ଅର୍ଥ ଖର୍ଚ୍ଚ କରିପାରୁନି ଓଡ଼ିଶା, କୃଷି ଓ ଡିଜିଟାଲ ଯୋଜନାରେ ପଡ଼ିରହିଛି ୬୭୦ କୋଟି

କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରାଳୟର ଷ୍ଟାଣ୍ଡିଂ କମିଟି ରିପୋର୍ଟ

ନୂଆଦିଲ୍ଲୀ : ନିର୍ଦ୍ଦିଷ୍ଟ କେତେକ ଯୋଜନା ବାବଦରେ ଆସୁଥିବା ବହୁ ପରିମାଣ ଅର୍ଥ ଖର୍ଚ୍ଚ ନହୋଇ ପଡ଼ିରହିଛି। ଓଡ଼ିଶା ସମ୍ପର୍କରେ କେନ୍ଦ୍ର ଗ୍ରାମୀଣ ବିକାଶ ଷ୍ଟାଣ୍ଡିଂ କମିଟିର ଏହି ମତ। ଷ୍ଟାଣ୍ଡିଂ କମିଟି ଯେଉଁ ରିପୋର୍ଟ ପ୍ରଦାନ କରିଛି ସେଥିରେ ଦର୍ଶାଯାଇଛି ଯେ, କୃଷି ଓ ଡିଜିଟାଲ ଯୋଜନାରେ ୬୭୦ କୋଟି ଟଙ୍କା ପଡ଼ିରହିଛି। ଓଡ଼ିଶାରେ ପ୍ରଧାନମନ୍ତ୍ରୀ କୃଷି ଯୋଜନା ବାବଦରେ ୧୧୮.୯୨ କୋଟି ଟଙ୍କା ଖର୍ଚ୍ଚ ହୋଇନଥିବାବେଳେ ଡିଜିଟାଲ ଇଣ୍ଡିଆ ଲ୍ୟାଣ୍ଡ ରେକର୍ଡସ୍ ଆଧୁନିକୀକରଣ ଯୋଜନା ବାବଦରେ ଆସିଥିବା ଅର୍ଥରୁ ୫୫୧.୦୪ କୋଟି ଟଙ୍କା ଖର୍ଚ୍ଚ ହୋଇନାହିଁ।

ରିପୋର୍ଟରେ ଦର୍ଶାଯାଇଛି ଯେ, ପ୍ରଧାନମନ୍ତ୍ରୀ କୃଷି ଯୋଜନା ଅନ୍ତର୍ଗତ ଓଡ଼ିଶାରେ ୩୧୦ଟି ପ୍ରକଳ୍ପ ମଞ୍ଜୁରି କରାଯାଇଛି। ‌େତବେ, ଗତ ଅଗଷ୍ଟ ୩୦ ସୁଦ୍ଧା ୧୩୭ଟି ପ୍ରକଳ୍ପର କ‌ାର୍ଯ୍ୟ ଶେଷ ହୋଇଥିବାବେଳେ ୧୦୭ଟି ପ୍ରକଳ୍ପ ପାଇଁ କାର୍ଯ୍ୟାଦେଶ ଦିଆଯାଇଛି। ସେହିଭଳି, ଡିଜିଟାଲ ଇଣ୍ଡିଆ ଲ୍ୟାଣ୍ଡ ରେକର୍ଡ‌୍ସ ଆଧୁନିକୀକରଣ ଯୋଜନା ଅନ୍ତର୍ଗତ ଓଡ଼ିଶାରେ ୯୦ ପ୍ରତିଶତ ଲ୍ୟାଣ୍ଡ ରେକର୍ଡସ୍ ଗୁଡ଼ିକର କମ୍ପ୍ୟୁଟରୀକରଣ କରାଯାଇଛି। କାଡାଷ୍ଟ୍ରାଲ ମ୍ୟାପ ଗୁଡ଼ିକର ୯୦ ପ୍ରତିଶତ ଡିଜିଟାଇଜେସନ୍ କାର୍ଯ୍ୟ ଶେଷ ହୋଇଛି। ରେକର୍ଡସ୍ ଅଫ୍ ରାଇଟ୍ସ ସହିତ କାଡାଷ୍ଟାଲ ମ୍ୟାପ୍‌ ଗୁଡ଼ିକର ସମନ୍ବିତ କାର୍ଯ୍ୟ ୯୦ ପ୍ରତିଶତ ଶେଷ କରାଯାଇଛି। ଏତଦ୍‌ବ୍ୟତୀତ କମ୍ପ୍ୟୁଟରୀକରଣର ପଞ୍ଜୀକରଣ କାର୍ଯ୍ୟ ୯୦ ପ୍ରତିଶତ ତଥା ଲ୍ୟାଣ୍ଡ ରେକର୍ଡସ୍ ସହିତ ପଞ୍ଜୀକରଣର ସମନ୍ବିତ କାର୍ଯ୍ୟ ୯୦ ପ୍ରତିଶତ ଶେଷ ହୋଇଥିବା ରିପୋର୍ଟରେ କୁହାଯାଇଛି। ରିପୋର୍ଟରେ ଡିଜିଟାଲ ଇଣ୍ଡିଆ ରେକର୍ଡସ୍ ଆଧୁନିକୀକରଣ କାର୍ଯ୍ୟରେ ରାଜ୍ୟମାନଙ୍କ ଦ୍ବାରା ସର୍ଭେ ଓ ପୁନଃସର୍ଭେ ଅନ୍ତର୍ଗତ ଅର୍ଥରାଶି ଖର୍ଚ୍ଚର ଉପଯୋଗ ହୋଇପାରିନାହିଁ। ଏହିସବୁ କାର୍ଯ୍ୟ ବୈଷୟିକ କାର୍ଯ୍ୟଜନିତ ହୋଇଥିବାରୁ ଅଧିକ ପରିମାଣରେ ଦକ୍ଷ ମାନବ ସମ୍ବଳର ଆବଶ୍ୟକତା ରହିଥିବା ରିପୋର୍ଟରେ ଦର୍ଶାଯାଇଛି।

