ଉଦୟନିଧିଙ୍କ ଆଗମନ ଷ୍ଟାଲିନଙ୍କ ମୁଖ୍ୟମନ୍ତ୍ରୀ ସ୍ବପ୍ନରେ ଗ୍ରହଣ ଲଗାଇବ!

ଚେନ୍ନାଇ: ତାମିଲନାଡୁର ମୁଖ୍ୟମନ୍ତ୍ରୀ ହେବା ପାଇଁ ଜୀବନ ତମାମ ଲକ୍ଷ୍ୟ ରଖିଥିବା ଦ୍ରାବିଡ଼ ମୁନ୍ନେତ୍ରା ଖାଜଗମ୍‌(ଡିଏମ୍‌କେ) ମୁଖ୍ୟ ଏମ୍‌କେ ଷ୍ଟାଲିନ୍‌ଙ୍କୁ ହିଁ ଆଗାମୀ ୨୦୨୧ ନିର୍ବାଚନ ଯୁଦ୍ଧ ସାମନା କରିବାକୁ ପଡ଼ିବ। ଅପରପକ୍ଷେ, ତାଙ୍କର ଏହି ଜୀବନବ୍ୟାପୀ ସ୍ବପ୍ନ ସାଙ୍ଗକୁ ଆଗାମୀ ନିର୍ବାଚନରେ ମଧ୍ୟ ନିଜର ରାଜନୀତି ଆକାଂକ୍ଷୀ ଅଭିନେତା ପୁଅ ଉଦୟନିଧିଙ୍କର ସୁଗମ ରାଜନୀତି ପ୍ରବେଶ କରାଇବାର ମନସ୍କାମନା ରହିଛି। ଦୀର୍ଘ ନଅ ବର୍ଷ ହେଲା ୨୦୧୧ ମସିହା ପରଠାରୁ ଶାସନ କ୍ଷମତା ଠାରୁ ଦୂରରେ ରହିଥିବା ଡିଏମ୍‌କେ ପାଇଁ ଏହି ନିର୍ବାଚନ କର ବା ମର ସ୍ଥିତି ଆଣିବ। ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ଉଦୟନିଧିଙ୍କ ଆବିର୍ଭାବ ଉପରେ ମନୋନିବେଶ କରିବା ଦଳ ପାଇଁ ଘାତକ ସାବ୍ୟସ୍ତ ହେବ ବୋଲି ଷ୍ଟାଲିନ୍‌ଙ୍କ ରାଜନୀତି ପରାମର୍ଶଦାତାମାନେ ଆଶଙ୍କା ପ୍ରକଟ କରୁଛନ୍ତି। କାରଣ ତାହା ଡିଏମ୍‌କେ ବିରୋଧରେ ପରିବାରବାଦର ଅପବାଦ ଲଦିଦେବ ବୋଲି ସେମାନଙ୍କର ମତ। ଏପରିକି ଉଦୟନିଧିଙ୍କ ରାଜନୀତି ଅଭିଳାଷକୁ ବର୍ତ୍ତମାନ ପାଇଁ ଟାଳିଦେବା ପାଇଁ ହିତୈଷୀମାନେ ପ୍ରସ୍ତାବ ରଖିଛନ୍ତି। ତେବେ ନିଜ ପ୍ରଯୋଜିତ ତାମିଲ ଚଳଚ୍ଚିତ୍ରମାନଙ୍କରେ ନାୟକ ହେବାର ଅନଧିକାର ଚର୍ଚ୍ଚାରେ ବିଶ୍ବାସ ରଖୁଥିବା ଷ୍ଟାଲିନ୍‌ତନୟ ଉଦୟନିଧି କିନ୍ତୁ ଏଭଳି ବିକଳ୍ପକୁ ଗ୍ରହଣ କରିବା ଅବସ୍ଥାରେ ନାହାନ୍ତି। ଏହି ନିର୍ବାଚନରେ ନିଜକୁ ଜନମତ ପ୍ରବେଶ କରାଇ ସେ ଷ୍ଟାଲିନ୍‌ଙ୍କ ଉତ୍ତରାଧିକାରୀ ଭାବେ ଡିଏମ୍‌କେର ଭବିଷ୍ୟତର ନେତା ତଥା ହର୍ତ୍ତା କର୍ତ୍ତା ବିଧାତା ଭାବେ ଉପସ୍ଥାପିତ କରିବାକୁ ଚାହୁଛନ୍ତି।

