ମୃତ ଘୋଷିତ ଶିଶୁକନ୍ୟାକୁ ପୋତିବାର ଏକ ଘଣ୍ଟା ପରେ ଜୀବିତ ଉଦ୍ଧାର କଲେ ଲୋକେ, ତା’ ପରେ…

ଶ୍ରୀନଗର: ମୃତ ଘୋଷିତ ଶିଶୁକନ୍ୟାକୁ ପୋତିବାର ଏକ ଘଣ୍ଟା ପରେ ଜୀବିତ ଉଦ୍ଧାର କଲେ ଲୋକେ । ଘଟଣାଟି ଘଟିଛି ଜମ୍ମୁ-କଶ୍ମୀରର ରାମବନ ଅଞ୍ଚଳରେ। ବୁଧବାର ଡାକ୍ତର ଭଲ ଭାବରେ ନଦେଖି ଏକ ନବଜାତ ଶିଶୁକନ୍ୟାକୁ ମୃତ ଘୋଷଣା କରିବା ଓ ପରେ ଶିଶୁଟି ଜୀବିତ ହେବା ଘଟଣା ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି ।

ସରକାରଙ୍କ ଦ୍ବାରା ପରିଚାଳିତ ଜିବି ପନ୍ତ ଶିଶୁ ଡାକ୍ତରଖାନାର ଅଧ୍ୟକ୍ଷ ଡା. ନଜିର ହୁସେନ ଚୌଧୁରୀଙ୍କ କହିବା ଅନୁଯାୟୀ, ଶିଶୁଟିର ଆଇସିୟୁରେ ସକାଳ ୬:୩୦ରେ ମୃତ୍ୟୁ ହୋଇଥିଲା । ପରିବାର ଲୋକ ମୃତ ଘୋଷିତ ଶିଶୁକନ୍ୟାକୁ ଶ୍ମଶାନରେ ପୋତି ଦେଇଥିଲେ । ନିଜ ଅଞ୍ଚଳର ଶ୍ମଶାନରେ ଶିଶୁକୁ ପୋତାଯିବାକୁ ବିରୋଧ କରି ଶିଶୁକନ୍ୟାକୁ ଖୋଳି ବାହାର କରିବାକୁ ସ୍ଥାନୀୟ ଲୋକ ପରିବାର ଲୋକଙ୍କୁ କହିଥିଲେ । ଯେତେବେଳେ ପିଲାକୁ ବାହାର କରାଗଲା ସେତେବେଳେ ଶିଶୁଟି ଜୀବିତ ଥିବା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏବେ ଶିଶୁକୁ ଡାକ୍ତରଖାନା ନିଆଯାଇ ଚିକିତ୍ସା କରାଯାଉଛି। ନିର୍ଦ୍ଧାରିତ ସମୟ ପୂର୍ବରୁ ଶିଶୁଟି ଜନ୍ମ ହୋଇଥିଲା, ଯାହା ଫଳରେ ଶିଶୁଠାରେ ଶ୍ବାସଜନିତ ସମସ୍ୟା ଦେଖାଦେଇଥିଲା ଓ ଶିଶୁର ଓଜନ କମ ଥିବାରୁ ତାକୁ ଆଇସିୟୁକୁ ପଠାଯାଇଥିଲା । ହେଲେ ଆଇସିୟୁରେ ଶିଶୁଟି ନିଶ୍ବାସ ନେଉନଥିବାରୁ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ।

ତେବେ ଏଭଳି ଅବହେଳା ପାଇଁ ପରିବାର ଲୋକେ ପୁଲିସରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁସାରେ ସୋମବାର ସକାଳେ ବନିହାଲ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଜଣେ ମହିଳାଙ୍କ ପ୍ରସବ ହୋଇଥିଲା । ପ୍ରସବର କିଛି ସମୟ ପରେ ଡାକ୍ତର ଠିକ୍ ଭାବେ ନଦେଖି ଶିଶୁକୁ ମୃତ ଘୋଷଣା କରିଥିଲେ । ଡାକ୍ତର ଓ ଡାକ୍ତରଖାନାର କର୍ମଚାରୀମାନଙ୍କ ବ୍ୟବହାର ଠିକ୍ ନଥିବା ମଧ୍ୟ ଅଭିଯୋଗ ଆଣିଛନ୍ତି ପରିବାର ଲୋକେ । ତେବେ ଏସମ୍ବନ୍ଧରେ ତଦନ୍ତ ଚାଲିଥିବା ବନିହାଲ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଅଧିକାରୀ ସୂଚନା ଦେଇଛନ୍ତି । ଏହା ସହ ସ୍ତ୍ରୀ ଓ ପ୍ରସୂତୀ ବିଭାଗରେ କାମ କରୁଥିବା ସଫେଇ କର୍ମୀ ଓ ନର୍ସଙ୍କୁ ନିଲମ୍ବନ କରାଯାଇଛି । ଅଭିଯୋଗକୁ ଆଧାର କରି ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଥାନା ଅଧିକାରୀ କହିଛନ୍ତି ।

ସମ୍ବନ୍ଧିତ ଖବର