ଜଳ ସଂରକ୍ଷଣ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ଲାଗି ‘ସତସଙ୍ଗ’କୁ ମିଳିଲା ଜାତୀୟ ଜଳ ପୁରସ୍କାର -୨୦୧୯ 

ଦେଓଘର : ଜଳ ସଂରକ୍ଷଣ ଓ ପରିଚାଳନା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ଲାଗି ଝାଡ଼ଖଣ୍ଡର ଦେଓଘରସ୍ଥିତ ସତସଙ୍ଗ ଆଶ୍ରମକୁ ଜାତୀୟ ଜଳ ପୁରସ୍କାର ପ୍ରଦାନ କରାଯାଇଛି। କେନ୍ଦ୍ର ଜଳଶକ୍ତି ମନ୍ତ୍ରାଳୟ ପକ୍ଷରୁ ପ୍ରତି ବର୍ଷ ପ୍ରଦାନ କରାଯାଉଥିବା ଏହି ପୁରସ୍କାରର ଧାର୍ମିକ ଅନୁଷ୍ଠାନ ବର୍ଗରେ ସ୍ବପରିସରରେ ଶ୍ରେଷ୍ଠ ଜଳ ସଂରକ୍ଷଣ ଓ ପରିଚାଳନା ଲାଗି ଚଳିତ ବର୍ଷ  ସତସଙ୍ଗ ଆଶ୍ରମ ପ୍ରଥମ ପୁରସ୍କାର ଲାଭ କରିଛି । ନୂଆଦିଲ୍ଲୀରେ ମନ୍ତ୍ରାଳୟ ପକ୍ଷରୁ  ଅନୁଷ୍ଠିତ ଏକ ସ୍ବତନ୍ତ୍ର ଭର୍ଚୁଆଲ୍ କାର୍ଯ୍ୟକ୍ରମରେ କେନ୍ଦ୍ର ଜଳଶକ୍ତି  ଓ ସାମାଜିକ ନ୍ୟାୟ  ରାଷ୍ଟ୍ରମନ୍ତ୍ରୀ ରତନ ଲାଲ କଟାରିଆ ଏହି ପୁରସ୍କାର ପ୍ରଦାନ କରିଛନ୍ତି। ସତସଙ୍ଗ ଆଶ୍ରମ ପକ୍ଷରୁ ‘ସତସଙ୍ଗ’ର ସଭାପତି ଡା. ଅଲୋକ କୁମାର ଚକ୍ରବର୍ତ୍ତୀ ‘ଜାତୀୟ ଜଳ ପୁରସ୍କାର-୨୦୧୯’ଗ୍ରହଣ କରିଛନ୍ତି।

ସୂଚନାଯୋଗ୍ୟ, ନୂତନ ଭାବେ ଜଳଶକ୍ତି ମନ୍ତ୍ରାଳୟ ଗଠନ ହେବା ପରେ ଜଳ ସଂରକ୍ଷଣ ଓ ପରିଚାଳନାକୁ ଉତ୍ସାହିତ କରିବା ଲାଗି ଏ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରୁଥିବା ପ୍ରଶାସନ ଏବଂ ଉଭୟ ସରକାରୀ ଓ ବେସରକାରୀ ଅନୁଷ୍ଠାନଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଉଛି।

