ଭୁଶୁଡ଼ି ପଡ଼ିଲା କୃଷକଙ୍କ ‘ମହାପଞ୍ଚାୟତ’ ମଞ୍ଚ; ଖସି ପଡ଼ିଲେ କିଷାନ ୟୁନିୟନ ନେତା ଟିକାୟତ

ଜିନ୍ଦ: ନୂତନ କୃଷି ଆଇନ୍‌ ପ୍ରତ୍ୟାହାର ଦାବିରେ ଆନ୍ଦୋଳନ ଚଳାଇଥିବା କୃଷକ ନେତାମାନେ ଆଜି ଅପରାହ୍ନରେ ହରିୟାଣାର ଜିନ୍ଦ ଠାରେ ଏକ ‘ମହାପଞ୍ଚାୟତ’ର ଆୟୋଜନ କରିଥିବା ବେଳେ ମହାପଞ୍ଚାୟତର ମଞ୍ଚ ଭୁଶୁଡ଼ି ପଡ଼ିଛି। ଏବଂ ମଞ୍ଚ ଉପରୁ କୃଷକ ନେତା ରାକେଶ ଟିକାୟତ ତଳକୁ ଖସି ପଡ଼ିଛନ୍ତି। ତେବେ, ଏହି ଘଟଣାରେ କୃଷକ ନେତା ଟିକାୟତ ଆହତ ହୋଇ ନଥିବା ଜାଣିବାକୁ ମିଳିଛି।

ଖବରରୁ ପ୍ରକାଶ, ନୂତନ କୃଷି ଆଇନ୍‌ ପ୍ରତ୍ୟାହାର ଦାବିରେ ଆନ୍ଦୋଳନ ଚଳାଇଥିବା କୃଷକ ନେତାମାନେ ସେମାନଙ୍କର ଭବିଷ୍ୟତ କାର୍ଯ୍ୟପନ୍ଥା ସ୍ଥିର କରିବାକୁ ଆଜି ଅପରାହ୍ନରେ ହରିୟାଣାର ଜିନ୍ଦ ଠାରେ ଏକ ‘ମହାପଞ୍ଚାୟତ’ ବା ବିଶାଳ ସମାବେଶର ଆୟୋଜନ କରିଥିଲେ।

ଆନ୍ଦୋଳନକାରୀ କୃଷକମାନଙ୍କୁ ସମ୍ବୋଧନ କରିବା ଉଦ୍ଦେଶ୍ୟରେ ଏହି ମହାପଞ୍ଚାୟତରେ ଏକ ମଞ୍ଚ ନିର୍ମାଣ ହୋଇଥିଲା। ଏକ ମଞ୍ଚ ଉପରୁ କିଷାନ ୟୁନିୟନ ନେତା ରାକେଶ ଟିକାୟତଙ୍କ ସମେତ ବିଭିନ୍ନ କୃଷକ ସଂଗଠନର ଅନ୍ୟ ନେତା ଏହି ସମାବେଶକୁ ସମ୍ବୋଧିତ କରିଥିଲେ। ତେବେ, କୃଷକ ନେତା ଶ୍ରୀ ଟିକାୟତ ଭାଷଣ ଦେଉଥିବା ବେଳେ ମଞ୍ଚଟି ହଠାତ୍‌ ଭୁଶୁଡ଼ି ପଡ଼ିଥିଲା। ଫଳରେ ଶ୍ରୀ ଟିକାୟତ ତଳେ ପଡ଼ି ଯାଇଥିଲେ।

ମଞ୍ଚ ଭୁଶୁଡ଼ିବାର ଏକ ଭିଡିଓରେ ଦେଖିବାକୁ ମିଳିଛି ଯେ କିଷାନ ୟୁନିୟନ ନେତା ଶ୍ରୀ ଟିକାୟତ ସମାବେଶକୁ ସମ୍ବୋଧିତ କରିବାକୁ ଯାଉଥିବା ବେଳେ ମଞ୍ଚ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ମଞ୍ଚ ଭୁଶୁଡ଼ି ପଡ଼ୁଥିବା ଦେଖି ତଳେ ବସିଥିବା ଲୋକମାନେ ଚିତ୍କାର କରିବା ପରେ ମଞ୍ଚ ଉପରେ ଥିବା ନେତାମାନେ ତଳକୁ ଡେଇଁ ପଡିଥିଲେ।

ସମ୍ବନ୍ଧିତ ଖବର