ମୁମ୍ବାଇ : ଦେଶର ସର୍ବବୃହତ୍ ବ୍ୟାଙ୍କ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ)ରୁ ଋଣ ନେବା ମହଙ୍ଗା ହେବ। ବ୍ୟାଙ୍କ ଗୁରୁବାର ଏହାର ମାର୍ଜିନାଲ କଷ୍ଟ ଅଫ୍ ଫଣ୍ଡ ବେସଡ ଲେଣ୍ଡିଂ ରେଟ୍ (ଏମସିଏଲ୍ଆର୍) ବା ସର୍ବନିମ୍ନ ସୁଧହାରରେ ୦.୦୫% ବୃଦ୍ଧି ଘୋଷଣା କରିଛି।
ବ୍ୟାଙ୍କର ୱେବସାଇଟ୍ ଅନୁଯାୟୀ, ଶୁକ୍ରବାରଠାରୁ ଏକ ବର୍ଷର ଏମସିଏଲଆରକୁ ୯% କୁ ବୃଦ୍ଧି କରାଯାଇଛି । ବ୍ୟକ୍ତିଗତ ଋଣ, କାର୍ ଋଣ ଏବଂ ଗୃହ ଋଣ ଭଳି ଋଣ ପାଇଁ ସୁଧ ହାର ଏକ ବର୍ଷର ଏମସିଏଲଆର ହାର ଉପରେ ଆଧାର କରି ନିର୍ଦ୍ଧାରଣ କରାଯାଏ । ଏହାକୁ ମିଶାଇ ନିକଟରେ ଷ୍ଟେଟ ବ୍ୟାଙ୍କ ଦୁଇଥର ସୁଧହାର ବଢାଇଛି ।
ଏସବିଆଇ ଅଧ୍ୟକ୍ଷ ଶ୍ରୀ ସି.ଏସ୍ ସେଟ୍ଟୀ କହିଛନ୍ତି ଯେ ବ୍ୟାଙ୍କର ଋଣ ପୋର୍ଟଫୋଲିଓର ୪୨% ଏମସିଏଲଆର ସହିତ ସଂଯୁକ୍ତ ହୋଇଥିବା ବେଳେ ଅବଶିଷ୍ଟ ବାହ୍ୟ ବେଞ୍ଚମାର୍କ ଉପରେ ଆଧାରିତ । ବ୍ୟାଙ୍କିଙ୍ଗ ବ୍ୟବସ୍ଥାରେ ଜମା ହାର ସର୍ବୋଚ୍ଚ ସ୍ତରରେ ରହିଛି ବୋଲି ସେ ସ୍ପଷ୍ଟ କରିଛନ୍ତି। ଏସବିଆଇ ମଧ୍ୟ ୩ ଓ ୬ ମାସ ପାଇଁ ଏମସିଏଲଆର ବୃଦ୍ଧି କରିଛି । ତେବେ ଗୋଟିଏ ଦିନ, ଗୋଟିଏ ମାସ, ଦୁଇ ବର୍ଷ ଓ ତିନି ବର୍ଷ ପାଇଁ ଏମସିଏଲ୍ଆର୍ ଦରରେ କୌଣସି ପରିବର୍ତ୍ତନ ହୋଇନାହିଁ।