ଦୂରେଇ ଠିଆ ହୁଅନ୍ତୁ: ଗ୍ରାହକମାନଙ୍କୁ ଦୋକାନୀ ଶିଖାଉଛନ୍ତି ସାମାଜିକ ଦୂରତା

ନୂଆଦିଲ୍ଲୀ: ବୁଧବାରଠାରୁ ସମଗ୍ର ଦେଶରେ ଲକଡାଉନ୍ ଘୋଷଣା ହେବା ପରେ ସଉଦାପତ୍ର କିଣିବାକୁ ଲୋକମାନେ ଦୋକାନରେ ଗହଳି ଲଗାଇଛନ୍ତି । ଗହଳି ନିୟନ୍ତ୍ରଣ କରିବାକୁ କେତେକ ଦୋକାନୀ ଗ୍ରାହକମାନଙ୍କୁ ପରସ୍ପରଠାରୁ ଦୂରେଇ ଠିଆହେବା, ମାସ୍କ୍ ପିନ୍ଧି ଧାଡ଼ି ବାନ୍ଧିବା ଏବଂ ସାନିଟାଇଜର୍ ବ୍ୟବହାର କରିବା କଥା କହୁଛନ୍ତି ।

Image Source: India Today

ଗ୍ରାହକମାନଙ୍କୁ ପରସ୍ପରଠାରୁ ଗୋଟିଏ ମିଟର ଦୂରତାରେ ଠିଆ କରିବାକୁ ଦୋକାନ ସାମ୍ନାରେ ସ୍ଥାନ ମଧ୍ୟ ନିରୂପଣ କରାଯାଇଛି । ତେଜରାତି ଏବଂ ଅନ୍ୟ ଦୋକାନ ଆଗରେ ଗୁଜରାଟ ପ୍ରଶାସନ ଗ୍ରାହକମାନଙ୍କ ଲାଗି ତଳେ ମୁଣ୍ଡୁଳା ବୁଲାଇ ସ୍ଥାନ ନିରୂପଣ କରିଛି । ଗ୍ରାହକମାନଙ୍କ ମଧ୍ୟରେ ବ୍ୟବଧାନ ଏବଂ ପରିଚ୍ଛନ୍ନତା ସକାଶ ପୁଣେର ତେଜରାତି ଦୋକାନଗୁଡ଼ିକରେ ମଧ୍ୟ ବ୍ୟବସ୍ଥା କରାଯାଇଛି । ଭୟାବହ କରୋନାଭାଇରସ୍ ଆକ୍ରାନ୍ତ ପୁଣେରେ ଦୋକାନୀମାନେ ଦୋକାନର କାଚ ପାନେଲଗୁଡ଼ିକରେ ସାବୁନପାଣି ସ୍ପ୍ରେ କରୁଛନ୍ତି । ଦୋକାନକୁ ଆସିଥିବା ଗ୍ରାହକମାନଙ୍କୁ ସାନିଟାଇଜର୍ ଦେଉଛନ୍ତି । ସେମାନଙ୍କୁ ମାସ୍କ ପିନ୍ଧିବାକୁ ନିବେଦନ କରୁଛନ୍ତି ।

Image Source: MSN

ଗତ ମଧ୍ୟରାତ୍ରୀରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମଗ୍ର ଦେଶରେ ୨୧ଦିନିଆ ଲକଡାଉନ୍ ଘୋଷଣା କରିଥିଲେ ମଧ୍ୟ ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନ ସବୁ ଖୋଲା ରହିବ ବୋଲି କହିଥିଲେ । ଏହା ସତ୍ତ୍ୱେ ଲୋକେ ବ୍ୟାକୁଳ ହୋଇ ଜିନିଷପତ୍ର ଖରିଦ କରିବାକୁ ଦୋକାନ ସାମ୍ନାରେ ଗହଳି ଲଗାଉଥିବାର ଦେଖାଯାଉଛି ।

ସମ୍ବନ୍ଧିତ ଖବର