ଶ୍ରୀନଗର ସେଣ୍ଟ୍ରାଲ ଜେଲ୍‌ରେ ସାଂଘାତିକ ସ୍ଥିତି

ଆତଙ୍କବାଦୀ ଅନ୍ୟ ଜେଲ୍‌କୁ ସ୍ଥାାନାନ୍ତର, ନିରାପତ୍ତା ଦାୟିତ୍ୱ ସିଆର୍‌ପିଏଫ୍‌ ହାତରେ

ଶ୍ରୀନଗର: ଶ୍ରୀନଗର ସେଣ୍ଟ୍ରାଲ ଜେଲ୍‌ର କିଛି ଅଧିକାରୀ, ସ୍ୱାସ୍ଥ୍ୟ କର୍ମଚାରୀ ଓ ସୁରକ୍ଷା କର୍ମୀ ବନ୍ଦୀ ଆତଙ୍କବାଦୀଙ୍କୁ ସେମାନଙ୍କ ମର୍ଜି ମୁତାବକ ସୁବିଧା ସୁଯୋଗ ଯୋଗାଉଥିବା ଜଣାପଡ଼ିବା ପରେ କେନ୍ଦ୍ର ସରକାର ଏହାକୁ ଗମ୍ଭୀରତାର ସହ ନେଇଛନ୍ତି। ଜେଲ୍‌ ଭିତରେ ରହି ମଧ୍ୟ ସୁରକ୍ଷା ବାହିନୀ ଉପରେ ଆକ୍ରମଣ ଘଟାଇବାକୁ ଆତଙ୍କବାଦୀ ସମର୍ଥ ହେଉଥିବାରୁ ଏହି ଜେଲ୍‌ରେ ତୁରନ୍ତ ଶତ ପ୍ରତିଶତ ସୁଦ୍ଧାର ଆଣିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏଠାରେ ବନ୍ଦୀ ଥିବା ଦୁର୍ଦ୍ଦାନ୍ତ ପାକ୍‌ ଆତଙ୍କବାଦୀ ନାଭେଦ ଜାଟ୍ଟ୍‌ ପୁଲିସ ବାହିନୀ ଉପରେ ଆକ୍ରମଣ କରି ଯେଭଳି ଢଙ୍ଗରେ ଫେରାର ହେଲା ତାହାକୁ ନେଇ କେନ୍ଦ୍ର ଗୃହମନ୍ତ୍ରାଳୟ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଜେଲ୍‌ରେ ବନ୍ଦୀ ଥିବା ୭ ଜଣ ଆତଙ୍କବାଦୀଙ୍କୁ ଆଜି ଯୁଦ୍ଧକାଳୀନ ଭିତ୍ତିରେ ଅନ୍ୟ ସୁରକ୍ଷିତ ଜେଲ୍‌କୁ ସ୍ଥାନାନ୍ତର କରାଯାଇଛି ଏବଂ ସେମାନଙ୍କୁ ରଖାଯାଇଥିବା ଜେଲ୍‌ଗୁଡ଼ିକର ସୁରକ୍ଷା ଦାୟିତ୍ୱ ସିଆର୍‌୍‌ପିଏଫ୍‌୍‌କୁ ନ୍ୟସ୍ତ କରାଯାଇଛି । ଶ୍ରୀନଗର ସେଣ୍ଟା୍ରଲ ଜେଲ୍‌ର ସମସ୍ତ ସୁରକ୍ଷା ଦାୟିତ୍ୱ ବି ସିଆର୍‌୍‌ପିଏଫ୍‌ ହାତରେ ରହିବ ବୋଲି ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି। ଶ୍ରୀନଗର ସେଣ୍ଟ୍ରାଲ ଜେଲ୍‌ରେ ସବୁ ଆତଙ୍କବାଦୀଙ୍କ ପାଖରେ ସ୍ମାର୍ଟ ଫୋନ୍‌ ରହିଥିବା ଏବଂ ସେମାନେ ଅବାଧରେ ଇଣ୍ଟରନେଟ୍‌ ବ୍ୟବହାର କରୁଥିବା ଗୁଇନ୍ଦା ସୂତ୍ରରୁ ଜଣାପଡ଼ିବା ପରେ ହଇଚଇ ସୃଷ୍ଟି ହୋଇଥିଲା। ଶ୍ରୀନଗର ସେଣ୍ଟ୍ରାଲ ଜେଲ୍‌ର ୩ ଜଣ ସୁରକ୍ଷା ଅଧିକାରୀ, ଡାକ୍ତର, ସ୍ୱାସ୍ଥ୍ୟ କର୍ମଚାରୀ ଆତଙ୍କବାଦୀଙ୍କୁ ସହାୟତା ଯୋଗାଇ ଆସୁଥିବା ସଂପର୍କିତ ଗୁରୁତ୍ୱପୂର୍ଣ୍ଣ ସୁରାକ୍‌ ମିଳିଛି। ରାଜ୍ୟ ସରକାର ଏ ବାବଦରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିବା ବେଳେ ଜମ୍ମୁ କଶ୍ମୀରର ଜେଲ୍‌ ବିଭାଗ ଡିଜିଙ୍କୁ ବଦଳି କରାଯାଇଛି । ଶ୍ରୀନଗର ସେଣ୍ଟ୍ରାଲ ଜେଲ୍‌ର ଅଧିକ୍ଷକଙ୍କୁ ନିଲମ୍ବିତ କରାଯାଇଛି ।

