ନୂଆଦିଲ୍ଲୀ : ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ୍କେ ଷ୍ଟାଲିନ ମନ୍ତ୍ରୀ ସେନ୍ଥିଲ ବାଲାଜୀଙ୍କ ଗିରଫକୁ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ କହିଛନ୍ତି ଏବଂ ଡିଏମ୍କେକୁ ଉତ୍ତେଜିତ ନକରିବାପାଇଁ ବିଜେପିକୁ ଚେତାବନୀ ଦେଇଛନ୍ତି।
ଷ୍ଟାଲିନ କହିଛନ୍ତି, ଆମକୁ ଉତ୍ତେଜିତ କରନା। ଏହା ଧମକ ନୁହେଁ ବରଂ ଏହା ଚେତାବନୀ। ୧୦ ବର୍ଷର ପୁରୁଣା ମାମଲାରେ ବାଲାଜୀଙ୍କୁ ତରବରିଆ ଭାବେ ଗିରଫ କରିବାକୁ ନେଇ ଷ୍ଟାଲିନ ପ୍ରଶ୍ନ ଉଠାଇଛନ୍ତି। ଷ୍ଟାଲିନ କହିଛନ୍ତି, ମୁଁ ତଦନ୍ତକୁ ଭୁଲ୍ କହୁନାହିଁ। କିନ୍ତୁ ସେ ଜଣେ ସାଧାରଣ ଲୋକ ନୁହନ୍ତି। ସେ ୫ ଥର ବିଧାୟକ ହୋଇଛନ୍ତି ଏବଂ ଦ୍ବିତୀୟ ଥର ପାଇଁ ମନ୍ତ୍ରୀ ହୋଇଛନ୍ତି। ତାଙ୍କୁ କାହିଁକି ଆତଙ୍କବାଦୀ ଭଳି ପ୍ରଶ୍ନ କରାଯାଉଛି। ଷ୍ଟାଲିନ କହିଛନ୍ତି, ସେନ୍ଥିଲ ବାଲାଜୀ ସହଯୋଗ କରିବାପାଇଁ ରାଜି ହୋଇଥିଲେ ସୁଦ୍ଧା ଇଡି ତାଙ୍କ ଉପରେ ପ୍ରବଳ ଚାପ ପକାଇଥିଲା। ଫଳରେ ତାଙ୍କ ଛାତିରେ ଯନ୍ତ୍ରଣା ହେଲା ଏବଂ ସେ ହସ୍ପିଟାଲରେ ଭର୍ତ୍ତି ହେଲେ। ଷ୍ଟାଲିନ କହିଛନ୍ତି, ଇଡି, ସିବିଆଇ ଏବଂ ଆୟକର ବିଭାଗ ଦ୍ବାରା ହୋଇଥିବା ଚଢ଼ଉ କିଛି ନୁହେଁ ବରଂ ଏହା ଯେଉଁମାନେ ବିଜେପିକୁ ବିରୋଧ କରୁଛନ୍ତି ସେମାନଙ୍କ ବିରୋଧରେ ଏହା ଏକ ଷଡ଼ଯନ୍ତ୍ର। ଯେଉଁମାନେ ବିଜେପିକୁ ବିରୋଧ କରନ୍ତି ସେମାନଙ୍କୁ ବିଜେପି ଧମକାଇବା ଏକ ଅଭ୍ୟାସରେ ପରିଣତ ହୋଇଯାଇଛି। ଏହା ସମ୍ପୂର୍ଣ୍ଣ ଭାବେ ଅଗଣତାନ୍ତ୍ରିକ ବୋଲି ସେ କହିଛନ୍ତି।