ଟେକ୍ସାସ: ସ୍ପେସ୍ଏକ୍ସ ବୁଧବାର ଏହାର ଷ୍ଟାର୍ସିପ୍ ରକେଟ୍କୁ ସଫଳତାର ସହ ଉତ୍କ୍ଷେପଣ କରିଛି, ଯାହା କି ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଉତ୍କ୍ଷେପଣ ଯାନର ବହୁ ପ୍ରତୀକ୍ଷିତ ଦଶମ ସମନ୍ୱିତ ପରୀକ୍ଷଣ ଉଡ଼ାଣ। ପାଣିପାଗ-ଜନିତ ବାଧା ଓ ବୈଷୟିକ ଯାଞ୍ଚ ଯୋଗୁଁ ଚଳିତ ସପ୍ତାହ ଆରମ୍ଭରେ ସୋମବାର ଓ ମଙ୍ଗଳବାର ଲଗାତାର ଦୁଇ ଥର ବାତିଲ ପରେ ଏହି ଉତ୍କ୍ଷେପଣ ହୋଇଛି। ଟେକ୍ସାସର ବୋକାଚିକାସ୍ଥିତ କମ୍ପାନିର ଷ୍ଟାର୍ବେସ୍ କାରଖାନାରୁ ଉଡ଼ାଣ କରାଯାଇଥିବା ଏହି ସଦ୍ୟତମ ଅଭିଯାନ ଷ୍ଟାର୍ସିପ୍ର ପୁନଃବ୍ୟବହାରଯୋଗ୍ୟତା ବୈଶିଷ୍ଟ୍ୟକୁ ଯାଞ୍ଚ କରିବା ପାଇଁ ସ୍ପେସ୍ଏକ୍ସର ଜାରି ରହିଥିବା ପ୍ରୟାସର ଏକ ଅଂଶ ଥିଲା। ଏହି ଉଦ୍ଦେଶ୍ୟର କେନ୍ଦ୍ରବିନ୍ଦୁ ହେଉଛି ସୁପର୍ ହେଭି ବୁଷ୍ଟର ସହିତ ପରୀକ୍ଷଣର ଏକ ଜଟିଳ ଶୃଙ୍ଖଳା, ଯାହା ଭବିଷ୍ୟତରେ କାର୍ଯ୍ୟକ୍ଷମ ଉଡାଣ ପାଇଁ ଅବତରଣ ନିର୍ଦ୍ଦିଷ୍ଟତା ଓ ବିଶ୍ୱସନୀୟତା ବୃଦ୍ଧି କରିବା ପାଇଁ ଡିଜାଇନ୍ କରାଯାଇଛି। ଉତ୍କ୍ଷେପଣର କିଛି ମିନିଟ୍ ପରେ ଷ୍ଟାର୍ସିପ୍ ସୁପର୍ ହେଭି ରକେଟ୍ଠାରୁ ଅଲଗା ହୋଇଯାଇଥିଲା।
ପରୀକ୍ଷାମୂଳକ ସ୍ଥଳଭିତ୍ତିକ ପୁନରୁଦ୍ଧାର ପାଇଁ ପୂର୍ବରୁ କରାଯାଇଥିବା ପରୀକ୍ଷଣ ପରି, ଏହି ଅଭିଯାନରେ ବୁଷ୍ଟର ମେକ୍ସିକୋ ଉପସାଗରରେ ନିୟନ୍ତ୍ରିତ ଅବତରଣ କରିଥିଲା। ସ୍ପେସ୍ଏକ୍ସ ଇଞ୍ଜିନିୟରମାନେ ଅବତରଣର ବିଭିନ୍ନ ପର୍ଯ୍ୟାୟରେ ଇଞ୍ଜିନ ପୁନଃ ଚାଲୁ କରିବାପାଇଁ ଯାନର କ୍ଷମତା ପରୀକ୍ଷା କରିବା ପାଇଁ ଏକାଧିକ ଅବତରଣ-‘ବର୍ଣ୍ଣ ସିକ୍ୱେନ୍ସ’ ପ୍ରୋଗ୍ରାମ୍ କରିଥିଲେ। ଷ୍ଟେଜ୍ ଅଲଗା ହେବାର କିଛି ସମୟ ପରେ ବୁଷ୍ଟର ଏକ ନାଟକୀୟ ‘ଫ୍ଲିପ୍ କୌଶଳ’ କାର୍ଯ୍ୟକାରୀ କରିଥିଲା, ଏହା ପରେ ସମୁଦ୍ର ଅବତରଣ କ୍ଷେତ୍ର ଆଡକୁ ଏହାର ଗତିପଥକୁ ମାର୍ଗଦର୍ଶନ କରିବା ପାଇଁ ଏକ ବୁଷ୍ଟବ୍ୟାକ୍ ଜଳାଯାଇଥିଲା। ଷ୍ଟାରସିପ୍ ସ୍ପେସ୍ଏକ୍ସର ଦୀର୍ଘମିଆଦୀ ଦୃଷ୍ଟିକୋଣକୁ ପ୍ରତିନିଧିତ୍ୱ କରେ, ଯେଉଁଥିରେ ଭବିଷ୍ୟତର ଆର୍ଟେମିସ୍ ଚନ୍ଦ୍ର ଅବତରଣ ଓ ମଙ୍ଗଳ ଅଭିଯାନ ଅନ୍ତର୍ଭୁକ୍ତ।