ଇଣ୍ଡୋନେସିଆରେ ଫୁଟବଲ ମ୍ୟାଚ ପରେ ସଂଘର୍ଷ, ଦଳାଚକଟାରେ ୧୨୭ ମୃତ, ୧୮୦ ଆହତ

ଜାକର୍ତ୍ତା : ଦୁଇ ଫୁଟବଲ୍ ଟିମର ସମର୍ଥକଙ୍କ ମଧ୍ୟରେ ହାରଜିତକୁ ନେଇ ହିଂସାକାଣ୍ଡ ହେବାରୁ ଦଳାଚକଟା ଘଟି ଇଣ୍ଡୋନେସିଆର ପୂର୍ବଜାଭା ପ୍ରଦେଶରେ ୧୨୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୮୦ ଜଣ ଆହତ ହୋଇଥିବା ଜଣାପଡ଼ିଛି। ସ୍ଥାନୀୟ ପୁଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ପୂର୍ବଜାଭାର ମଲାଙ୍ଗ ରିଜେନ୍ସିଠାରେ ଜାଭାର ଦୁଇ ଫୁଟବଲ୍ କ୍ଲବ ଅରେମା ଓ ପର୍ସେବାୟା ସୁରବାୟା ମଧ୍ୟରେ ଫୁଟବଲ୍ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ଆରେମା କ୍ଲବର ପରାଜୟ ପରେ ଦୁଇ ଦଳର ସମର୍ଥକଙ୍କ ମଧ୍ୟରେ ବାକଯୁଦ୍ଧ ଓ ପରେ ଗଣ୍ଡଗୋଳ ସୃଷ୍ଟି ହୋଇଥିଲା। ଏହାଫଳରେ ଦଳଚକଟା ହୋଇ ୧୨୭ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ଆସିଛି।

ସାମ୍ବାଦିକମାନଙ୍କୁ ପୂର୍ବ ଜାଭା ପୁଲିସ ମୁଖ୍ୟ ନିକୋ ଆଫିଣ୍ଟା କହିଛନ୍ତି, ଗତ ରାତିରେ ମ୍ୟାଚ୍ ଶେଷ ହେବା ପରେ ପରାଜିତ ଦଳ ‘ଆରେମା’ର ସମର୍ଥକମାନେ ଫୁଟ୍‌ବଲ ପଡ଼ିଆ ମଧ୍ୟକୁ ଧଷେଇ ପଶିଥିଲେ। ସେମାନଙ୍କୁ ଘଉଡ଼ାଇବାକୁ ପୁଲିସ ଲୁହବୁହା ବାଷ୍ପ ପ୍ରୟୋଗ କରିବାରୁ ଦଳାଚକଟା ଓ ଶ୍ବାସରୁଦ୍ଧ ହେବା ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା।

Image Courtesy of NDTV

ଇଣ୍ଡୋନେସିଆର କ୍ରୀଡ଼ାମନ୍ତ୍ରୀ ଜୈନୁଦିନ୍‌ ଅମାଲି ସମ୍ବାଦ ସରବରାହ ସଂସ୍ଥାନ ‘ରଏଟର୍ସ’କୁ କହିଛନ୍ତି ଯେ, କର୍ତ୍ତୃପକ୍ଷମାନେ ଫୁଟ୍‌ବଲ୍‌ ମ୍ୟାଚରେ ନିରାପତ୍ତା ବ୍ୟବସ୍ଥାର ପୁନଃ ସମୀକ୍ଷା କରିବେ। ଦଳାଚକଟା ଯୋଗୁଁ ୧୨୭ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟିବା ପରେ ଆଉ ଦର୍ଶକମାନଙ୍କୁ ପଡ଼ିଆକୁ ଛାଡ଼ିବେ ନାହିଁ।

‘ଫୁଟ୍‌ବଲ୍‌ ଆସୋସିଏସନ୍‌ ଅଫ୍‌ ଇଣ୍ଡୋନେସିଆ’ (ପିଏସ୍ଏସ୍‌ଆଇ) ବିବୃତି ଦେଇ କହିଛି, ପର୍ସେବାୟା ୩-୨ରେ ବିଜୟ ହାସଲ କରିବା ପରେ  ଇଣ୍ଡୋନେସିଆର ଶ୍ରେଷ୍ଠ ଲିଗ୍‌ ‘ବିଆର୍‌ଆଇ ଲିଗା ୧’ ସପ୍ତାହକ ପାଇଁ ବାକି ମ୍ୟାଚ୍‌ ବାତିଲ କରିଛି ଓ ଘଟଣା ସଂକ୍ରାନ୍ତରେ ତଦନ୍ତ ଆରମ୍ଭ ହୋଇଛି।

ସମ୍ବନ୍ଧିତ ଖବର