ଚେନ୍ନାଇ: ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍କେ ଷ୍ଟାଲିନ ମଙ୍ଗଳବାର ବିଧାନସଭାରେ ଘୋଷଣା କରିଛନ୍ତି ଯେ ରାଜ୍ୟପାଳଙ୍କ ସହ ବିବାଦ ବଢ଼ୁଥିବାରୁ ରାଜ୍ୟର ସ୍ୱୟଂଶାସନ ପାଇଁ ପଦକ୍ଷେପ ସୁପାରିସ କରିବା ଲାଗି ଏକ ପ୍ୟାନେଲ ଗଠନ କରାଯାଇଛି। ସୁପ୍ରିମ୍କୋର୍ଟର ପୂର୍ବତନ ବିଚାରପତି କୁରିଆନ ଜୋସେଫ ଏବଂ ପୂର୍ବତନ ଆଇଏଏସ୍ ଅଫିସର ଅଶୋକ ବର୍ଦ୍ଧନ ସେଟ୍ଟୀ ଓ ମୁ ନାଗରାଜନ୍ ଏହି କମିଟିର ନେତୃତ୍ୱ ନେବେ। ତେବେ ଏହା ଏକ ଅତ୍ୟନ୍ତ ବିବାଦୀୟ ପଦକ୍ଷେପ ଏବଂ କେନ୍ଦ୍ରର ପ୍ରଭାବକୁ ଗୌଣ କରିବା ପାଇଁ ରାଜ୍ୟ ସରକାରଙ୍କ ଏକ ଯୋଜଜାବଦ୍ଧ ପ୍ରୟାସ ବୋଲି ରାଜ୍ୟ ବିରୋଧୀ ଦଳ ନେତାମାନେ ଦାବି କରିଛନ୍ତି।
ଶାସକ ଡିଏମ୍କେ କହିଛି ଯେ ଷ୍ଟାଲିନଙ୍କ ଏହି ପଦକ୍ଷେପର ଉଦ୍ଦେଶ୍ୟ ହେଉଛି ରାଜ୍ୟକୁ ଅଧିକ କ୍ଷମତା ଦେବା ଏବଂ କେନ୍ଦ୍ର ସହିତ ସମ୍ପର୍କକୁ ସୁଦୃଢ଼ କରିବା। ରାଜ୍ୟ ସରକାରଙ୍କୁ ଅନ୍ତରୀଣ ରିପୋର୍ଟ ପ୍ରଦାନ କରିବା ପାଇଁ କମିଟିକୁ ୨୦୨୬ ଜାନୁଆରି ପର୍ଯ୍ୟନ୍ତ ସମୟସୀମା ଦିଆଯାଇଥିବା ବେଳେ ୨୦୨୮ ସୁଦ୍ଧା ସମ୍ପୂର୍ଣ୍ଣ ରିପୋର୍ଟ ପ୍ରଦାନ କରାଯିବ ବୋଲି ଆଶା କରାଯାଉଛି।
ତାମିଲନାଡ଼ୁ ବିଧାନସଭାକୁ ସମ୍ବୋଧିତ କରି ଷ୍ଟାଲିନ୍ କହିଛନ୍ତି, ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ସମ୍ପର୍କ ସୁଦୃଢ଼ କରିବା ପାଇଁ ଏହି କମିଟି ଗବେଷଣା କରି ସୁପାରିସ ଦେବ। ରାଜ୍ୟର ଆଇନଗତ ବିଷୟଗୁଡ଼ିକୁ କିପରି ପୁନରୁଦ୍ଧାର କରାଯାଇପାରିବ ସେ ନେଇ ମଧ୍ୟ ଷ୍ଟାଲିନ୍ କମିଟିକୁ ଅନୁଧ୍ୟାନ କରିବାକୁ କହିଛନ୍ତି। ରାଜ୍ୟ ତାଲିକାରୁ ଆସିଥିବା ବିଷୟଗୁଡ଼ିକୁ ସମାନ୍ତରାଳ ତାଲିକାକୁ ସ୍ଥାନାନ୍ତର କରିବା ପାଇଁ କମିଟି ଆଇନ ଅନୁଯାୟୀ ଅଧ୍ୟୟନ କରିବ ବୋଲି ସେ କହିଛନ୍ତି। ଏମ୍କେ ଷ୍ଟାଲିନ୍ ନିଟ୍ ପରୀକ୍ଷା ଓ ହିନ୍ଦୀ ଚାପ କଥା ମଧ୍ୟ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି ଯେ କେନ୍ଦ୍ର ଜାତୀୟ ଶିକ୍ଷା ନୀତି ମାଧ୍ୟମରେ ହିନ୍ଦୀ ଭାଷା ଲାଗୁ କରିବାକୁ ଚେଷ୍ଟା କରୁଛି। ସେ ଦାବି କରିଛନ୍ତି ଯେ ଯେହେତୁ ତାମିଲନାଡ଼ୁ ଏନ୍ଇପିକୁ ପ୍ରତ୍ୟାଖ୍ୟାନ କରିଛି, ତେଣୁ କେନ୍ଦ୍ର ୨,୫୦୦ କୋଟି ଟଙ୍କାର ରାଜ୍ୟ ପାଣ୍ଠିକୁ ଅଟକାଇ ଦେଇଛି। ତାମିଲନାଡ଼ୁ ରାଜ୍ୟପାଳ ଆର୍ଏନ୍ ରବିଙ୍କ ସହ ଏମ୍କେ ଷ୍ଟାଲିନଙ୍କ ମଧ୍ୟରେ ଲଗାତାର ବିବାଦ ଲାଗି ରହିଛି। ରାଜ୍ୟପାଳ ଆର୍ଏନ୍ ରବିଙ୍କ ବିରୋଧରେ ସୁପ୍ରିମ୍କୋର୍ଟରେ ତାଙ୍କର ବଡ଼ ବିଜୟ ପରେ ତାଙ୍କର ସଦ୍ୟତମ ମନ୍ତବ୍ୟ ଓ ରାଜ୍ୟକୁ ଅଧିକ କ୍ଷମତା ପାଇଁ ଆହ୍ୱାନ ଦିଆଯାଇଛି।