ସ୍ୱାଧୀନ, କ୍ଷୁଦ୍ର ଦଳ ଭରସା

ମେଣ୍ଟ ପାଇଁ ଇମ୍ରାନ୍‌ଙ୍କ ଆଲୋଚନା ଆରମ୍ଭ

ଇସ୍‌ଲାମାବାଦ: ପାକିସ୍ତାନରେ ସରକାର ଗଢ଼ିବା ଲାଗି ଇମ୍ରାନ୍‌ ଖାନ୍‌ଙ୍କ ତେହରିକ୍‌-ଏ-ଇନ୍‌ସାଫ୍‌ (ପିଟିଆଇ) ପ୍ରସ୍ତୁତି ଆରମ୍ଭ କରିଦେଇଛି। ସରକାର ଗଢ଼ିବା ଲାଗି ଆବଶ୍ୟକ ସଂଖ୍ୟା ଯୋଗାଡ଼ ନିମନ୍ତେ ପିଟିଆଇ ଆଜି ସ୍ୱାଧୀନ ଓ ଅନ୍ୟ ଛୋଟ ଦଳ ସହିତ କଥାବାର୍ତ୍ତା ଆରମ୍ଭ କରିଛି। ପାକ୍‌ ସାଧାରଣ ନିର୍ବାଚନରେ ଏକକ ସଂଖ୍ୟାଗରିଷ୍ଠତା ହାସଲ ସତ୍ତ୍ୱେ ପିଟିଆଇ ସରକାର ଗଢ଼ିବା ପାଇଁ ବହୁମତ ହାସଲ କରିପାରି ନାହିଁ। ମ୍ୟାଜିକ୍‌ ନମ୍ବର ୧୩୭ ଥିବା ବେଳେ ଦଳ ନିକଟରେ ୧୧୬ ଆସନ ରହିଛି। ପିଟିଆଇ ପାଇଁ ଆଉ ୨୧ ସାଂସଦଙ୍କ ସମର୍ଥନ ଆବଶ୍ୟକ। ପିଟିଆଇର ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀ ଯଥା ପିଏମ୍‌ଏଲ୍‌(ଏନ୍‌) ଓ ପାକିସ୍ତାନ ପିପୁଲ୍ସ ପାର୍ଟି (ପିପିପି) ଏବଂ ଅନ୍ୟ କେତେକ ଦଳ ନିର୍ବାଚନ ଫଳକୁ ବିରୋଧ କରୁଥିବା ବେଳେ ଏଥିପାଇଁ ପ୍ରତିବାଦ ଜଣାଇବେ ବୋଲି ଯୋଜନା କରୁଛନ୍ତି। ତେଣୁ ଏହା ପୂର୍ବରୁ ଇମ୍ରାନ୍‌ ସ୍ୱାଧୀନ ଓ କ୍ଷୁଦ୍ର ଦଳଗୁଡ଼ିକ ସହିତ ଆଲୋଚନା କରି ଯଥାଶୀଘ୍ର ସରକାର ଗଢ଼ିବାକୁ ଆଗେଇ ଆସିଛନ୍ତି। ପିଟିଆଇର ଛାମୁଆ ନେତାମାନେ ଅନ୍ୟ ଦଳର ନେତୃବୃନ୍ଦଙ୍କ ସହ ଆଲୋଚନା କରୁଛନ୍ତି। ଦଳଗୁଡ଼ିକୁ କିଛି ମନ୍ତ୍ରାଳୟର ଦାୟିତ୍ୱ ହସ୍ତାନ୍ତର କରାଯିବା ନେଇ ପ୍ରତିଶ୍ରୁତି ବି ଦିଆଯାଉଛି। ଏହାଦ୍ୱାରା ଛୋଟ ଦଳଗୁଡ଼ିକ ମଧ୍ୟ ଲାଭରେ ରହିବେ।

