ନୂଆଦିଲ୍ଲୀ: ସାବଧାନ ! ଭାରତକୁ ମାଡି ଆସୁଛନ୍ତି ନେପାଳର କଏଦୀ । ପଡୋଶୀ ଦେଶ ହୋଇଥିବାରୁ ନେପାଳ କଏଦୀ ପ୍ରଥମେ ଭାରତକୁ ଟାର୍ଗେଟ୍ କରୁଛନ୍ତି । ଅନୁପ୍ରବେଶ ପାଇଁ ସୀମାରେ ଉଦ୍ୟମ କରୁଛନ୍ତି । ମାତ୍ର ସୀମାରେ ସଶସ୍ତ୍ର ବଳ କଡା ପହରା ଦେଇ ପଇଁତରା ମାରୁଥିବାରୁ ନେପାଳୀ କଏଦୀଙ୍କ ଅନୁପ୍ରବେଶ ଉଦ୍ୟମ ପଣ୍ଡ ହେଉଛି । 

Advertisment

ତେବେ ହିଂସାକାଣ୍ଡ ସମୟରେ ନେପାଳର ବିଭିନ୍ନ ଜେଲ ଭାଙ୍ଗି ପ୍ରାୟ ୧୫ ହଜାରରୁ ଅଧିକ କଏଦୀ ଫେରାର ଥିବାରୁ ସେମାନେ ଭାରତକୁ ଅନୁପ୍ରବେଶ କରିବା ଆଶଙ୍କା ବଢୁଛି । ଆଉ ସେହି ଆଶଙ୍କା ସେତେବେଳେ ସତ ହୋଇଛି ଯେତେବେଳେ ଆଜି ଇଣ୍ଡୋ-ନେପାଳ ସୀମାରେ ୩୫ ଜଣ ନେପାଳ କଏଦୀଙ୍କୁ ଅଟକ ରଖାଯାଇଛି । ସଶସ୍ତ୍ର ସୀମା ବଳ ଦ୍ବାରା ଭାରତ-ନେପାଳ ସୀମାରୁ ନେପାଳ ଜେଲରୁ ଫେରାର ଥିବା ଏ ସମସ୍ତ କଏଦୀଙ୍କୁ ଅଟକ ରଖାଯାଇଛି । ଉତ୍ତରପ୍ରଦେଶ ସୀମାରେ ୨୨ ଜଣ କଏଦୀ, ବିହାର ସୀମାରେ ୧୦ କଏଦୀ ଏବଂ ପଶ୍ଚିମବଙ୍ଗ ସୀମାରୁ ୩ ଜଣ କଏଦୀଙ୍କୁ ଧରାଯାଇଛି । ଏହି ଧରପଗଡ ଏବଂ ଅନୁପ୍ରବେଶ ବେଳେ କଏଦୀଙ୍କ ଅଟକ ସଂଖ୍ୟା ଆଗକୁ ବଢିପାରେ ବୋଲି କୁହାଯାଉଛି । କାରଣ ନେପାଳ ସୀମାରୁ ଭାରତକୁ କଏଦୀ ମାନେ ବହୁ ମାତ୍ରାରେ ଆସୁଥିବା ସନ୍ଦେହ କରାଯାଉଛି ।

ଭାରତ-ନେପାଳ ସୀମା ପାଖାପାଖି ୧୭୫୧ କିଲୋମିଟ ଲାଗିଥିବାରୁ ଉତ୍ତରାଖଣ୍ଡ, ଉତ୍ତରପ୍ରଦେଶ, ବିହାର, ପଶ୍ଚିମବଙ୍ଗ, ସିକ୍କିମ ଆଦି ରାଜ୍ୟରେ ହାଇଆଲର୍ଟ ଜାରି କରାଯାଇଛି । ଏବଂ ସେନା ସତର୍କ ରହି ପୂରା ପଇଁତରା ମାରୁଛି । ଉତ୍ତରାଖଣ୍ଡରେ ନେପାଳ ସୀମାକୁ ସିଲ୍ କରାଯାଇଛି । ତେବେ ନେପାଳରୁ ଫେରାର ଥିବା ଏହି କଏଦୀମାନେ ନେପାଳ ସମେତ ଭାରତ ପାଇଁ ବଡ଼ ବିପଦ ବୋଲି କୁହାଯାଉଛି । ନେପାଳ ଜେଲରୁ ଫେରାର ହୋଇଥିବା କିଛି କଏଦୀମାନଙ୍କ ଗତିବିଧି ନେପାଳ ସମେତ ଭାରତ ସୀମାରେ ଦେଖିବାକୁ ମିଳିଛି । ଏହାକୁ ନେଇ ଭାରତ ସୀମାରେ ଜଗିଥିବା ଏସଏସବି ଯବାନମାନେ ସତର୍କ ହୋଇଛନ୍ତି ଏବଂ ପାଟ୍ରୋଲିଂକୁ ଜୋରଦାର କରିଛନ୍ତି । 

ନେପାଳରେ ଲାଗି ରହିଥିବା ହିଂସା ଭିତରେ ଅନେକ ଜେଲରୁ ହଜାର ହଜାର କଏଦୀ ଜେଲ ଭାଙ୍ଗି ଫେରାର ଥିବା ବେଳେ ଅନେକ ନେପାଳର ଏଭଳି ସ୍ଥିତିରେ ଲୁଟ ତରାଜ କରି ଦେଶ ଛାଡୁଛନ୍ତି । ଅସାମାଜିକ ବ୍ୟକ୍ତି, କଏଦୀ ଭାରତ ସୀମା ଦେଇ ଫେରାର ହେବାର ଆଶଙ୍କା ଥିବାରୁ ଚେକପୋଷ୍ଟରେ ସମସ୍ତଙ୍କୁ ଧରିବାକୁ ନେପାଳ ଅଧିକାରୀ ଭାରତକୁ ଅନୁରୋଧ କରିଛନ୍ତି ।  

ଭାରତ ପାଇଁ ସବୁଠାରୁ ବଡ଼ ଚିନ୍ତାର କାରଣ ପାଲଟିଛି ଯେଉଁ ଜେଲଗୁଡିକରୁ କଏଦୀମାନେ ଫେରାର ହୋଇଯାଇଛନ୍ତି ସେହି ଜେଲଗୁଡିକ ଭାରତ ସୀମାକୁ ଲାଗିଛି । ତେଣୁ ଏହି କଏଦୀମାନେ ଭାରତରେ ପ୍ରବେଶ କରିପାରନ୍ତି । ଯାହାକୁ ନେଇ ଭାରତ-ନେପାଳ ସୀମାରେ ସେନା କଡ଼ା ପହରା ଦେଇଛି । ନିଜ ଦେଶରେ ଅପରାଧ କରି ଜେଲରେ ଥିବା କଏଦୀମାନେ ଯଦି ଭାରତରେ ପ୍ରବେଶ କରନ୍ତି ତେବେ ଭାରତ ପାଇଁ ଏହା ବଡ଼ ବିପଦ ହେବ । ଆଉ ଭାରତରେ ପୁଣି ଅପରାଧ ବଢିବ ।