ଚେନ୍ନାଇ: ଦକ୍ଷିଣ ଭାରତୀୟ ରାଜ୍ୟଗୁଡ଼ିକରେ ଜନସଂଖ୍ୟା ବୃଦ୍ଧି ହାର କମ୍ ରହିଛି। ତେଣୁ ଲୋକଙ୍କୁ ଅଧିକ ପିଲା ଜନ୍ମ ପାଇଁ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍ ଚନ୍ଦ୍ରବାବୁ ନାଇଡ଼ୁ ଗତ ସପ୍ତାହରେ ପରାମର୍ଶ ଦେଇଥିଲେ। ନାଇଡ଼ୁଙ୍କ ସ୍ବର ସହ ଏବେ ସ୍ବର ମିଳାଇଛନ୍ତି ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ୍ କେ ଷ୍ଟାଲିନ୍। ସେ ମଧ୍ୟ ତାଙ୍କ ରାଜ୍ୟର ଲୋକଙ୍କୁ ଅଧିକ ପିଲା ଜନ୍ମ କରିବା ପାଇଁ କହିଛନ୍ତି। ଚେନ୍ନାଇଠାରେ ଆୟୋଜିତ ଏକ ବିବାହ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଷ୍ଟାଲିନ୍ ଏକ ପୁରୁଣା ତାମିଲ ବିବୃତି ଉଦ୍ଧାର କରିଥିଲେ ଯାହାର ଅର୍ଥ ଥିଲା ଲୋକଙ୍କ ନିକଟରେ ୧୬ଟି ବିଭିନ୍ନ ପ୍ରକାର ସଂପତ୍ତି ରହିବା ଆବଶ୍ୟକ। ସେଗୁଡ଼ିକ ମଧ୍ୟରେ ଖ୍ୟାତି, ଶିକ୍ଷା, ବଂଶ, ସଂପତ୍ତି ଆଦି ଅନ୍ୟତମ। କିନ୍ତୁ ୧୬ ପିଲା ନୁହେଁ। ପର୍ଯ୍ୟାୟକ୍ରମେ ଲୋକମାନେ ସମୃଦ୍ଧି ପାଇଁ ଛୋଟ ପରିବାର ଉପରେ ଗୁରୁତ୍ବ ଦେଉଛନ୍ତି। କିନ୍ତୁ ଆଜି ଲୋକସଭା ନିର୍ବାଚନ ମଣ୍ଡଳୀ ସଂଖ୍ୟା କମିବା ପରିସ୍ଥିତି ସୃଷ୍ଟି ହୋଇଛି। ତେଣୁ ଆମେ କାହିଁକି ଅଳ୍ପ ପିଲାରେ ସୀମିତ ରହିବା ବୋଲି ପ୍ରଶ୍ନ ଉଠିଛି। ଆମେ କାହିଁକି ୧୬ ଜଣ ପିଲା ଜନ୍ମ କରିବା ଲକ୍ଷ୍ୟ ନରଖିବା ବୋଲି ଷ୍ଟାଲିନ୍ ମତ ଦେଇଛନ୍ତି।
ଉଲ୍ଲେଖଯୋଗ୍ୟ, ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ନାଇଡ଼ୁ କହିଥିଲେ ଯେ ରାଜ୍ୟରେ ବୟସ୍କ ଲୋକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ତେଣୁ ରାଜ୍ୟ ସରକାର ଅଧିକ ପିଲା ଜନ୍ମ ପାଇଁ ପରିବାରଗୁଡ଼ିକୁ ପ୍ରୋତ୍ସାହନ ଦେବାକୁ ଯୋଜନା କରୁଛନ୍ତି। ଦକ୍ଷିଣ ଭାରତୀୟ ରାଜ୍ୟଗୁଡ଼ିକର ଲୋକଙ୍କୁ ମଧ୍ୟ ସେ ଅଧିକ ପିଲା ଜନ୍ମ ପାଇଁ ପରାମର୍ଶ ଦେଇଥିଲେ। ଲୋକସଭା ନିର୍ବାଚନମଣ୍ଡଳୀଗୁଡ଼ିକର ପୁନର୍ଗଠନ କରିବା ଲାଗି କେନ୍ଦ୍ର ସରକାର ବିଚାର କରୁଛନ୍ତି ବୋଲି ରିପୋର୍ଟ ଆସିବା ପରେ ଦକ୍ଷିଣ ଭାରତୀୟ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀ ଏଭଳି ମନ୍ତବ୍ୟ ଦେଇଛନ୍ତି। ନାଇଡ଼ୁ କହିଥିଲେ ଦକ୍ଷିଣ ଭାରତୀୟ ରାଜ୍ୟଗୁଡ଼ିକରେ ବୟସ୍କ ଲୋକଙ୍କ ସଂଖ୍ୟା ବଢ଼ୁଛି। ତେଣୁ ଲୋକମାନେ ଅଧିକ ପିଲା ଜନ୍ମ କରିବାକୁ ସେ ପରାମର୍ଶ ଦେଇଥିଲେ। ଏପରିକି ରାଜ୍ୟ ସରକାର ଏକ ନିୟମ ଆଣିବା ଲାଗି ଯୋଜନା କରୁଛନ୍ତି। ତାହା ହେଲା ଯେଉଁମାନଙ୍କର ଦୁଇରୁ ଅଧିକ ପିଲା ଥିବେ ସେମାନେ ସ୍ଥାନୀୟ ନିର୍ବାଚନରେ ଭାଗ ନେଇପାରିବେ। ପୂର୍ବରୁ ଦୁଇରୁ ଅଧିକ ପିଲା ଥିଲେ ସ୍ଥାନୀୟ ନିର୍ବାଚନ ଲୋକମାନେ ଲଢ଼ି ପାରୁ ନଥିବା ନେଇ ନିୟମ ରହିଛି। ୨୦୪୭ ମସିହା ପର୍ଯ୍ୟନ୍ତ ଆମ ନିକଟରେ ଜନସଂଖ୍ୟାଜନିତ ଲାଭ ରହିଥିଲେ ମଧ୍ୟ ଆନ୍ଧ୍ରପ୍ରଦେଶ ସମେତ ଦକ୍ଷିଣ ଭାରତରେ ବୟସ୍କ ଲୋକଙ୍କ ସଂଖ୍ୟା ବଢ଼ିବାର ଲକ୍ଷଣ ଦେଖାଦେଇଛି। ଜାପାନ, ଚୀନ ଏବଂ କେତେକ ୟୁରୋପୀୟ ଦେଶ ଏହି ସମସ୍ୟା ଦେଇ ଗତି କରୁଛନ୍ତି। ଦକ୍ଷିଣ ଭାରତରେ ଲୋକମାନେ ଦେଶବିଦେଶର ଅନ୍ୟ ସ୍ଥାନକୁ ଚାଲିଯାଉଥିବାରୁ ବୟସ୍କ ଲୋକଙ୍କ ସଂଖ୍ୟା ବୃଦ୍ଧି ଜନିତ ସମସ୍ୟା ଦେଖାଦେଇଛି ବୋଲି ନାଇଡ଼ୁ କହିଛନ୍ତି।
ଦକ୍ଷିଣ ଭାରତୀୟ ରାଜ୍ୟଗୁଡ଼ିକରେ ପ୍ରଜନନ ହାର ୧.୬କୁ ହ୍ରାସ ପାଇଛି। ଜାତୀୟ ହାର କିନ୍ତୁ ୨.୧ ରହିଛି। ଯଦି ଏହା ଆହୁରି ହ୍ରାସ ପାଏ ତାହେଲେ ୨୦୪୭ ସୁଦ୍ଧା ଦକ୍ଷିଣ ଭାରତରେ ବୟସ୍କ ଲୋକଙ୍କ ସଂଖ୍ୟା ଆହୁରି ବଢ଼ିଯିବ। ଆନ୍ଧ୍ରପ୍ରଦେଶ ସମେତ ଦେଶର ଅନ୍ୟାନ୍ୟ ଭାଗରେ ଅବସ୍ଥିତ ଗାଁଗୁଡ଼ିକରେ କେବଳ ବୟସ୍କ ଲୋକ ରହୁଛନ୍ତି। ଯୁବବର୍ଗର ଲୋକମାନେ ସହରକୁ ପଳାଉଛନ୍ତି ବୋଲି ସେ କହିଛନ୍ତି।