ଷ୍ଟାର୍ ଦମ୍ପତି ଅନୁଭବ-ବର୍ଷା ବିବାଦ : ଶୁଣାଣି ପାଇଁ ପିଟିସନ ଗ୍ରହଣ କଲେ ଦିଲ୍ଲୀର ପଟିଅ‌ାଲା କୋର୍ଟ

ଡିସେମ୍ବର ୧୦ରେ ହାଜର ପାଇଁ ବର୍ଷାଙ୍କୁ ନୋଟିସ୍

ନୂଆଦିଲ୍ଲୀ : ଅଭିନେତ୍ରୀ ବର୍ଷାଙ୍କ ବିରୋଧରେ ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତିଙ୍କ ଦ୍ବାରା ଛାଡ଼ପତ୍ର ପିଟିସନକୁ ଆଜି ଦିଲ୍ଲୀ ପଟିଆଲା ହାଉସ୍ କୋର୍ଟ ଶୁଣାଣି ପାଇଁ ଗ୍ରହଣ କରିଛନ୍ତି। ଏଥିସହିତ, ଆସନ୍ତା ଡିସେମ୍ବର ୧୦ ତାରିଖ ଦିନ କୋର୍ଟରେ ହାଜର ହେବା ପାଇଁ ବର୍ଷାଙ୍କୁ ନୋଟିସ୍ ଜାରି କରିଛନ୍ତି।

ଚଳିତବର୍ଷ ଜୁଲାଇ ମାସରେ ସାଂସଦ ଅନୁଭବ ମହାନ୍ତିଙ୍କ ପକ୍ଷରୁ ପଟିଆଲା ହାଉସ୍ ପାରିବାରିକ କୋର୍ଟରେ ୪୬ ପୃଷ୍ଠାର ଛାଡ଼ପତ୍ର ପିଟିସନ୍ ଦାଖଲ କରାଯାଇଥିଲା। ଅଦାଲତର ପ୍ରିନ୍ସିପାଲ ବିଚାରପତି ଅଞ୍ଜୁ ବଜାଜ୍ ବନ୍ଦନାଙ୍କ ଖଣ୍ଡପୀଠରେ ଆଜି ମାମଲାର ଶୁଣାଣି ହୋଇଥିଲା। ଶୁଣାଣି ସମୟରେ ଅନୁଭବଙ୍କ ଓକିଲ ଅଶ୍ବିନୀ ଦୁବେ ପିଟିସନରେ ଉଲ୍ଲେଖ ଥିବା ମାମଲା ସମ୍ପର୍କିତ ସମସ୍ତ ପ୍ରସଙ୍ଗକୁ ଉପସ୍ଥାପନା କରିଥିଲେ। ଅନୁଭବ ୭ ବର୍ଷ ଧରି ଅକଥନୀୟ ମାନସିକ ଓ ଶାରୀରିକ ଯନ୍ତ୍ରଣା ଭୋଗୁଛନ୍ତି ବୋଲି କହିବା ସହିତ ବିବାହ ବିଚ୍ଛେଦ ଆବେଦନର ପ୍ରମୁଖ ଘଟଣାବଳୀକୁ କୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଶୁଣାଣି ସମୟରେ ସାଂସଦ ନିଜେ ମଧ୍ୟ କୋର୍ଟରୁମ୍‌ରେ ଉପସ୍ଥିତ ରହି ନ୍ୟାୟ ପାଇଁ ଗୁହାରି କରିଥିଲେ। ଅନୁଭବଙ୍କ ପିଟିସନ ଉପରେ ୧୫ ମିନିଟ୍ ଶୁଣାଣି କରି କୋର୍ଟ ମାମଲାର ପରବର୍ତ୍ତୀ ଶୁଣାଣି ଡିସେମ୍ବର ୧୦ ତାରିଖକୁ ଧାର୍ଯ୍ୟ କରିବା ସହିତ ବର୍ଷା ପ୍ରିୟଦର୍ଶିନୀଙ୍କୁ ହାଜର ହେବା ପାଇଁ ନୋଟିସ୍ ଜାରି କରିଥିଲେ।

ପ୍ରକାଶଥାଉକି, ପତ୍ନୀ ବର୍ଷା ପ୍ରିୟଦର୍ଶନୀଙ୍କ ଠାରୁ ବିବାହ ବିଚ୍ଛେଦ ପାଇଁ ସାଂସଦ ଅନୁଭବ ମହାନ୍ତି ଜୁଲାଇ ୧୬, ୨୦୨୦ରେ ଦିଲ୍ଲୀର ପାଟିଆଲା ହାଉସ୍ ପାରିବାରିକ କୋର୍ଟରେ ଛାଡ଼ପତ୍ର ପିଟିସନ୍ ଦାଏର କରିଥିଲେ। ଅପରପକ୍ଷେ ଗତ ମାସ ୧୯ ତାରିଖରେ ବର୍ଷା ପ୍ରିୟଦର୍ଶନୀ ଛାଡ଼ପତ୍ର ପିଟିସନ୍‌କୁ କଟକ ପାରିବାରିକ ଅଦାଲତକୁ ସ୍ଥାନାନ୍ତର କରିବାକୁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ମାମଲାର ଶୁଣାଣି ବର୍ତ୍ତମାନ ସୁଦ୍ଧା ସର୍ବୋଚ୍ଚ ନ୍ୟାୟାଳୟରେ ହୋଇନାହିଁ।

ସମ୍ବନ୍ଧିତ ଖବର