ଚେନ୍ନାଇରେ ଡିଏମ୍‌କେର ଗଡ଼ ଭାବେ ପରିଚିତ ସୈଦାପେଟ କିମ୍ବା ଥାଉଜାଣ୍ଡ୍‌ ଲାଇଟ୍‌ସ ଆସନରୁ ଦଳ ପକ୍ଷରୁ ଉଦୟନିଧିଙ୍କୁ ପ୍ରାର୍ଥୀ କରାଯାଇପାରେ। ତେବେ ଏପରି ହେଲେ ବିରୋଧୀମାନେ ଡିଏମ୍‌କେକୁ ପରିବାର ରାଜନୀତିର ଶିକାର ହେଲା ବୋଲି ଆକ୍ଷେପ କରି ତାହା ନିଜର ହିନ୍ଦୁତ୍ବବିରୋଧୀ ଆଦର୍ଶବୋଧରୁ ଓହରିଗଲା ବୋଲି ପ୍ରଚାର କରିବାକୁ ମଉକା ପାଇଯିବେ। ଉଲ୍ଲେଖଯୋଗ୍ୟ, ତାମିଲନାଡୁରେ କରୁଣାନିଧି ଓ ଜୟଲଳିତାଙ୍କ ଭଳି ନେତୃତ୍ବର ଅବର୍ତ୍ତମାନରେ ରାଜ୍ୟରେ ଏକ ସଦ୍ୟ ଆରମ୍ଭ ହେବାକୁ ଯାଉଛି ଯେଉଁଥିରେ ପରିବାରବାଦ ପ୍ରତି ଅନାଗ୍ରହ ରହିବାଟା ସ୍ବାଭାବିକ, ସୁତରାଂ ଏହାଦ୍ବାରା ଡିଏମ୍‌କେର ବିଶ୍ବସନୀୟତା ଦୁର୍ବଳ ହେବା ନିଶ୍ଚୟ। ଏ ପରିପ୍ରେକ୍ଷୀରେ ପିତା ଷ୍ଟାଲିନ୍‌ଙ୍କ ବାଧ୍ୟବାଧକତାକୁ ଅନୁଭବ କରି ପୁତ୍ର ଉଦୟନିଧି ପଛକୁ ଫେରିଯିବେ କି ବୋଲି ପ୍ରଶ୍ନ ଉଠିଛି। ମାତ୍ର ଏ ଦିଗରେ ଇତିହାସ ଭିନ୍ନ କଥା କହୁଛି। ୨୦୦୯ ମସିହାରେ ଡିଏମ୍‌କେ କ୍ଷମତାକୁ ଷ୍ଟାଲିନ୍‌ଙ୍କ ଚରମ ଅଭ୍ୟୁଦୟ ତାଙ୍କର ଅହଂକାର ଏବଂ ପିତା କରୁଣାନିଧିଙ୍କ ଉପରେ ଥିବା ନିୟନ୍ତ୍ରଣକୁ ଭିତ୍ତି କରି ସଂଘଟିତ ହୋଇଥିଲା। ଏପରିକି ପ୍ରାଥମିକ ଅବସ୍ଥାରେ ମଧ୍ୟ ଅନେକ ଶକ୍ତିଶା​ଳୀ ନେତାଙ୍କୁ ଦଳ ହରାଇବା ସତ୍ତ୍ବେ ଷ୍ଟାଲିନ୍‌ ତାଙ୍କ ରାଜନୈତିକ ଅଭିଳାଷ ସହ ଆଦୌ ସାଲିସ କରିନଥିଲେ। ୧୯୯୦ ମସିହାରେ ଭାଇକୋ ଦଳଛାଡ଼ିବା ଏବଂ ପରେ ଅନେକ ନେତା ଅନୁରୂପ ପନ୍ଥା ଆପଣେଇବା ତାହାର ଉଦାହରଣ। ତେଣୁ ୨୦୨୧ରେ ପୁତ୍ର ଉଦୟନିଧିଙ୍କୁ ସୁଯୋଗ ଦେଇ ଷ୍ଟାଲିନ ଇତିହାସର ପୁନରାଦୃତ୍ତି କରିବେନି ତ!

ସମ୍ବନ୍ଧିତ ଖବର