ଆମଷ୍ଟରଡାମ: ଗୁରୁବାର ଆମଷ୍ଟରଡାମର ଡ୍ୟାମ୍ ସ୍କୋୟାରରେ ଏକ ଛୁରାମାଡ଼ ଘଟଣା ଘଟିଛି । ଏହି ଘଟଣାରେ ପାଞ୍ଚ ଜଣ ଆହତ ହୋଇଛନ୍ତି। ଡଚ୍ ପୁଲିସ କହିଛି ଯେ ଜଣେ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ହେପାଜତକୁ ନିଆଯାଇଛି। ଘଟଣାସ୍ଥଳକୁ ସବୁ ପାର୍ଶ୍ୱରୁ ଘେରାବନ୍ଦୀ କରାଯାଇଛି। ପୁଲିସ କହିଛି ଯେ ଆକ୍ରମଣ ପଛର କାରଣ ଏବଂ ଉଦ୍ଦେଶ୍ୟ ବର୍ତ୍ତମାନ ସ୍ପଷ୍ଟ ନୁହେଁ।  ପୋଲିସ ଏକ ବିବୃତ୍ତିରେ କହିଛି, "ଆମେ ଏହି ଘଟଣାର ତଦନ୍ତ କରୁଛୁ।" ତେବେ ଏହା ଆତଙ୍କବାଦୀ କାଣ୍ଡ କି ନା ସେ ସଂପର୍କରେ ପୁଲିସ ଏପର୍ଯ୍ୟନ୍ତ କିଛି କହିନାହିଁ । ଆହତଙ୍କ ଅବସ୍ଥା ବିଷୟରେ ଏପର୍ଯ୍ୟନ୍ତ କୌଣସି ସୂଚନା ଦିଆଯାଇ ନାହିଁ।

Advertisment

ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଘଟଣା ପରେ ଆମଷ୍ଟରଡାମର ମେୟର ଫେମକେ ହାଲସେମା ଟାଉନ ହଲ ବୈଠକ ଅଧା ବାଟରେ ଛାଡି ଚାଲିଯାଇଥିଲେ। ଗଣମାଧ୍ୟମ ପ୍ରଦତ୍ତ ଫଟୋରେ ଜଣେ ଆହତ ବ୍ୟକ୍ତିଙ୍କୁ ଷ୍ଟ୍ରେଚରରେ ଆମ୍ବୁଲାନ୍ସକୁ ନିଆଯାଉଥିବାର ଦେଖାଯାଇଛି।

ଘଟଣାସ୍ଥଳକୁ ପୋଲିସ ଭ୍ୟାନ, ଆମ୍ବୁଲାନ୍ସ ଏବଂ ଏକ ଆମ୍ବୁଲାନ୍ସ ହେଲିକପ୍ଟର ମୁତୟନ କରାଯାଇଛି। ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ଯେ ସେ ଲୋକଙ୍କ ଚିତ୍କାର" ଶୁଣିଥିଲେ, ଏବଂ ତା'ପରେ ଲୋକେ ଏପଟ ସେପଟ ଦୌଡ଼ାଦୌଡ଼ି କରୁଥିବା ଜଣାପଡ଼ିଥିଲା। ପୁଲିସ ସାଧାରଣ ଜନତାଙ୍କୁ ନିବେଦନ କରିଛି ଯେ ଯଦି କାହା ପାଖରେ ଘଟଣାର ଭିଡିଓ କିମ୍ବା ଫଟୋଗ୍ରାଫ୍ ଅଛି, ତେବେ ସେଗୁଡ଼ିକୁ ତଦନ୍ତ ପାଇଁ ଅପଲୋଡ୍ କରନ୍ତୁ।