ଶ୍ରୀନଗର: ଜମ୍ମୁ କାଶ୍ମୀର ଶ୍ରୀନଗରରେ ଗତକାଲି ରାତିରେ ହୋଇଥିବା ଏନ୍କାଉଣ୍ଟରରେ ୩ ଜଣ ଆତଙ୍କବାଦୀ ନିପାତ ହୋଇଥିବାବେଳେ ଜଣେ ପୁଲିସ୍ ଏଏସ୍ଆଇ (ଆସିଷ୍ଟାଣ୍ଟ୍ ସବ୍ ଇନ୍ସପେକ୍ଟର) ମଧ୍ୟ ସହିଦ ହୋଇଯାଇଛନ୍ତି। ଶ୍ରୀନଗରର ପାନ୍ଥା ଚୌକ୍ରେ ଏନ୍କାଉଣ୍ଟର ହୋଇଛି। ପାନ୍ଥା ଚୌକ୍ରେ ପୁଲିସ ଏବଂ ସିଆରପିଏଫ୍ର ଏକ ଚେକ୍ପଏଣ୍ଟ୍ ଉପରକୁ ଆତଙ୍କବାଦୀମାନେ ପ୍ରଥମେ ଅତର୍କିତ ଗୁଳି ଚାଳନା କରିଥିଲେ। ଏହାପରେ ସୁରକ୍ଷାବାହିନୀ ପକ୍ଷରୁ ସମ୍ପୃକ୍ତ ଅଞ୍ଚଳକୁ ଘେରାବନ୍ଦୀ କରି ସର୍ଚ୍ଚ୍ ଅପରେସନ୍ ହୋଇଥିଲା। ତେବେ ଏହି ସମୟରେ ଆତଙ୍କବାଦୀମାନେ ପୁଣି ସର୍ଚ୍ଚ୍ ପାର୍ଟି ଉପରକୁ ଗୁଳି ଚାଳନା କରିବା ଦ୍ବାରା ସୁରକ୍ଷାବାହିନୀ ପକ୍ଷରୁ ପାଲଟା ଜବାବ ଦିଆଯାଇଥିଲା।
ଫଳରେ ଉଭୟ ପକ୍ଷର ଗୁଳିମାଡ଼ରେ ଜଣେ ପୁଲିସ ଏଏସ୍ଆଇ ଏବଂ ୩ ଆତଙ୍କବାଦୀ ନିପାତ ହୋଇଛନ୍ତି। କାଶ୍ମୀର ଆଇଜିପି ବିଜୟ କୁମାର ଏନେଇ ସ୍ପଷ୍ଟ କରିଛନ୍ତି। କାଶ୍ମୀର ସ୍ପେସାଲ୍ ପୁଲିସ ଅପରେସନ୍ ଗ୍ରୁପ୍ର ଜଣେ ଏଏସ୍ଆଇ ସହିଦ ହୋଇଯାଇଛନ୍ତି ବୋଲି ସେ କହିଛନ୍ତି। ତେବେ ଗତ ୩୬ ଘଣ୍ଟା ମଧ୍ୟରେ ଏହା ତୃତୀୟ ଏନ୍କାଉଣ୍ଟର। ଶୁକ୍ରବାର ସନ୍ଧ୍ୟା ପରଠାରୁ ୧୦ ଆତଙ୍କବାଦୀ ନିପାତ ହେଲେଣି। ଅନ୍ୟପକ୍ଷେ ଆଜି ସକାଳେ ଜମ୍ମୁର ରାଜୌରି ଜିଲ୍ଲା ସ୍ଥିତ ନୌସେରା ସେକ୍ଟର ଏଲ୍ଓସିରେ ପାକ୍ ସେନା ଅସ୍ତ୍ରବିରତି ଉଲ୍ଳଂଘନ କରି ପ୍ରବଳ ଗୁଳିଗୋଳା ମାଡ଼ କରିଛି। ଫଳରେ ଜଣେ ଜେସିଓ ସହିଦ ହୋଇଯାଇଛନ୍ତି। ସହିଦ ଜେସିଓଙ୍କ ନାମ ନାଏବ ସୁବେନ୍ଦର ରାଜ୍ୱିନ୍ଦର ସିଂହ। ପଂଜାବରେ ତାଙ୍କ ଘର। ସେ ଖୁବ୍ ସାହସୀ ଏବଂ ସମର୍ପିତ ସୈନିକ ଥିଲେ ବୋଲି ପ୍ରତିରକ୍ଷା ମୁଖପାତ୍ର ଲେଫ୍ଟନାଣ୍ଟ୍ କର୍ନେଲ୍ ଦେବେନ୍ଦ୍ର ଆନନ୍ଦ କହିଛନ୍ତି।