୟକାରେ ଶନିବାରଠାରୁ ପ୍ରବଳ ବର୍ଷା ହେଉଛି ଏବଂ ଝେଲମ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।