ଶ୍ରୀନଗର ସେଣ୍ଟ୍ରାଲ ଜେଲ୍‌ରେ ବନ୍ଦୀ ଥିବା ଆତଙ୍କବାଦୀ କଶ୍ମୀରର ବିଭିନ୍ନ ଅଂଚଳ ସମେତ ନିୟନ୍ତ୍ରଣ ରେଖା ପର୍ଯ୍ୟନ୍ତ ପର୍ଯ୍ୟନ୍ତ ନିଜର ଯୋଗଯୋଗ ରଖି ନିଜ ସାଥୀଙ୍କୁ ନିର୍ଦ୍ଦେଶ ଦେବାରେ ସକ୍ଷମ ହେଉଛନ୍ତି। ଏପରିକି ପଥର ଆକ୍ରମଣକାରୀ ଗୋଷ୍ଠୀର ସଂଚାଳକମାନଙ୍କ ସହ ମଧ୍ୟ ଜେଲ୍‌ରେ ରହୁଥିବା ଆତଙ୍କବାଦୀଙ୍କ କଥାବାର୍ତ୍ତା ଚାଲିଥିବା ଜଣାପଡ଼ିଛି। ଜେଲ ଦାୟିତ୍ୱରେ ବିଗତ ତିନି ବର୍ଷ ହେବ ରହିଥିବା ଡାକ୍ତର ଜିନ୍ନତ ନିଜାମୀ ଏବେ ଫେରାର୍‌ ହୋଇଯାଇଥିବା ବେଳେ ତାଙ୍କୁ ଠାବ କରିବା ପାଇଁ ବ୍ୟାପକ ତଲାସି ଚାଲିଛି । ନିଜାମୀ ଆତଙ୍କବାଦୀ ନାଭିଦ୍‌କୁ ହସ୍ପିଟାଲ ଚେକ୍‌ ଅପ୍‌ ପାଇଁ ପଠାଇଥିଲେ। ଜେଲ ସୁପରିଟେଣ୍ଡେଣ୍ଟ ହିଲାଲ୍‌ ଅହମ୍ମଦ ରାଥର ମଧ୍ୟ ଆତଙ୍କବାଦୀଙ୍କୁ ସହାୟତା ଯୋଗାଉଥିବା ଜଣାପଡ଼ିଥିବାରୁ ଏହାର ଉଚ୍ଚସ୍ତରୀୟ ତଦନ୍ତ ଆରମ୍ଭ ହୋଇଛି ।

ସମ୍ବନ୍ଧିତ ଖବର