ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଚଳିତ ଡିସେମ୍ବରରେ ନିଜର ପ୍ରଥମ ଗଗନଯାନ ପରୀକ୍ଷଣ ଅଭିଯାନ ଆରମ୍ଭ କରିବାକୁ ପ୍ରସ୍ତୁତ ବୋଲି ମହାକାଶ ଏଜେନ୍ସି ମୁଖ୍ୟ ଭି ନାରାୟଣନ ସୂଚନା ଦେଇଛନ୍ତି। ଭାରତର ଅନ୍ୟତମ ମହାକାଶଚାରୀ ଗ୍ରୁପ୍ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳାଙ୍କ ଦ୍ୱାରା ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଘୋଷଣା କରାଯାଇଛି। ମାନବ ମହାକାଶଯାତ୍ରାରେ ପ୍ରବେଶ ପାଇଁ ଦେଶର ପ୍ରସ୍ତୁତି ଓ ସାମୂହିକ ଭାବନା ଉପରେ ଆଜି ଶୁଭାଂଶୁ ଗୁରୁତ୍ୱାରୋପ କରିଛନ୍ତି।
ନିକଟରେ ମହାକାଶରେ ବିଶ୍ୱସ୍ତରୀୟ ସହଯୋଗ ଉପରେ ଆଲୋକପାତ କରିଥିବା ଆକ୍ସମ-୪ ଅଭିଯାନରେ ତାଙ୍କର ଅନୁଭୂତି ବିଷୟରେ ଉଲ୍ଲେଖ କରି ଶୁକ୍ଳା କହିଛନ୍ତି- ମୁଁ କେବେ ଭାବି ନ ଥିଲି ଯେ ମୁଁ ମହାକାଶକୁ ଯିବି, ଯଦି ମୁଁ ଏହା କରିପାରିବି, ତେବେ ଆପଣମାନେ ମଧ୍ୟ କରିପାରିବେ। ଶୁକ୍ଳା ମାନବ ମହାକାଶଯାତ୍ରାରୁ ମିଳିଥିବା ଅଦୃଶ୍ୟ କିନ୍ତୁ ଗଭୀର ଶିକ୍ଷା ବିଷୟରେ ଆଲୋକପାତ କରିଥିଲେ, ଯାହା ଭାରତର ଆଗାମୀ ଗଗନଯାନ ପ୍ରୟାସ ପାଇଁ ଅମୂଲ୍ୟ ବୋଲି ସେ ବିଶ୍ୱାସ କରନ୍ତି। ସେ ଆକ୍ସମ-୪ ମିସନରେ ଏକତାର ଅସାଧାରଣ ଭାବନା ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ, ଯେଉଁଥିରେ ବିଭିନ୍ନ ଦେଶର କ୍ରୁ ମେମ୍ବର ଓ ମିସନ କଣ୍ଟ୍ରୋଲରମାନେ ନିରବଚ୍ଛିନ୍ନ ଭାବରେ କାର୍ଯ୍ୟ କରିଥିଲେ।
ମହାକାଶ ପରୀକ୍ଷଣ ସମ୍ପର୍କରେ ଶୁକ୍ଳା କହିଛନ୍ତି ଯେ, ନମୁନାଗୁଡ଼ିକୁ ଅନୁଷ୍ଠାନକୁ ପଠାଯାଇଛି ଏବଂ ମୁଖ୍ୟ ଅନୁସନ୍ଧାନକାରୀମାନେ ଏହା ଉପରେ କାର୍ଯ୍ୟ କରୁଛନ୍ତି। ଇସ୍ରୋର ଅନ୍ୟ ଜଣେ ମହାକାଶଚାରୀ ପ୍ରଶିକ୍ଷାର୍ଥୀ ଗ୍ରୁପ୍ କ୍ୟାପ୍ଟେନ୍ ପି ବାଲକ୍ରିଷ୍ଣନ ନାୟାର କହିଛନ୍ତି, ଏହା କୌଣସି ଛୋଟ ସଫଳତା ନୁହେଁ। ଆମର ସମୟ ଆସିଛି, ମାନବ ମହାକାଶ ଯାତ୍ରା ପାଇଁ ଭାରତ ପ୍ରସ୍ତୁତ। ଏହା ପୂର୍ବରୁ ଶୁଭାଂଶୁ ଶୁକ୍ଳା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ୍ କରି ତାଙ୍କର ଆକ୍ସମ-୪ ମିସନ ଓ ଆଗାମୀ ଗଗନଯାନ ମିସନ ସମ୍ପର୍କରେ ଅବଗତ କରାଇଥିଲେ।