ମହାନଦୀ ଟ୍ରିବ୍ୟୁନାଲ ଗଠନ ପ୍ରକ୍ରିୟା ଆରମ୍ଭ

ନୂଆଦିଲ୍ଲୀ: ବହୁ ବାଦବିବାଦ, ଆଇନଗତ ଲଢ଼େଇ ଓ ରାଜନୈତିକ ବୟାନବାଜି ପରେ ମହାନଦୀ ଟ୍ରିବ୍ୟୁନାଲ ଗଠନ କରିବାକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର। ମହାନଦୀ ଜଳକୁ ନେଇ ଓଡ଼ିଶା ଏବଂ ଛତିଶଗଡ଼ ମଧ୍ୟରେ ଚାଲିଥିବା ବିବାଦର ସମାଧାନ ଏହି ଟ୍ରିବ୍ୟୁନାଲ୍‌ରେ ହେବ। କେନ୍ଦ୍ର କ୍ୟାବିନେଟ୍‌ ଆଜି ଟ୍ରିବ୍ୟୁନାଲ ଗଠନ ପ୍ରସ୍ତାବକୁ ଅନୁମୋଦନ ପ୍ରଦାନ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କ୍ୟାବିନେଟ୍‌ ବୈଠକରେ ଟ୍ରିବ୍ୟୁନାଲ୍‌ ସମେତ ଆଉ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବରେ ମଧ୍ୟ ମୋହର ବାଜିଛି। ନିଷ୍ପତ୍ତି ଅନୁଯାୟୀ ଆନ୍ତଃରାଜ୍ୟ ଜଳବିବାଦ ଆଇନ୍‌, ୧୯୫୬ ଅନୁଯାୟୀ ଟ୍ରିବ୍ୟୁନାଲ୍‌ ଗଠନ କରାଯିବ। ମହାନଦୀ ଅବବାହିକାରେ ଥିବା ରାଜ୍ୟଗୁଡ଼ିକ ମଧ୍ୟରେ ଜଳର ଆବଣ୍ଟନ ତଥା ଭବିଷ୍ୟତ ବିକାଶ କାର୍ଯ୍ୟପନ୍ଥା ସମ୍ପର୍କରେ ଟ୍ରିବ୍ୟୁନାଲ୍‌ ନିଷ୍ପତ୍ତି ନେବ। ନିୟମ ମୁତାବକ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏହି ଟ୍ରିବ୍ୟୁନାଲର ଜଣେ ଅଧ୍ୟକ୍ଷ ଓ ଦୁଇ ଜଣ ସଦସ୍ୟ ଭାବେ ସୁପ୍ରିମକୋର୍ଟ କିମ୍ବା ହାଇକୋର୍ଟ ବିଚାରପତିଙ୍କୁ ମନୋନୀତ କରିବେ। ଏହା ବାଦ୍‌ ସମ୍ବେଦନଶୀଳ ଜଳବିବାଦ ମାମଲା ବୁଝୁଥିବା ଦୁଇଜଣ ଜଳସମ୍ପଦ ବିଶେଷଜ୍ଞଙ୍କର ମୂଲ୍ୟାଙ୍କନ କର୍ମୀ ଭାବେ ସହଯୋଗ ଲୋଡ଼ାଯିବ। ଟ୍ରିବ୍ୟୁନାଲ୍‌ ତିନି ବର୍ଷ ମଧ୍ୟରେ ରିପୋର୍ଟ ଦେବ। ତେବେ ଆବଶ୍ୟକ ପଡ଼ିଲେ ଟ୍ରିବ୍ୟୁନାଲ୍‌ର କାର୍ଯ୍ୟକାଳକୁ ଅତି ବେଶୀରେ ଆଉ ଦୁଇ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯାଇପାରିବ। ଟ୍ରିବ୍ୟୁନାଲ୍‌ ଗଠନ ପରେ ଏହାର ନିଷ୍ପତ୍ତି ମୁତାବକ ଓଡ଼ିଶା ଓ ଛତିିଶଗଡ଼ ମଧ୍ୟରେ ମହାନଦୀ ଜଳ ବଣ୍ଟନକୁ ନେଇ ଲାଗି ରହିଥିବା ବିବାଦର ଅବସାନ ଘଟିବ ବୋଲି କୁହାଯାଉଛି।

