ଏସ୍‌ଏସ୍‌ସି ପେପର ଲିକ୍‌: କେନ୍ଦ୍ରକୁ ଜବାବ ମାଗିଲେ ସୁପ୍ରିମ୍‌ କୋର୍ଟ

ନୂଆଦିଲ୍ଲୀ: ଫେବ୍ରୁଆରି ୧୭ ତାରିଖରୁ ଫେବ୍ରୁଆରି ୨୧ ତାରିଖ ମଧ୍ୟରେ ଅନୁଷ୍ଠିତ ହୋଇଥିବା ଷ୍ଟାଫ୍‌ ସିଲେକ୍‌ସନ୍‌ କମିସନ୍‌ ପରୀକ୍ଷାର ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଘଟଣା ଉପରେ କରାଯାଇଥିବା ଆବେଦନ ସଂକ୍ରାନ୍ତରେ ଆଜି ସୁପ୍ରିମ୍‌ କୋର୍ଟ କେନ୍ଦ୍ର ସରକାରଙ୍କ ଜବାବ ଚାହିଁଛନ୍ତି। ଏହି ମାମଲା ସମ୍ବନ୍ଧରେ ମାର୍ଚ ୧୯ ତାରିଖ ଅର୍ଥାତ୍‌ ଆସନ୍ତା ସୋମବାର ଦିନ ଶୁଣାଣି କରାଯିବ ବୋଲି ଦିନ ଧାର୍ଯ୍ୟ କରାଯାଇଛି।

ଫେବ୍ରୁଆରି ୨୧ ତାରିଖ ଦିନ ‘କମ୍ବାଇଣ୍ଡ୍‌ ଗ୍ରାଜୁଏଟ୍‌ ଲେବଲ୍‌-ଟେଷ୍ଟ୍‍ ଟାୟର୍‌-ଟୁ’ ର ପ୍ରଶ୍ନ ପତ୍ର ଲିକ୍‌ ହୋଇଥିବା ଅଭିଯୋଗ ଯୋଗୁଁ ବୈଷୟିକ ସମସ୍ୟା ଦର୍ଶାଇ ଏସ୍‌ଏସ୍‌ସି ସେ ପରୀକ୍ଷା ରଦ୍ଦ କରିଥିଲା।

ଫଳତଃ ଏଥିରେ ମାସ୍‌ ଚିଟିଙ୍ଗ୍‌ ଏବଂ ମାଲ୍‌ପ୍ରାକ୍ଟିସ୍‌ ହୋଇଥିବାରୁ ସିବିଆଇ ତଦନ୍ତ ଦାବି କରି ପ୍ରାର୍ଥୀମାନେ ବିରାଟ ବିକ୍ଷୋଭ କରିଥିଲେ।
ମାର୍ଚ ୫ ତାରିଖ ଦିନ କେନ୍ଦ୍ର ସରକାର ସିବିଆଇ ତଦନ୍ତ ଆଦେଶ ଦେଇ ପ୍ରାର୍ଥୀମାନଙ୍କୁ ଆନ୍ଦୋଳନ ପ୍ରତ୍ୟାହାର ପାଇଁ କହିଥିଲେ।

କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ କହିଥିଲେ, ଆନ୍ଦୋଳନକାରୀ ପ୍ରାର୍ଥୀମାନଙ୍କର ଦାବି ଆମେ ଗ୍ରହଣ କରି ସିବିଆଇ ତଦନ୍ତ ପାଇଁ ଆଦେଶ ଦେଇଛୁ। ଏବେ ଆନ୍ଦୋଳନ ପ୍ରତ୍ୟାହାର କରିନେବା ଉଚିତ।

କେତେ ଜଣ କେନ୍ଦ୍ରମନ୍ତ୍ରୀ ବହୁବାର ଆବେଦନ ସତ୍ତ୍ୱେ ଆନ୍ଦୋଳନ ଚାଲୁ ରହିବାରୁ ଗତ ସପ୍ତାହରେ ଜୟପୁର ଠାରେ ଧାରା ୧୫୧ ଆଧାରରେ ସାତ ଜଣ ପ୍ରାର୍ଥୀଙ୍କୁ ଅଟକ ରଖାଯାଇଥିଲା।

ସମ୍ବନ୍ଧିତ ଖବର