ନୂଆଦିଲ୍ଲୀ: ଦିଲ୍ଲୀ ମେୟର ଏବଂ ଉପମେୟର ନିର୍ବାଚନ ଗତକାଲି ସୁରୁଖୁରୁରେ ହୋଇଥିଲା। କିନ୍ତୁ ୬ ଷ୍ଟାଣ୍ଡିଂ କମିଟି ସଦସ୍ୟ ନିର୍ବାଚନକୁ ନେଇ ବିଜେପି ଏବଂ ଆପ୍ ମଧ୍ୟରେ ଗତ ରାତି ସଂଘର୍ଷ ଓ ହଟ୍ଟଗୋଳ ହୋଇଛି। ଆଜି ସକାଳ ପର୍ଯ୍ୟନ୍ତ ନିର୍ବାଚନ ହୋଇପାରିନଥିଲା। ଫଳରେ ଆସନ୍ତା ଶୁକ୍ରବାର ସକାଳ ୧୦ଟା ପର୍ଯ୍ୟନ୍ତ ଗୃହ ମୁଲତବୀ ରଖାଯାଇଛି। ବୁଧବାର ସକାଳ ୧୧.୩୦ ସମୟରେ ଏମ୍ସିଡି ବୈଠକ ଆରମ୍ଭ ହୋଇଥିଲା। ଏହାପରେ ମେୟର ଏବଂ ଉପମେୟର ନିର୍ବାଚନ ହୋଇଥିଲା। ଅପରାହ୍ନ ୪.୧୮ ପର୍ଯ୍ୟନ୍ତ ଗୃହରେ ସବୁ କିଛି ଠିକ୍ ଥିଲା। କିନ୍ତୁ ଷ୍ଟାଣ୍ଡିଂ କମିଟିର ୬ ସଦସ୍ୟଙ୍କ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ସହ ବିବାଦ ଆରମ୍ଭ ହୋଇଥିଲା। ଷ୍ଟାଣ୍ଡିଂ କମିଟି ଭୋଟିଂ ସମୟରେ ମୋବାଇଲ ଫୋନ୍ ବ୍ୟବହାର ପାଇଁ ମେୟର ଯେଉଁ ନିଷ୍ପତ୍ତି ନେଇଥିଲେ ସେହି ନିଷ୍ପତ୍ତି ପାଇଁ ଗୃହରେ ସଂଘର୍ଷ ଆରମ୍ଭ ହୋଇଥିଲା। ବିଜେପି ଏହି ନିଷ୍ପତ୍ତିକୁ ବିରୋଧ କରିଥିଲା। ମେୟରଙ୍କ ଉକ୍ତ ନିଷ୍ପତ୍ତି ବାଲଟ୍ (ସିକ୍ରେସି)ର ଉଲ୍ଳଂଘନ କରିବ ବୋଲି ବିଜେପି ଅଭିଯୋଗ କରିଥିଲା। ତେବେ ୪୭ ସଦସ୍ୟ ସେମାନଙ୍କ ଭୋଟ୍ ଦେବାପରେ ମେୟର ତାଙ୍କ ନିଷ୍ପତ୍ତି ପ୍ରତ୍ୟାହାର କରିନେଇଥିଲେ। କିନ୍ତୁ ବିଜେପି କାଉନସିଲରମାନେ ଏହାକୁ ଜୋରଦାର ବିରୋଧ କରିଥିଲେ। ସେମାନେ ସଦ୍ୟ ନିର୍ବାଚନ ପାଇଁ ଦାବି କରିଥିଲେ। ଏଥିସହ ୪୭ ସଦସ୍ୟଙ୍କ ଭୋଟ୍ ନାକଚ କରିବାପାଇଁ ବିଜେପି ଦାବି କରିଥିଲା। କିନ୍ତୁ ମେୟର ଏଥିରେ ରାଜି ନହେବାରୁ ପ୍ରବଳ ହଟ୍ଟଗୋଳ ଓ ଧସ୍ତାଧସ୍ତି ଆରମ୍ଭ ହୋଇଥିଲା। ସଦସ୍ୟମାନେ ପରସ୍ପରକୁ ଆକ୍ରମଣ କରିଥିଲେ।
ପ୍ରଥମ ଥର ପାଇଁ ମଧ୍ୟରାତ୍ରି ପରେ ବି ଗୃହ କାର୍ଯ୍ୟ ଜାରି ରହିଥିଲା। ୨୩ ଘଣ୍ଟା ପର୍ଯ୍ୟନ୍ତ ଗୃହ କାର୍ଯ୍ୟ ସମ୍ପାଦନ ହୋଇଥିଲା। ଗତ ରାତିସାରା ଗୃହ ୧୫ ଥର ମୁଲତବୀ ରହିଥିଲା। ପ୍ରତି ଥର ନିର୍ବାଚନ ପ୍ରକ୍ରିୟା ଆରମ୍ଭ ସମୟରେ ବିଜେପି ଏବଂ ଆପ୍ କାଉନସିଲରଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା। ସେମାନେ ପରସ୍ପରକୁ ଚାପୁଡ଼ା ମାରିବା ଏବଂ ପରସ୍ପର ସହ ଲଢ଼େଇ କରିଥିବା ଦେଖିବାକୁ ମିଳିଥିଲା। ସଦସ୍ୟମାନେ ପରସ୍ପରକୁ ବଟଲ୍ ଫୋପାଡ଼ିଥିଲେ ଏବଂ ଠେଲାପେଲା କରିଥିଲେ। ଏଥିଯୋଗୁଁ ଗୃହର ସମ୍ପତ୍ତି ମଧ୍ୟ ନଷ୍ଟ ହୋଇଛି। ମେୟର ଶେଲ୍ଲି ଓବେରୋଇ କହିଛନ୍ତି, ନିର୍ବାଚନ ପ୍ରକ୍ରିୟା ଶେଷ କରିବାପାଇଁ ଆମେ ଅନେକ ଥର ଉଦ୍ୟମ କଲୁ କିନ୍ତୁ ବିଜେପି ଆମକୁ ତାହା କରିବାପାଇଁ ଦେଲାନି। ଶୁକ୍ରବାର ସକାଳ ୧୦ଟା ପର୍ଯ୍ୟନ୍ତ ଗୃହ ମୁଲତବୀ ରଖାଯାଇଛି। କିନ୍ତୁ ଆମେ ବିଜେପି କାଉନସିଲର ରେଖା ଗୁପ୍ତା ଏବଂ ଅମିତ ନାଗପାଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ। ଉଭୟ ବିଜେପି ଏବଂ ଆପ୍ ମଧ୍ୟରାତ୍ରିରେ ସାମ୍ବାଦିକ ସମ୍ମିଳନୀ କରି ଅପ୍ରତ୍ୟାଶିତ ଘଟଣା ସଂକ୍ରାନ୍ତରେ ଅବଗତ କରିଥିଲେ।