ପ୍ରତାପ ରାଓ ଯାଦବଙ୍କ ଅଧ୍ୟକ୍ଷତାରେ ଗଠିତ ଗ୍ରାମୀଣ ବିକାଶ ମନ୍ତ୍ରାଳୟର ଷ୍ଟାଣ୍ଡିଂ କମିଟି ରିପୋର୍ଟରେ ମନ୍ତ୍ରାଳୟ ଅନ୍ତର୍ଗତ ମନରେଗା ଯୋଜନାର କାର୍ଯ୍ୟକାରିତା ସମ୍ପର୍କିତ ରାଜ୍ୟମାନଙ୍କର ବିବରଣୀ ମଧ୍ୟ ପ୍ରଦାନ କରାଯାଇଛି। ୨୦୧୭-୧୮ରେ ଓଡ଼ିଶାରେ ମନରେଗା ଅନ୍ତର୍ଗତ ୨୫୬୮୨୪୮ ପରିବାରକୁ କାମ ପାଇଁ ଦାବି କରିଥିବାବେଳେ ୨୩୦୬୬୭୮ ଜଣଙ୍କୁ କାମ ଦିଆଯାଇଥିଲା। ୨୦୧୮-୧୯ରେ ୨୩୭୫୩୩୫ ପରିବାରରୁ ୨୧୪୯୪୬୮ ଜଣଙ୍କୁ ତଥା ୨୦୧୯-୨୦ ସେପ୍ଟେମ୍ବର ୩୦ ସୁଦ୍ଧା ୧୫୭୪୫୪୬ ପରିବାରରୁ ୧୩୦୮୮୭୬ ଜଣଙ୍କୁ ନିଯୁକ୍ତି ଦିଆଯାଇଥିଲା ବୋଲି ରିପୋର୍ଟରେ ଉଲ୍ଲେଖ ଅଛି। ସେହିଭଳି ୨୦୧୬-୧୭ରେ ୨୪୩୫୨୪, ୨୦୧୭-୧୮ରେ ୩୬୫୯୫୧, ୨୦୧୮-୧୯ରେ ୨୦୭୧୨୨ ଓ ୨୦୧୯-୨୦ରେ ୬୫୫୭୬୧୧ ଜଣଙ୍କୁ ଜବ୍‌କାର୍ଡ ଜାରି କରାଯାଇଥିଲା।

ମନରେଗା ଯୋଜନା ଅନ୍ତର୍ଗତ ଓଡ଼ିଶାରେ ଅକ୍ଟୋବର ୧୫, ୨୦୧୯ ସୁଦ୍ଧା ୪ଟି ଦୁର୍ନୀତି ମାମଲା ବିଚା‌ରାଧୀନ ରହିଥିବା ରିପୋର୍ଟରେ କହୁଯାଇଛି। ଏତଦ୍‌ବ୍ୟତୀତ ରିପୋର୍ଟରେ ରାଜ୍ୟରେ ୩୦ଟି ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ର ଥିବା ରିପୋର୍ଟରେ କୁହାଯାଇଛି। ଦୀନ ଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଳ ଯୋଜନା ଅନ୍ତର୍ଗତ ୨୦୧୨ରୁ ସେପ୍ଟେମ୍ବର ୨୦୧୯ ସୁଦ୍ଧା ରାଜ୍ୟରେ ୧୯୬୬୬୯ ଜଣଙ୍କୁ ପ୍ରଶିକ୍ଷଣ ଦିଆଯିବା ପରେ ସେପ୍ଟେମ୍ବର ୨୦୧୯ ସୁଦ୍ଧା ୧୬୨୬୪୪ ଜଣଙ୍କର ନିଯୁକ୍ତି ହୋଇଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ସେହିଭଳି ରିପୋର୍ଟରେ ଗତ ୪ ବର୍ଷରେ ରାଜ୍ୟରେ ଗଠନ କରାଯାଇଥିବା ଏସଏଚଜି (ସ୍ବୟଂସହାୟକ ଗୋଷ୍ଠୀ ) ସମ୍ପର୍କରେ ମଧ୍ୟ ବିବରଣୀ ପ୍ରଦାନ କରାଯାଇଛି। ରିପୋର୍ଟ ଅନୁସାରେ ୨୦୧୬-୧୭ରେ ୧୨୬୧୨, ୨୦୧୭-୧୮ରେ ୨୫୬୬୫, ୨୦୧୮-୧୯ରେ ୩୯୯୧୬ ତଥା ୨୦୧୯-୨୦ ଅଗଷ୍ଟ ସୁଦ୍ଧା ୯୮୨୬ ଏସ୍‌ଏଚ୍‌ଜି ଓଡ଼ିଶାରେ ଗଠନ କରାଯାଇଛି ତଥା ରାଜ୍ୟରେ ୩୪୯୧୯୬ ଏସ୍‌ଏଚ୍‌ଜି ଗୁଡ଼ିକର ବ୍ୟାଙ୍କ ଆକାଉଣ୍ଟ ରହିଛି।

ସମ୍ବନ୍ଧିତ ଖବର