ପାଟଣା: ସବୁଠି ଅପରେସନ ସିନ୍ଦୂରର କ୍ରେଜ୍ । ପହଲଗାମ୍ ଆତଙ୍କୀ ହମଲାର ବଦଲା ନେବାକୁ ଯାଇ ଭାରତ ପକ୍ଷରୁ କରାଯାଇଥିବା ଅପରେସନ ସିନ୍ଦୂରକୁ ନେଇ ଏବେବି ସବୁଠି ଚର୍ଚ୍ଚା । ମେ ୬ ତାରିଖ ରାତି ଏବଂ ମେ ୭ ତାରିଖ ଭୋର ଅପରେସନ ସିନ୍ଦୂର ଜରିଆରେ ଆତଙ୍କୀ ଆଡ୍ଡା ଉପରେ ଆକ୍ରମଣ ଏବଂ ପାକିସ୍ତାନକୁ ପାନେ ଦେବା କଥା ଦେଶ ସମେତ ସାରା ବିଶ୍ବରେ ଚର୍ଚ୍ଚା ହେଉଛି । ଅପରେସନ ସିନ୍ଦୂର ଏବଂ ବୀର ଯବାନଙ୍କ ସଫଳତାର କାହାଣୀ କହିବାକୁ ବିଶ୍ବ ଭ୍ରମଣରେ ଅଛନ୍ତି ସର୍ବଦଳୀୟ ପ୍ରତିନିଧି ମଣ୍ଡଳୀ । ଦେଶରେ ତ୍ରିରଙ୍ଗା ଶୋଭାଯାତ୍ରା ଜରିଆରେ ଯବାନଙ୍କ ବୀରତ୍ବର ଗାଥା କୁହାଯାଉଥିବା ବେଳେ ଏବେ ସାମ୍ନାକୁ ଆସିଛି ଅପରେସନ ସିନ୍ଦୂରକୁ ନେଇ ମଞ୍ଚର ଏକ ଝଲକ । ଯେଉଁଠି ଅପରେସନ ସିନ୍ଦୂର ଥିମରେ ପ୍ରସ୍ତୁତ ହୋଇଛି ଏକ ମଞ୍ଚ । ମୋଦୀଙ୍କ ଗସ୍ତ ଏବଂ ରୋଡ୍ ସୋ ଅବସରରେ ଏହି ନିଆରା ମଞ୍ଚ ପ୍ରସ୍ତୁତ କରାଯାଇଛି ।
#WATCH | Bihar: Stage, designed on the theme of #OperationSindoor and BrahMos missiles, set up on the route of PM Narendra Modi's roadshow in Patna, today. pic.twitter.com/IfemoWzM2j
— ANI (@ANI) May 29, 2025
ପାଟଣାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ରୋଡ୍ ସୋ ଥିବା ବେଳେ ଏକ ମଞ୍ଚକୁ ଅପରେସନ ସିନ୍ଦୂର ଥିମରେ କରାଯାଇଛି । ଯେଉଁଠି ଅପରେସନ ସିନ୍ଦୂରର ଲୋଗୋ ଏବଂ ବ୍ରହ୍ମୋସ୍ ମିସାଇଲ୍ ରହିଛି । ତାସହ ଲଢୁଆ ବିମାନ ମଧ୍ୟ ଉପରେ ରଖା ଯାଇଛି । ଭାରତୀୟ ଯବାନଙ୍କ ବୀରତ୍ବର ଗାଥା ବଖାଣୁଥିବା ଏହି ମଞ୍ଚ ସମସ୍ତଙ୍କ ନଜରର କେନ୍ଦ୍ର ବିନ୍ଦୁ ସାଜିଛି ।
ଆଜିଠୁ ୨ ଦିନିଆ ବିହାର ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଆଗକୁ ବିଧାନସଭା ନିର୍ବାଚନ ଥିବାରୁ ମୋଦୀଙ୍କ ଗସ୍ତ ବେସ୍ ଗୁରୁତ୍ବ ରଖୁଛି । ଆଜି ସନ୍ଧ୍ୟାରେ ମୋଦୀ ପାଟଣା ଏୟାରପୋର୍ଟରେ ପହଞ୍ଚିବା ପରେ ସେଠାରେ ଏକ ଯାତ୍ରୀ ଟର୍ମିନାଲ ଉଦଘାଟନ କରିବେ । ୧୨୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ଟର୍ମିନାଲର ଉଦଘାଟନ ସହ ଅନେକ ପ୍ରକଳ୍ପର ଶୁଭାରମ୍ଭ ଓ ଶିଳାନ୍ୟାସ କରିବେ । ବିହାରକୁ ପ୍ରାୟ ୫୦ ହଜାର କୋଟି ଟଙ୍କାର ଭେଟି ଦେବେ ମୋଦୀ ।