ଜାତୀୟ ଜଳ ପୁରସ୍କାରର ଧାର୍ମିକ ଅନୁଷ୍ଠାନ ବର୍ଗରେ ପ୍ରଥମ ପୁରସ୍କାରର ହକଦାର ହୋଇଥିବା ସତସଙ୍ଗ ଆଶ୍ରମ ଗତ ୧୦ ବର୍ଷ ଧରି ଜଳ ସଂରକ୍ଷଣ ଏବଂ ବର୍ଜ୍ୟ ଜଳର ସୁବିନିଯୋଗ କ୍ଷେତ୍ରରେ ନିରବଚ୍ଛିନ୍ନ ଭାବେ କାର୍ଯ୍ୟ କରି ଆସୁଛି। ‘ସତସଙ୍ଗ’ର ଆଚାର୍ଯ୍ୟଦେବ ଶ୍ରୀଶ୍ରୀଦାଦାଙ୍କ ନିର୍ଦ୍ଦେଶରେ ଦେଓଘର ସତସଙ୍ଗ ଆଶ୍ରମ ପରିସରରେ ବର୍ଷାଜଳ ସଂରକ୍ଷଣ ଓ ଜଳ ଅମଳ, ଭୂତଳ ଜଳସ୍ତର ପୁନଃର୍ଭରଣ, ବର୍ଜ୍ୟଜଳର ବିଶୁଦ୍ଧିକରଣ ଏବଂ ବର୍ଜ୍ୟଜଳ ପୁନଃପ୍ରକ୍ରିୟାକରଣ ପ୍ରକଳ୍ପ ପ୍ରତିଷ୍ଠା କରାଯାଇ ବ୍ୟାପକ ଭାବେ ଜଳ ସଂରକ୍ଷଣ କରାଯାଉଛି। ଏଥିସହ ଭାରତର ସମସ୍ତ ସତସଙ୍ଗ ମନ୍ଦିର ଓ ବିହାରରେ ଜଳ ସଂରକ୍ଷଣ ଓ ଜଳର ସୁବିନିଯୋଗ ବ୍ୟବସ୍ଥା ଆରମ୍ଭ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନା ଅନୂସାରେ, ପ୍ରତି ବର୍ଷ ସତସଙ୍ଗ ଆଶ୍ରମ ଏହି ସବୁ ପ୍ରକଳ୍ପ ମାଧ୍ୟମରେ ସାଢ଼େ ୭କୋଟିରୁ ୮ କୋଟି ଲିଟର ଜଳ ଅମଳ କରି ଏକ ଅନନ୍ୟ ଉଦାହରଣ ପ୍ରସ୍ତୁତ କରିଛି। ସତସଙ୍ଗ ଆଶ୍ରମ ପରିସରରେ ଥିବା ବିଭିନ୍ନ ଘର ଓ କାର୍ଯ୍ୟାଳୟର  ୫୦,୭୩୭ ବର୍ଗ ମିଟର ଛାତରେ ବର୍ଷାଜଳ ସଂରକ୍ଷଣ ବ୍ୟବସ୍ଥା କରାଯାଇଛି  ଏବଂ  ବର୍ଷାଜଳକୁ କ୍ରମଶଃ ଶୁଷ୍କ ହୋଇପଡ଼ୁଥିବା କୂଅଗୁଡ଼ିକୁ ନିଷ୍କାଷିତ କରାଯାଇ ସେଗୁଡ଼ିକର ଜଳସ୍ତର ବୃଦ୍ଧି କରାଯାଇଛି।  ଏଥିସହ ୪୦ରୁ ୫୦ ଏକର ପରିମିତ ଖୋଲା ଅଞ୍ଚଳରେ ପ୍ରାୟ ୧୫୦ଟି କୂଅ ଖୋଳାଯାଇ ଜଳ ପୁନଃର୍ଭରଣ କରାଯାଉଛି। ପ୍ରତିଦିନ ସତସଙ୍ଗ ଆଶ୍ରମର ଦେୟମୁକ୍ତ ଭୋଜନାଳୟରୁ ବ୍ୟବହାର ପରେ ନିର୍ଗତ ହାରାହାରି  ୨୦ ହଜାର ଲିଟର ଜଳକୁ ବିଶୁଦ୍ଧିକରଣ କରାଯାଇ ପୁନଃଉପଯୋଗ ହେଉଛି। ସତସଙ୍ଗ ଆଶ୍ରମରେ ଜଳ ସଂରକ୍ଷଣ ଓ ପରିଚାଳନା ଦାୟିତ୍ବରେ ଥିବା ବ୍ରଜସୁନ୍ଦର ସାହୁ କହନ୍ତି, ଏହି ସବୁ ପ୍ରକଳ୍ପର ସଫଳ କାର୍ଯ୍ୟକାରୀତା ଫଳରେ ଆଶ୍ରମ ଅଂଚଳର ୱାଟର ଟେବୁଲ ୫ ରୁ ୬ ମିଟର ବଢ଼ିଛି। ଏଥିସହ ବାୟୋ-ଫିଲଟର ମାଧ୍ୟମରେ ବିଶୋଧନ କରାଯାଇ ପ୍ରତିଦିନ ହଜାର ହଜାର ଲିଟର ଜଳ ପୁନଃଉପଯୋଗୀ ହେଉଛି। ସତସଙ୍ଗର ପ୍ରଶାସକ ଅର୍କଦ୍ୟୁତି ଚକ୍ରବର୍ତ୍ତୀ (ପୂଜ୍ୟପାଦ ବାବାଇଦା)ଙ୍କ ମାର୍ଗଦର୍ଶନରେ ଏହି ସବୁ ପ୍ରକଳ୍ପକୁ କାର୍ଯ୍ୟକାରୀ କରାଯାଇଛି ଓ ନୂତନ ପ୍ରକଳ୍ପ ହାତକୁ ନିଆଯାଉଛି।

ସମ୍ବନ୍ଧିତ ଖବର