‘ଷ୍ଟେଜ୍‌-୩ ସଂକ୍ରମଣ’ ମୁକାବିଲା ପାଇଁ ଭାରତ ପ୍ରସ୍ତୁତ

ଗୋଷ୍ଠୀ ସଂକ୍ରମଣ ରୋକିବାକୁ ଯୁଦ୍ଧସ୍ତରରେ ପ୍ରୟାସ ଜାରି

ନୂଆଦିଲ୍ଲୀ: ଭାରତରେ ଏବେ କରୋନା ଭାଇରସ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୯ ଶହ ଛୁଇଁବାକୁ ଯାଉଥିବାରୁ ସମସ୍ତ ରାଜ୍ୟରେ ମହାମାରୀ ମୁକାବିଲା ପାଇଁ ଯୁଦ୍ଧସ୍ତରରେ ପ୍ରୟାସ ଚାଲିଛି। କୋଭିଡ୍‌-୧୯ ଭାରତରେ ଷ୍ଟେଜ୍‌-୩ରେ ପହଞ୍ଚିବା ପୂର୍ବରୁ ଏହାର ମୁକାବିଲା ନିମନ୍ତେ ପ୍ରଶାସନ ଅହରହ କାମ କରୁଛି। ଷ୍ଟେଜ୍‌-୩ରେ ଗୋଷ୍ଠୀ ସଂକ୍ରମଣ ଯୋଗୁଁ ପ୍ରତିଦିନ ହଜାର ହଜାର ଲୋକ ଆକ୍ରାନ୍ତ‌ ହେବା ଆଶଙ୍କା ରହିଛି ଏବଂ ଏହାର ମୁକାବିଲା ପାଇଁ ୨୦ଟି ରାଜ୍ୟରେ ପ୍ରସ୍ତୁତି ଜୋର୍‌ଦାର ହୋଇଛି। ତିନି ସେନାର ଏକ ମିଳିତ ବୈଠକରେ କରୋନା ମୁକାବିଲା ନେଇ ରଣନୀତି ଚୂଡ଼ାନ୍ତ ହୋଇଛି ଏବଂ ସବୁ ରାଜ୍ୟର ସ୍ଥିତି ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନଜର ରଖିଛନ୍ତି। କେରଳ, ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ତେଲେଙ୍ଗାନା, କର୍ଣ୍ଣାଟକ, ତାମିଲନାଡ଼ୁ, ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ଗୁଜରାଟରେ ଷ୍ଟେଜ୍‌-୩ ପର୍ଯ୍ୟାୟରେ କିଭଳି ମୁକାବିଲା କରାଯିବ ସେ ନେଇ ବିଭିନ୍ନ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି।

ଭାରତୀୟ ଚିକିତ୍ସା ଗବେଷଣା ଆଇସିଏମ୍‌ଆର) ଏବଂ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ ଏ ପର୍ଯ୍ୟନ୍ତ ଭାରତରେ ଗୋଷ୍ଠୀ ସଂକ୍ରମଣ ବା ଷ୍ଟେଜ୍‌-୩ ଆରମ୍ଭ ହୋଇନାହିଁ। ତେବେ ଯେ କୌଣସି ପରିସ୍ଥିତିର ମୁକାବିଲା ପାଇଁ ଭାରତ ପ୍ରସ୍ତୁତ ରହିଛି ବୋଲି କୁହାଯାଇଛି। ଏବେ ୨୫ଟି ରାଜ୍ୟକୁ ସଂକ୍ରମଣ ବ୍ୟାପିଥିବାରୁ ସବୁ ଅଂଚଳରେ ହସ୍ପିଟାଲଗୁଡ଼ିକୁ କରୋନା ଆକ୍ରାନ୍ତଙ୍କୁ ଭର୍ତ୍ତି କରିବା ପାଇଁ ପ୍ରସ୍ତୁତ କରାଯାଇଛି। ବିଭିନ୍ନ ରାଜ୍ୟ ସରକାର କହିଛନ୍ତି ଯେ ପ୍ରତିଦିନ ୧ ଶହରୁ ୩ ଶହ ଆକ୍ରାନ୍ତଙ୍କ ବ୍ୟବସ୍ଥା କରିବା ପାଇଁ ବ୍ୟବସ୍ଥା ଉପଲବ୍ଧ ଅଛନ୍ତି। ଏବେ ବି ଭାରତରେ ସବୁକିଛି ନିୟନ୍ତ୍ରଣରେ ରହିଛି, କିନ୍ତୁ ବଡ଼ ଧରଣର ଗୋଷ୍ଠୀ ସଂକ୍ରମଣ ସମ୍ଭାବନା ମଧ୍ୟ ଥିବାରୁ ଲୋକେ ଯଥାସମ୍ଭବ ଘରୁ ନ ବାହାରିବାକୁ କୁହାଯାଇଛି। ଯେଉଁ ରାଜ୍ୟଗୁଡ଼ିକରେ କରୋନା ସଂକ୍ରମଣ ଷ୍ଟେଜ୍‌-୧ରେ ରହିଛି ସେଠାରେ ବି ଯୁଦ୍ଧସ୍ତରରେ ‌ଷ୍ଟେଜ୍‌-୩ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଷ୍ଟେଜ୍‌-୩ ବା ଗୋଷ୍ଠୀ ସଂକ୍ରମଣ ପର୍ଯ୍ୟାୟ ୟୁରୋପ ଏବଂ ଆମେରିକାରେ ଏବେ ଭୟାନକ ସ୍ଥିତି ସୃଷ୍ଟି କରିଥିବାରୁ ଏଥିରୁ ଶିକ୍ଷା ନେଇ ସରକାର ବ୍ୟାପକ ସତର୍କତା ଅବଲମ୍ବନ କରିଛନ୍ତି।

ସମ୍ବନ୍ଧିତ ଖବର