ନୂଆଦିଲ୍ଲୀ: ତିନିଟି ରାଜ୍ୟରେ ବିଧାନସଭାକୁ ନିର୍ବାଚିତ ହୋଇଥିବା ବିଜେପିର ୧୦ ଜଣ ସାଂସଦ ଆଜି ଲୋକସଭାରୁ ଇସ୍ତଫା ଦେଇଛନ୍ତି। ଏହି ସାଂସଦଙ୍କ ମଧ୍ୟରେ ଛତିଶଗଡ଼ର ଗୋମତି ସାଇ, ମଧ୍ୟପ୍ରଦେଶର ନରେନ୍ଦ୍ର ସିଂହ ତୋମର, ରାକେଶ ସିଂହ, ପ୍ରହଲ୍ଲାଦ ପଟେଲ, ରୀତି ପାଠକ ଏବଂ ଉଦୟ ପ୍ରତାପ ସିଂହ ସାମିଲ ଅଛନ୍ତି। ରାଜସ୍ଥାନର ସାଂସଦ ଦିୟା କୁମାରୀ, ରାଜ୍ୟବର୍ଦ୍ଧନ ରାଠୋଡ଼ ଏବଂ କିରୋଡ଼ି ଲାଲ ମୀନା ମଧ୍ୟ ଇସ୍ତଫା ଦେଇଛନ୍ତି। ତୋମାର ଏବଂ ପଟେଲ କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ମଧ୍ୟ ଇସ୍ତଫା ଦେଇଛନ୍ତି।
ଇସ୍ତଫା ଦେଇଥିବା ୧୦ ସାଂସଦଙ୍କ ମଧ୍ୟରେ ମଧ୍ୟପ୍ରଦେଶର ୫ ଜଣ, ରାଜସ୍ଥାନର ୩ ଜଣ ଏବଂ ଛତିଶଗଡ଼ର ୨ ଜଣ ଅଛନ୍ତି। ବିଜେପି ୨୧ ଜଣ ସାଂସଦଙ୍କୁ ବିଧାନସଭା ନିର୍ବାଚନରେ ଅବତୀର୍ଣ୍ଣ କରାଇଥିଲା। ସେମାନଙ୍କ ମଧ୍ୟରୁ ୧୨ ଜଣ ବିଜୟ ହାସଲ କରିଥିବା ବେଳେ ୯ ଜଣ ସାଂସଦ ପରାଜିତ ହୋଇଥିଲେ। ଯେଉଁ ସାଂସଦମାନେ ଆଜି ଇସ୍ତଫା ଦେଇଛନ୍ତି ସେମାନେ ବିଧାୟକ ପଦରେ ରହିବେ। ଅନ୍ୟପକ୍ଷରେ ନିର୍ବାଚନ ଜିତିଥିବା ବାବା ବାଲକନଥ ଏବଂ ରେଣୁକା ସିଂହ ଆଜି ଇସ୍ତଫା ଦେବାକୁ ପହଞ୍ଚିନାହାନ୍ତି। ଇସ୍ତଫା ଦଇଥିବା ସମସ୍ତ ୧୦ ସାଂସଦ ଆଜି ଅପରାହ୍ନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଛନ୍ତି।
ରାଜସ୍ଥାନ, ମଧ୍ୟ ପ୍ରଦେଶ ଏବଂ ଛତିଶଗଡ଼ରେ ବିଜେପି କାହାକୁ ମୁଖ୍ୟମନ୍ତ୍ରୀ କରିବ, ତାହାକୁ ନେଇ ଜୋରଦାର କସରତ ଚାଲିଥିବା ବେଳେ ଏହି ଇସ୍ତଫା ଭିନ୍ନ ଖୋରାକ େଯାଗାଇଛି। ଏମାନଙ୍କ ମଧ୍ୟରୁ କାହାକୁ ମୁଖ୍ୟମନ୍ତ୍ରୀ କରାଯାଇପାରେ ବୋଲି ଚର୍ଚ୍ଚା ହେଉଛି। କିନ୍ତୁ ମୁଖ୍ୟମନ୍ତ୍ରୀ ପଦରେ ନୂଆ ଚେହେରା ବସାଇବା ଲାଗି ବିଜେପି ହାଇକମାଣ୍ଡ ବିଚାର କରୁଥିବା ସଂପର୍କରେ ମଧ୍ୟ କୁହାଯାଉଛି। କେଉଁ ନେତା ନିଜକୁ ଶ୍ରେଷ୍ଠ ପ୍ରତିପାଦିତ କରି ଲୋକଙ୍କ ଆସ୍ଥା ଭାଜନ ହେବେ ଏବଂ ଲୋକସଭା ନିର୍ବାଚନରେ ଦଳ ପାଇଁ ସଫଳତା ଆଣିବେ ସେ ନେଇ ମନ୍ଥନ ଜାରି ରହିଛି। ଦଳର କେନ୍ଦ୍ରୀୟ ନେତୃତ୍ୱ ସମ୍ଭାବ୍ୟ ମୁଖ୍ୟମନ୍ତ୍ରୀଙ୍କ ନାମ ଉପରେ ବିଚାରବିମର୍ଶ ଜାରି ରଖିଥିବା ବେଳେ ଦିନକୁ ଦିନ ସସ୍ପେନ୍ସ ବଢ଼ିବାରେ ଲାଗିଛି। ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାସଭବନରେ ମୁଖ୍ୟମନ୍ତ୍ରୀ ଚୟନ ସଂକ୍ରାନ୍ତରେ ଚାରି ଘଣ୍ଟା ଧରି ବୈଠକ ଚାଲିଥିଲା ତିନି ରାଜ୍ୟରେ ମୁଖ୍ୟମନ୍ତ୍ରୀ ପଦବି ପାଇଁ ସମସ୍ତ ସମ୍ଭାବ୍ୟ ନାମଗୁଡ଼ିକ ସଂପର୍କରେ ବିସ୍ତୃତ ଚର୍ଚ୍ଚା ହୋଇଥିଲା। ବୈଠକରେ ପ୍ରଧାନମନ୍ତ୍ରୀଙ୍କ ସହିତ ଗୃହମନ୍ତ୍ରୀ ଅମିତ ଶାହ ଏବଂ ବିଜେପି ଜାତୀୟ ସଭାପତି ଜେପି ନଡ୍ଡା ଉପସ୍ଥିତ ଥିଲେ। ବୈଠକ ପୂର୍ବରୁ ଶାହ ଏବଂ ନଡ୍ଡା ଏହି ତିନି ରାଜ୍ୟର ପ୍ରଭାରୀଙ୍କ ସହିତ ବୈଠକ କରି ରାଜ୍ୟ ନେତାଙ୍କ ବିଷୟରେ ମତାମତ ସଂଗ୍ରହ କରିଥିଲେ।
