ନୂଆଦିଲ୍ଲୀ: ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ୍କେ ଷ୍ଟାଲିନ ଜନଗଣନା ଆଧାରିତ ସୀମାନିର୍ଦ୍ଧାରଣ ବିରୋଧରେ ତାଙ୍କ ଅଭିଯାନକୁ ଜୋର୍ଦାର୍ କରିଛନ୍ତି। ଆଜି ଷ୍ଟାଲିନ୍ ପଶ୍ଚିମବଙ୍ଗ, ଓଡ଼ିଶା ସମେତ ୭ଟି ରାଜ୍ୟରେ ଲୋକସଭା ଆସନ ସୀମା ନିର୍ଦ୍ଧାରଣ ନେଇ ଆଶଙ୍କା ପ୍ରକଟ କରିବା ସହ କେନ୍ଦ୍ରର ଏହି ପଦକ୍ଷେପକୁ ରୋକିବା ପାଇଁ ତାଙ୍କ ପରବର୍ତ୍ତୀ ପଦକ୍ଷେପ ଘୋଷଣା କରିଛନ୍ତି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ବିଜେପି ଶାସିତ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ୭ ଜଣ ମୁଖ୍ୟମନ୍ତ୍ରୀଙ୍କୁ ଷ୍ଟାଲିନ୍ ଚେନ୍ନାଇ ଡକାଇଛନ୍ତି। ପ୍ରସ୍ତାବିତ ସୀମା ନିର୍ଦ୍ଧାରଣ ପ୍ରକ୍ରିୟା ବିରୋଧରେ ରାଜନୈତିକ ଦଳର ମିଳିତ କ୍ରିୟାନୁଷ୍ଠାନ କମିଟିରେ ଯୋଗ ଦେବାକୁ ସେ ନିବେଦନ କରିଛନ୍ତି। କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ, କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ, ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଏବଂ ପୁଡୁଚେରୀ ମୁଖ୍ୟମନ୍ତ୍ରୀ ଏନ୍ ରଙ୍ଗାସ୍ୱାମୀଙ୍କୁ ମଧ୍ୟ ସେ ନିମନ୍ତ୍ରଣ କରିଛନ୍ତି। ଆସନ୍ତା ୨୨ ତାରିଖରେ ଚେନ୍ନାଇରେ ଏ ନେଇ ଏକ ବୈଠକ ଅନୁଷ୍ଠିତ ହେବ ଏବଂ ମିଳିତ ଭାବେ ରଣନୀତି ପ୍ରସ୍ତୁତ କରାଯିବ ବୋଲି ଷ୍ଟାଲିନ୍ କହିଛନ୍ତି।
କେନ୍ଦ୍ର ସରକାରଙ୍କୁ କଡ଼ା ସମାଲୋଚନା କରି ଷ୍ଟାଲିନ୍ କହିଛନ୍ତି, ସୀମା ନିର୍ଦ୍ଧାରଣ ହେଉଛି ସଂଘୀୟ ବ୍ୟବସ୍ଥା ଉପରେ ଏକ ଖୋଲା ଆକ୍ରମଣ ଏବଂ ଜନସଂଖ୍ୟା ଆଧାରରେ ସୀମା ନିର୍ଦ୍ଧାରଣକୁ ବିରୋଧ କରୁଥିବା ରାଜ୍ୟମାନଙ୍କ ସ୍ୱରକୁ ଏହା ଦମନ କରିବ। ସୂଚନାଯୋଗ୍ୟ, ସୀମା ନିର୍ଦ୍ଧାରଣ ପ୍ରସଙ୍ଗରେ ଷ୍ଟାଲିନ୍ ଗତ କିଛି ଦିନ ହେବ କେନ୍ଦ୍ର ଉପରେ ଲଗାତାର ଚାପ ପକାଉଛନ୍ତି। ବୁଧବାର ସେ ପ୍ରସ୍ତାବ ଦେଇଥିଲେ ଯେ ୧୯୭୧ ଜନଗଣନାକୁ ୨୦୨୬ରୁ ଆସନ୍ତା ୩୦ ବର୍ଷ ପାଇଁ ସଂସଦୀୟ ନିର୍ବାଚନମଣ୍ଡଳୀକୁ ସୀମିତ କରିବା ପାଇଁ ଆଧାର କରାଯାଉ। ଏହା ସହିତ ଦକ୍ଷିଣର ସମସ୍ତ ରାଜ୍ୟକୁ ନେଇ ଏକ ଯୁଗ୍ମ କ୍ରିୟାନୁଷ୍ଠାନ କମିଟି (ଜେଏସି) ଗଠନ କରିବାକୁ ସେ ପ୍ରସ୍ତାବ ଦେଇଛନ୍ତି। ଷ୍ଟାଲିନ୍ ସୀମା ନିର୍ଦ୍ଧାରଣ ନେଇ ଦୁଇଦିନ ତଳେ ଏକ ସର୍ବଦଳୀୟ ବୈଠକ ମଧ୍ୟ କରିଥିଲେ। ଦକ୍ଷିଣ ରାଜ୍ୟଗୁଡ଼ିକର ଅଧିକାର ପ୍ରତି କେନ୍ଦ୍ର ସରକାର ଯଥୋଚିତ ଗୁରୁତ୍ବ ଦେଉ ନଥିବାରୁ ଏହାର ବିରୋଧ ପାଇଁ ଷ୍ଟାଲିନ୍ ବୈଠକରେ ଆହ୍ବାନ ଦେଇଥିଲେ।
ନିକଟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଥିଲେ ଯେ ସୀମା ନିର୍ଦ୍ଧାରଣ ପ୍ରକ୍ରିୟା ତାମିଲନାଡ଼ୁ ସମେତ ଦକ୍ଷିଣରାଜ୍ୟଗୁଡ଼ିକୁ ପ୍ରଭାବିତ କରିବ ନାହିଁ। ଷ୍ଟାଲିନ୍ ଏହି ପ୍ରସଙ୍ଗରେ ଭୁଲ୍ ତଥ୍ୟ ପ୍ରଚାର ଚଳାଇଥିବା ସେ ଅଭିଯୋଗ କରିଥିଲେ। କଳ୍ପନାଜଳ୍ପନାର ଅନ୍ତ ଘଟାଇ ଶାହ କହିଥିଲେ ଯେ ପ୍ରସ୍ତାବିତ ପ୍ରକ୍ରିୟାରେ ସୀମା ନିର୍ଦ୍ଧାରଣ କରାଗଲେ ଦକ୍ଷିଣର କୌଣସି ରାଜ୍ୟର ସଂସଦୀୟ ପ୍ରତିନିଧିତ୍ୱ ହ୍ରାସ ପାଇବ ନାହିଁ। ତେବେ ରାଜନୈତିକ କାରଣରୁ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏହି ପ୍ରସଙ୍ଗରେ ଲୋକଙ୍କୁ ବିଭ୍ରାନ୍ତ କରୁଛନ୍ତି ବୋଲି ଶାହ କହିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/02/27/bLcoWtHSI5BrMvw05b2u.jpg)