ଏ ସଂକ୍ରାନ୍ତରେ ସୂଚନା ଦେଇ ପିଟିଆଇ ମୁଖପାତ୍ର ଫଓ୍ଵାଦ୍‌ ଚୌଧରି କହିଛନ୍ତି, ନିୟମ ଅନୁସାରେ ଅଗଷ୍ଟ ୧୪ ପୂର୍ବରୁ ସରକାର ଗଢ଼ିବାକୁ ହେବ। ଏହାକୁ ଆଖିରେ ରଖି ଆମେ ଆଜିଠାରୁ ସ୍ୱାଧୀନ ଓ କ୍ଷୁଦ୍ର ଦଳଗୁଡ଼ିକ ସହିତ ମେଣ୍ଟ କଥାବାର୍ତ୍ତା ଆରମ୍ଭ କରିଛୁ। ଦଳଗୁଡ଼ିକର ନେତାମାନଙ୍କ ସହିତ ଫୋନ୍‌ରେ ଯୋଗାଯୋଗ କରାଯାଇଛି। ଏମିତି କି ଇସ୍‌ଲାମାବାଦରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡକାଯାଇଛି। ଅନ୍ୟ ଜଣେ ନେତାଙ୍କ କହିବାନୁସାରେ ଦଳ ଦୁଇ ସପ୍ତାହ ମଧ୍ୟରେ ସରକାର ଗଢ଼ିବାକୁ ସମର୍ଥ ହୋଇପାରିବ। ଅନ୍ୟ କ୍ଷୁଦ୍ର ଦଳଗୁଡ଼ିକ ସହଯୋଗ କରିବେ ବୋଲି ଆଶା କରାଯାଉଛି। ସମ୍ଭବତଃ ପାକିସ୍ତାନର ସ୍ୱାଧୀନତା ଦିବସ ଅର୍ଥାତ୍‌ ଅଗଷ୍ଟ ୧୪ ପୂର୍ବରୁ ଇମ୍ରାନ୍‌ ଶପଥ ନେବେ। ଅନ୍ୟପକ୍ଷରେ ପାକ୍‌ ନିର୍ବାଚନ ଫଳାଫଳକୁ ନେଇ ବିଦେଶୀ ବିଶାରଦମାନେ ପ୍ରଶ୍ନ ଉଠାଇବା ପରେ ପ୍ରମୁଖ ବିରୋଧୀ ଦଳଗୁଡ଼ିକ ଏକ ବିରାଟ ବିକ୍ଷୋଭ କରିବେ ବୋଲି ଘୋଷଣା କରିଛନ୍ତି। ଡଜନେରୁ ଊର୍ଧ୍ୱ ଦଳ ଏହି ପ୍ରତିବାଦ ପ୍ରଦର୍ଶନ ଲାଗି ଏକ ଗୋଷ୍ଠୀ ଗଠନ କରିଛନ୍ତି। ସର୍ବଦଳୀୟ ସମ୍ମିଳନୀ (ଏପିସି) ନାମରେ ସେମାନେ ଏକ ସ୍ୱତନ୍ତ୍ର ଗୋଷ୍ଠୀ କରି ସମ୍ମିଳିତ ଭାବେ ଭୋଟ୍‌ ଫଳାଫଳକୁ ବର୍ଜନ କରିବେ ଏବଂ ଏହା ବିରୋଧରେ ପ୍ରତିବାଦ ଜଣାଇବେ। ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ଵାଜ ସରିଫ୍‌ଙ୍କ ଦଳ ପିଏମ୍‌ଏଲ୍‌ଏନ୍‌ ଏହି ଗୋଷ୍ଠୀକୁ ସମର୍ଥନ ଜଣାଇବ ବୋଲି ପ୍ରତିଶ୍ରୁତି ଦେଇଛି। କିନ୍ତୁ ନୂଆ ସଂସଦକୁ ବର୍ଜନ କରିବା ସଂକ୍ରାନ୍ତରେ କୌଣସି ସ୍ପଷ୍ଟ କରିନାହିଁ। ଏପିସିରେ ସାମିଲ ନ ଥିବା ପିପିପି ପକ୍ଷରୁ କୁହାଯାଇଛି ଯେ ଦଳ ନିର୍ବାଚନ ଫଳାଫଳକୁ ଖାରଜ କରିଛି। ତେବେ ସଂସଦୀୟ ପ୍ରକ୍ରିୟାରେ ଏହା ଅଂଶଗ୍ରହଣ କରିବ ଏବଂ ଅନ୍ୟ ଦଳଗୁଡ଼ିକୁ ଏଥିପାଇଁ ଆବଶ୍ୟକ ପରାମର୍ଶ କରିବ।

ସମ୍ବନ୍ଧିତ ଖବର