ଆସନ୍ତାକାଲି ପୁଣି ବୈଠକ ହେବ। ଏହାପରେ ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ ଛତିଶଗଡ଼ ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯିବ। ନବନିର୍ବାଚିତ ବିଧାୟକଙ୍କ ବୈଠକ ପାଇଁ ଏହି ପ୍ରଭାରୀମାନେ ରଣନୀତି ପ୍ରସ୍ତୁତ କରିବେ। ମଧ୍ୟପ୍ରଦେଶରେ ବିଦାୟୀ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ପୁଣି ମୁଖ୍ୟମନ୍ତ୍ରୀ ହେବାପାଇଁ ପରୋକ୍ଷରେ ଦଳକୁ ବିଭିନ୍ନ ସଙ୍କେତ ଦେଉଥିବା ବେଳେ ଏଠାରେ ଅନ୍ୟ ଆଶାୟୀମାନେ ହେଲେ କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଲାଦ ପଟେଲ, ଜ୍ୟୋତିରାଦିତ୍ୟ ସିନ୍ଧିଆ, ନରେନ୍ଦ୍ର ସିଂ ତୋମର ଏବଂ ରାଜ୍ୟର ବରିଷ୍ଠ ନେତା କୈଳାସ ବିଜୟବର୍ଗୀୟ। ସେହିଭଳି ରାଜସ୍ଥାନର ମୁଖ୍ୟମନ୍ତ୍ରୀ ପଦ ପାଇଁ ମଧ୍ୟ ଅନେକ ନାମ ଚର୍ଚ୍ଚାରେ ରହିଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ, ଲୋକସଭା ବାଚସ୍ପତି ଓମ୍ ବିର୍ଲା, କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ, ଅର୍ଜୁନ ରାମ ମେଘୱାଲ, ରାଜ୍ୟ ସଭାପତି ସି.ପି. ଯୋଶୀ, ଦିୟା କୁମାରୀ ଏବଂ ବାବା ବାଲକନାଥଙ୍କ ନାମ ମୁଖ୍ୟମନ୍ତ୍ରୀ ପଦ ପାଇଁ ଚର୍ଚ୍ଚା ହେଉଛି। ଛତିଶଗଡରେ ମଧ୍ୟ ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂଙ୍କ ବ୍ୟତୀତ ରାଜ୍ୟ ବିଜେପି ସଭାପତି ଅରୁଣ କୁମାର ସାଓ, ଧରମଲାଲ କୌଶିକ, ପୂର୍ବତନ ଆଇଏଏସ ଅଧିକାରୀ ଓପି ଚୌଧୁରୀଙ୍କ ନାମ ମଧ୍ୟ ମୁଖ୍ୟମନ୍ତ୍ରୀ ପଦ ପାଇଁ ଚର୍ଚ୍ଚାରେ ରହିଛି। ଦଳର ଜଣେ କେନ୍ଦ୍ରୀୟ ନେତା କହିଛନ୍ତି ଯେ ରାଜସ୍ଥାନରେ ରାଜପୁତ, ମଧ୍ୟପ୍ରଦେଶରେ ପଛୁଆ ବର୍ଗ ଏବଂ ଛତିଶଗଡ଼ରେ ଜଣେ ଆଦିବାସୀ ନେତାଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇପାରେ। ତେବେ ବିଜେପି ନେତୃତ୍ୱ ମୁଖ୍ୟମନ୍ତ୍ରୀ ଚୟନରେ ପୂର୍ବରୁ ଅନେକ ଅପ୍ରତ୍ୟାଶିତ ନିଷ୍ପତ୍ତି ନେଇଥିବାରୁ କାହା ନାମରେ ମୋହର ଲାଗିବ ତାହାକୁ ନେଇ ସସ୍ପେନ୍ସ ଜାରି ରହିଛି। ଉତ୍ତରାଖଣ୍ଡ, କର୍ଣ୍ଣାଟକ ଓ ଗୁଜରାଟରେ ବିଜେପି ଏଭଳି ଅପ୍ରତ୍ୟାଶିତ ନିଷ୍ପତ୍ତି ନେଇସାରିଛି।