ଟ୍ରିବ୍ୟୁନାଲ ଗଠନ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ
ଅଧ୍ୟକ୍ଷ, ଦୁଇ ସଭ୍ୟଙ୍କୁ ନିଯୁକ୍ତ କରିବେ ପ୍ରଧାନ ବିଚାରପତି
ତିନିବର୍ଷ ଭିତରେ ରିପୋର୍ଟ ଦେବ

ମହାନଦୀ ଉପର ମୁଣ୍ଡରେ ଛତିଶଗଡ଼ର ବେଆଇନ୍‌ ବ୍ୟାରେଜ୍‌ ନିର୍ମାଣକୁ ବିରୋଧ କରି ୨୦୧୬ ମସିହା ନଭେମ୍ବର ୧୯ ତାରିଖରେ ଏହି ବିବାଦର ସମାଧାନ ନିମନ୍ତେ ଟ୍ରିବ୍ୟୁନାଲ୍‌ ଗଠନ ପାଇଁ କେନ୍ଦ୍ର ଜଳସମ୍ପଦ ମନ୍ତ୍ରଣାଳୟ ନିକଟରେ ଓଡ଼ିଶା ସରକାର ପିଟିସନ୍‌ ଦାଖଲ କରିଥିଲେ। ଏହା ପରେ କେନ୍ଦ୍ର ସରକାର ୨୦୧୭ ଜାନୁଆରି ୧୯ ତାରିଖରେ ମାମଲାର ସମାଧାନ ପାଇଁ ବୁଝାମଣା କମିଟି ଗଠନ କରିଥିଲେ। କିନ୍ତୁ ଏହି କମିଟିକୁ ଓଡ଼ିଶା ପ୍ରତ୍ୟାଖ୍ୟାନ କରିବା ସହ ବୈଠକରେ ଯୋଗ ଦେଲା ନାହିଁ। ଜଳସମ୍ପଦ ମନ୍ତ୍ରଣାଳୟ ନିକଟରେ ଓଡ଼ିଶା ସରକାର ପିଟିସନ୍‌ ଦାଖଲ କରିବାର ବର୍ଷକ ଭିତରେ ଅର୍ଥାତ ୨୦୧୭ ନଭେମ୍ବର ୧୯ ସୁଦ୍ଧା ଟ୍ରିବ୍ୟୁନାଲ୍‌ ଗଠନ ହେବ ବୋଲି କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ସମୟସୀମା ଭିତରେ ଟ୍ରିବ୍ୟୁନାଲ୍‌ ଗଠନ ନେଇ ବିଜ୍ଞପ୍ତି ଜାରି ହେଲା ନାହିଁ। ଗତ ମାସ ୨୩ ତାରିଖରେ ସୁପ୍ରିମକୋର୍ଟରେ ଏହି ମାମଲାର ଶୁଣାଣି ବେଳେ କେନ୍ଦ୍ର ସରକାର ଆପୋସ ବୁଝାମଣା ଦ୍ୱାରା ବିବାଦର ସମାଧାନ କରାଯାଇ ପରିବ ଓ ଟ୍ରିବ୍ୟୁନାଲ ଗଠନର ଆବଶ୍ୟକତା ନ ଥିବା ନେଇ ଯୁକ୍ତି ବାଢ଼ିଥିଲେ। ମାତ୍ର ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କ ସମସ୍ତ ଯୁକ୍ତିକୁ ପ୍ରତ୍ୟାଖ୍ୟାନ କରି ମାସକ ଭିତରେ ଟ୍ରିବ୍ୟୁନାଲ ଗଠନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଓଡ଼ିଶାର ସମସ୍ତ ଆପତ୍ତି ଅଭିଯୋଗ ଟ୍ରିବ୍ୟୁନାଲ୍‌ରେ ଶୁଣାଣି ହେବ ବୋଲି ସୁପ୍ରିମକୋର୍ଟ କହିଥିଲେ।

ସମ୍ବନ୍ଧିତ ଖବର