ଆର୍ଥର୍‌ ରୋଡ୍‌ ଜେଲ୍‌ରୁ ମୁକୁଳିଲେ ଆର୍‌ୟନ୍‌ ଖାନ୍‌, ସ୍ବାଗତ ପାଇଁ ସଜେଇ ହୋଇଛି ‘ମନ୍ନତ’

ମୁମ୍ବାଇ: ଜାମିନ ପ୍ରକ୍ରିୟା ଶେଷ ହେବା ପରେ ଆଜି ପୂର୍ବାହ୍ନ ପ୍ରାୟ ୧୧ଟାରେ ଆର୍‌ୟନ୍‌ ଖାନ୍‌ଙ୍କ ଆର୍ଥର୍‌ ରୋଡ୍‌ ଜେଲ୍‌ରୁ ମୁକୁଳିଛନ୍ତି। ଏହା ପୂର୍ବରୁ ଶାହାରୁଖ୍‌ ଖାନ୍‌ଙ୍କ ଅଙ୍ଗରକ୍ଷୀ ରବି ମଧ୍ୟ ଆର୍ଥର୍‌ ରୋଡ୍‌ ଜେଲ୍‌ରେ ପହଞ୍ଚିଥିଲେ।ସେ ଆର୍‌ୟନ୍‌ଙ୍କୁ ଜେଲ୍‌ ବାହାରେ ଠିଆ ହୋଇଥିବା ଶାହାରୁଖ୍‌ ଖାନ୍‌ଙ୍କର ଧଳା ରଙ୍ଗର ‘ରେଞ୍ଜ୍‌ ରୋଭର୍‌’ କାର୍‌ ପାଖକୁ ନେଇଯାଇଥିଲେ। ସେଥିରେ ବସି ଆର୍‌ୟନ୍‌ ଘରକୁ ଫେରୁଛନ୍ତି।

ସୂଚନାଯୋଗ୍ୟ, ‘ଡ୍ରଗ୍‌ସ୍‌-ଅନ୍‌-କ୍ରୁଜ୍‌’ ମାମଲାରେ ପ୍ରାୟ ୩ ସପ୍ତାହ ଜେଲ୍‌ରେ ରହିବା ପରେ ଆଜି ଆର୍‌ୟନ୍‌ଙ୍କୁ ମୁକ୍ତ କରାଯାଇଛି। ଆଜି ସକାଳେ ଆର୍ଥର୍‌ ରୋଡ୍‌ ଜେଲ୍‌ କର୍ମଚାରୀମାନେ ‘ବେଲ୍‌ ବକ୍ସ୍‍’ରୁ ଜାମିନ କାଗଜପତ୍ର ନେଇ ଆର୍‌ୟନ୍‌ଙ୍କୁ ମୁକୁଳାଇବା ପ୍ରକ୍ରିୟା ଆରମ୍ଭ କରିଥିଲେ।

ଆର୍‌ୟନ୍‌ଙ୍କୁ ମୁକ୍ତ କରାଯିବା ପୂର୍ବରୁ ଆଜି ମୁମ୍ବାଇ ପୁଲିସ ଆର୍ଥର୍‌ ରୋଡ୍‌ ଜେଲ୍‌ ବାହାରେ ବ୍ୟାରିକେଡ୍‌ ବସାଇଛି। ଆର୍ଥର୍‌ ରୋଡ୍‌ ଜେଲ୍‌କୁ ପଡ଼ିଥିବା ରାସ୍ତାରେ ବ୍ୟାପକ ଯାନବାହନ ଗହଳି ହୋଇଥିଲା।

Image Courtesy of India Today

ତାଙ୍କୁ ଟିକେ ଦେଖିବା ପାଇଁ ଆର୍ଥର୍‌ ରୋଡ୍‌ କେନ୍ଦ୍ରୀୟ କାରାଗାର ବାହାରେ ଜନଗହଳି ହୋଇଥିବାରୁ ଅପ୍ରୀତିକର ଘଟଣା ଏଡ଼ାଇବା ପାଇଁ ପୁଲିସ ନିରାପତ୍ତା ବ୍ୟବସ୍ଥା କଠୋର କରିଛି।

ସେପଟେ, ତାଙ୍କୁ ଭବ୍ୟ ସ୍ୱାଗତ ଜଣାଇବା ଲାଗି ଶାହରୁଖ ଖାନ୍‌ଙ୍କ ବାସଭବନ ‘ମନ୍ନତ୍‌’କୁ ସୁନ୍ଦର ଭାବେ ଆଲୋକମାଳାରେ ସଜାଯାଇଛି।

ଉଲ୍ଲେଖଯୋଗ୍ୟ, ଗୁରୁବାର ଦିନ ବମ୍ବେ ହାଇକୋର୍ଟ ୧୪ଟି ସର୍ତ୍ତ ରଖି ଆର୍‌ୟନ୍‌ଙ୍କୁ ଜାମିନ ମଞ୍ଜୁର କରିଥିଲେ।

ସମ୍ବନ୍ଧିତ ଖବର