ନୂଆଦିଲ୍ଲୀ: ନିର୍ବାଚନରେ ବିପୁଳ ବିଜୟ ଲାଭ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମନ୍ କୀ ବାତ୍ କାର୍ଯ୍ୟକ୍ରମ ପୁଣି ଆରମ୍ଭ କରିଦେଇଛନ୍ତି। ପ୍ରଥମ ପାଳିର ପ୍ରଥମ ମନ୍ କୀ ବାତ୍ରେ ମୋଦୀ ଦେଶବାସୀଙ୍କୁ ୫୩ ଥର ସମ୍ବୋଧନ କରିଥିଲେ। ନିର୍ବାଚନ ପାଇଁ ଏହା କିଛି ସପ୍ତାହ ବନ୍ଦ ରହିଥିଲା। ଆଜି ଦ୍ବିତୀୟ ପାଳିର ପ୍ରଥମ ମନ୍ କୀ ବାତ୍ରେ ମୋଦୀ ଦେଶବାସୀଙ୍କୁ ସମ୍ବୋଧନ କରି ଅନେକ ଗୁରୁତ୍ବପୂର୍ଣ୍ଣ ବାର୍ତ୍ତା ଦେଇଛନ୍ତି। ଆଜି ମୋଦୀ ଦେଶରେ ଜଳସଂରକ୍ଷଣ, ଗଣତନ୍ତ୍ରର ସୁରକ୍ଷା, ଲାଇବ୍ରେରି ପ୍ରତିଷ୍ଠା ସହିତ ପଠନ ଅଭ୍ୟାସ ବୃଦ୍ଧି ଏବଂ ଯୋଗ ଉପରେ ସର୍ବାଧିକ ଗୁରୁତ୍ବ ଦେଇଛନ୍ତି। ଦେଶରେ ଜଳସଂରକ୍ଷଣ ପାଇଁ ଜନଆନ୍ଦୋଳନର ଆବଶ୍ୟକତା ରହିଥିବା ମୋଦୀ ମତ ଦେଇଛନ୍ତି। ଜଳ ସମସ୍ୟା ଉପରେ ମୋଦୀ କହିଛନ୍ତି, ବେଲଗାଭିର ପୱନ ଗୌରାଈ, ଭୁବନେଶ୍ୱରର ସୀତାଂଶୁ ମୋହନ ପରିଡ଼ା ସମେତ ଆହୁରି ଅନେକ ଲୋକ ଜଳ ସହିତ ଜଡ଼ିତ ଆହ୍ୱାନ ସମ୍ପର୍କରେ ଲେଖିଛନ୍ତି। ଜଳାଭାବରେ ପ୍ରତିବର୍ଷ ଦେଶର ଅନେକ ଅଂଚଳ ପ୍ରଭାବିତ ହେଉଛି। ତେବେ ଆଶ୍ଚର୍ଯ୍ୟର ବିଷୟ ହେଲା ବର୍ଷଯାକରେ ମିଳୁଥିବା ବୃଷ୍ଟିଜଳର ମାତ୍ର ୮ ପ୍ରତିଶତ ଆମ ଦେଶରେ ସଂଚିତ କରାଯାଉଛି। ଏବେ ଏହି ସମସ୍ୟାର ସମାଧାନର ବାଟ ବାହାର କରିବାର ବେଳ ଆସିଯାଇଛି । ଅନ୍ୟ ସମସ୍ୟାଗୁଡ଼ିକ ଭଳି ଜନସହଭାଗିତାରେ, ଶହେ ତିରିଶ କୋଟି ଦେଶବାସୀଙ୍କ ସାମର୍ଥ୍ୟ, ସହଯୋଗ ଏବଂ ସଂକଳ୍ପ ମାଧ୍ୟମରେ ଏହି ସମସ୍ୟାର ସମାଧାନ ହୋଇପାରିବ। ସାରାଦେଶରେ ଜଳ ସମସ୍ୟାର ସମାଧାନ ପାଇଁ ଗୋଟିଏ ଫର୍ମୁଲା ବା ସୂତ୍ର ପ୍ରଯୁଜ୍ୟ ନ ହୋଇପାରେ । ଏଥିପାଇଁ ଦେଶର ବିଭିନ୍ନ ଅଂଚଳରେ ଭିନ୍ନ ଭିନ୍ନ ଉପାୟରେ ପ୍ରଚେଷ୍ଟା କରାଯାଉଛି । କିନ୍ତୁ ସମସ୍ତଙ୍କ ଲକ୍ଷ୍ୟ ଏକ, ତାହା ହେଉଛି ପାଣିକୁ ସଂଚୟ କରିବା, ଜଳ ସଂରକ୍ଷଣ କରିବା। ତେଣୁ ଏହି ପରିପ୍ରେକ୍ଷୀରେ ମୋଦୀ କହିଛନ୍ତି ଦେଶବାସୀ ଯେମିତି ସ୍ୱଚ୍ଛତାକୁ ଗୋଟିଏ ଜନ ଆନ୍ଦୋଳନର ରୂପ ଦେଇଛନ୍ତି, ଠିକ୍ ସେହିଭଳି ଜଳ ସଂରକ୍ଷଣ ପାଇଁ ମଧ୍ୟ ଗୋଟିଏ ଜନ ଆନ୍ଦୋଳନ ଆରମ୍ଭ କରିବା।
ଭୁବନେଶ୍ବର ସୀତାଂଶୁ ପରିଡ଼ାଙ୍କ ବାର୍ତା ଉଲ୍ଲେଖ କଲେ
ଅନ୍ତର୍ଜାତୀୟ ଯୋଗଦିବସକୁ ସଫଳ କରିଥିବାରୁ ବିଶ୍ବବାସୀଙ୍କୁ କୃତଜ୍ଞତା ଜଣାଇଲେ
ମୋଦୀ କହିଛନ୍ତି, ନିକଟରେ ଗଣତନ୍ତ୍ରର ମହାପର୍ବ ବା ସାଧାରଣ ନିର୍ବାଚନ ଶେଷ ହୋଇଛି। ଏଥିରେ ୬୧ କୋଟିରୁ ଅଧିକ ଲୋକ ମତଦାନ କରିଛନ୍ତି। ଯେତିକି ଲୋକ ୨୦୧୯ର ଲୋକସଭା ନିର୍ବାଚନରେ ମତଦାନ କରିଛନ୍ତି ତାହା ଆମେରିକା ଜନସଂଖ୍ୟାର ପ୍ରାୟ ଦୁଇଗୁଣ । ଭାରତରେ ମୋଟ ଭୋଟରଙ୍କ ସଂଖ୍ୟା ଯେତିକି, ତାହା ସମ୍ପୂର୍ଣ୍ଣ ୟୁରୋପର ଜନସଂଖ୍ୟାଠାରୁ ମଧ୍ୟ ଅଧିକ । ଏହା ଆମ ଗଣତନ୍ତ୍ରର ବିଶାଳତାକୁ ଦର୍ଶାଉଛି। ସେହିଭଳି ମୋଦୀ କହିଛନ୍ତି ଆମକୁ ଯେଉଁ ଅମୂଲ୍ୟ ଗଣତନ୍ତ୍ର ମିଳିଛି, ତାହାକୁ ଆମେ ଖୁବ ସହଜରେ ଆମର ଅଧିକାର ବୋଲି ଭାବି ନେଉଛୁ । କିନ୍ତୁ ଆମକୁ ସର୍ବଦା ମନେ ରଖିବାକୁ ପଡିବ ଯେ, ଆମ ଗଣତନ୍ତ୍ର ଖୁବ୍ ମହାନ୍, ଏହି ଗଣତନ୍ତ୍ର ଆମ ରକ୍ତରେ ପ୍ରବାହିତ – ଶହ ଶହ ବର୍ଷର ସାଧନା ଫଳରେ, ପୁରୁଷାନୁକ୍ରମେ ପ୍ରାପ୍ତ ସଂସ୍କାରରୁ, ଗୋଟିଏ ବିରାଟ ମନର ଅବସ୍ଥାରୁ ଏହା ଆମକୁ ପ୍ରାପ୍ତ ହୋଇଛ। ସେହିଭଳି ମୋଦୀ କହିଛନ୍ତି ‘ବୁକେ ନୁହେଁ ବୁକ୍’। ସ୍ୱାଗତ କରିବା ସମୟରେ ଆମେ ଫୁଲତୋଡ଼ା ବଦଳରେ ବହି ଦେଇପାରିବା କି? ବୋଲି ପୂର୍ବରୁ ସେ ଯେଉଁ ଆହ୍ବାନ ଦେଇଥିଲେ ତାହାକୁ ଜନସାଧାରଣ ଅଧିକରୁ ଅଧିକ ସଂଖ୍ୟାରେ ଗ୍ରହଣ କରୁଛନ୍ତି । ନିକଟ ଅତୀତରେ ତାଙ୍କୁ ଜଣେ ଉପହାର ଭାବେ ଦେଇଥିବା ପ୍ରେମଚାନ୍ଦଙ୍କ ପୁସ୍ତକ ପଢ଼ି ସେ ଗଭୀର ଆନନ୍ଦ ପାଉଥିବା ମୋଦୀ କହିଛନ୍ତି। ସେହିଭଳି ମୋଦୀ କହିଥିଲେ ଯେ କେରଳରେ ଏକ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ପି କେ ମୁରଲୀଧରନ୍ ଏବଂ ଏକ ଛୋଟ ଚା ଦୋକାନ କରିଥିବା ପି ଚିନ୍ନାଥମ୍ପି ଖୁବ ପରିଶ୍ରମ କରି ଜଙ୍ଗଲ ମଧ୍ୟରେ ଆଦିବାସୀଙ୍କ ପାଇଁ ସ୍ଥାପନ କରିଥିବା ଲାଇବ୍ରେରୀ ପିଲାମାନଙ୍କୁ କିଭଳି ନୂଆ ବାଟ ଦେଖାଉଛି । ଆଜିର ଡିଜିଟାଲ ଦୁନିଆରେ, ଗୁଗଲ୍ ଗୁରୁଙ୍କ ସମୟରେ, କିଛି ସମୟ ବାହାର କରି ନିଜ ଦୈନନ୍ଦିନ ଜୀବନରେ ବହିକୁ ନିଶ୍ଚୟ ସ୍ଥାନ ଦେବା ପାଇଁ ସେ ଅନୁରୋଧ କରିଛନ୍ତି। ଏଥିସହିତ ଜୁନ ୨୧ ତାରିଖ ଦିନ ଯୋଗଦିବସରେ ଯେଉଁ ସକ୍ରିୟତା ସହକାରେ, ଉତ୍ସାହର ସହିତ ଗୋଟିଏ ଗୋଟିଏ ପରିବାରର ତିନି ତିନି, ଚାରି ଚାରି ପୀଢ଼ି ଏକାଠି ମିଶି ଯୋଗଦିବସ ପାଳନ କଲେ, ଏହାଦ୍ୱାରା ସଚେତନତା ସୃଷ୍ଟି ହୋଇଛି, ଯୋଗର ମାହାତ୍ମ୍ୟ ବଢ଼ିଚାଲିଛି ବୋଲି ମୋଦୀ ତାଙ୍କ ମନ୍ କୀ ବାତ୍ରେ କହିଛନ୍ତି। ଏଥିପାଇଁ ସେ ବିଶ୍ବବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/07/mann-ki-baat-modi_1_0.jpg)