ନୂଆଦିଲ୍ଲୀ: ରାଜ୍ୟପାଳ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ସମନ୍ବୟ ଏବଂ ଦୁଇ କ୍ଷମତା କେନ୍ଦ୍ର ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ବିଚାରବିମର୍ଶ ନେଇ ସମ୍ବିଧାନ ରଚନାକାରୀଙ୍କ ଆଶା ପୂରଣ ହୋଇଛି କି ବୋଲି ବୁଧବାର ସୁପ୍ରିମ୍କୋର୍ଟ ପ୍ରଶ୍ନ କରିଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ୍ ବିଆର୍ ଗୱାଇଙ୍କ ଅଧ୍ୟକ୍ଷତାରେ ଗଠିତ ପାଞ୍ଚଜଣିଆ ସାମ୍ବିଧାନିକ ଖଣ୍ଡପୀଠ ରାଜ୍ୟ ବିଧାନସଭାରେ ପାରିତ ବିଲ୍ଗୁଡ଼ିକର ଅନୁମୋଦନରେ ରାଜ୍ୟପାଳ ଓ ରାଷ୍ଟ୍ରପତିଙ୍କ କ୍ଷମତା ତଥା ବିବେକ ଉପରେ ସ୍ପଷ୍ଟତା ଆଣିବା ପାଇଁ ପ୍ରେସିଡେନ୍ସିଆଲ୍ ରେଫ୍ରେନ୍ସର ଶୁଣାଣି ସମୟରେ ଏହି ମନ୍ତବ୍ୟ ଦେଇଛନ୍ତି। କେନ୍ଦ୍ର ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟା ରାଜ୍ୟପାଳଙ୍କ ନିଯୁକ୍ତି ଓ କ୍ଷମତା ସମ୍ପର୍କରେ ସମ୍ବିଧାନ ସଭାରେ ହୋଇଥିବା ବିତର୍କକୁ ଉଲ୍ଲେଖ କରିଥିଲେ। ଏହି ପଦ ଅବସରପ୍ରାପ୍ତ ରାଜନେତାଙ୍କ ରାଜନୈତିକ ଆଶ୍ରୟସ୍ଥଳୀ ନୁହେଁ ବରଂ ସମ୍ବିଧାନ ଅନୁଯାୟୀ ଏହାର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ରହିଛି ବୋଲି ସେ ଯୁକ୍ତି ବାଢ଼ିଥିଲେ। ରାଜ୍ୟପାଳମାନେ କେବଳ ପୋଷ୍ଟମ୍ୟାନ୍ ନୁହନ୍ତି। ସେମାନେ ଭାରତ ସରକାରଙ୍କ ପ୍ରତିନିଧିତ୍ୱ କରନ୍ତି। ସିଧାସଳଖ ନିର୍ବାଚିତ ହୋଇ ନ ଥିବା ବ୍ୟକ୍ତିଜଣକ ନିର୍ବାଚିତ ବ୍ୟକ୍ତିଙ୍କଠାରୁ କମ୍ ନୁହନ୍ତି ବୋଲି ସେ ଅଦାଲତଙ୍କୁ କହିଛନ୍ତି। ରାଜ୍ୟପାଳମାନେ ଏକ ବିଲ୍ ପାରିତ କରିବା, ଅଟକାଇବା କିମ୍ବା ପଠାଇବାର ବିକଳ୍ପ ସମେତ ବିବେକ ସହିତ କାର୍ଯ୍ୟ କରିବେ ବୋଲି ଆଶା କରାଯାଏ, କିନ୍ତୁ ସେ ସବୁ ସାମ୍ବିଧାନିକ ଢାଞ୍ଚା ଭିତରେ। ସେ ସ୍ପଷ୍ଟ କରିଛନ୍ତି ଯେ, କୌଣସି ବିଲ୍କୁ ଅଟକାଇବାର ଅର୍ଥ ସିଧାସଳଖ ଏହାର ହତ୍ୟା ନୁହେଁ।
ସିଜେଆଇଙ୍କ ସମେତ ଜଷ୍ଟିସ୍ ସୂର୍ଯ୍ୟକାନ୍ତ, ଜଷ୍ଟିସ୍ ବିକ୍ରମ ନାଥ, ଜଷ୍ଟିସ୍ ପିଏସ୍ ନରସିଂହ ଓ ଜଷ୍ଟିସ୍ ଏଏସ୍ ଚାନ୍ଦୁରକରଙ୍କୁ ନେଇ ଗଠିତ ଖଣ୍ଡପୀଠ ଧାରା ୨୦୦, ୨୦୧ ଏବଂ ସମ୍ବିଧାନ ଦ୍ୱାରା ପରିକଳ୍ପିତ ସଂଘୀୟ ଢାଞ୍ଚା ଉପରେ ବିସ୍ତୃତ ଆଲୋଚନା କରିଥିଲେ। ଜଷ୍ଟିସ୍ ନରସିଂହ ସଲିସିଟର ଜେନେରାଲଙ୍କୁ ‘ୱିଥ୍ହୋଲ୍ଡ’ ଶବ୍ଦର ସାମ୍ବିଧାନିକ ବ୍ୟବହାର ଉପରେ ବିଚାର କରିବାକୁ କହିଥିଲେ ଏବଂ ଏହା ସମ୍ବିଧାନର ଏକାଧିକ ସ୍ଥାନରେ ଥିବା ଦର୍ଶାଇଥିଲେ। କୌଣସି ବିଲ୍ ସହ ଅସହମତି ପ୍ରକାଶ କରିବା ସତ୍ତ୍ୱେ ରାଜ୍ୟପାଳମାନେ ପ୍ରଥମେ ବିବେକ ପ୍ରୟୋଗ କରିବାକୁ ବାଧ୍ୟ କି ନାହିଁ କିମ୍ବା ସେମାନଙ୍କ ପାଖରେ ଅନ୍ୟ ବିକଳ୍ପ ଅଛି କି ନାହିଁ, ସେ ନେଇ ମଧ୍ୟ ଅଦାଲତ ଅନୁସନ୍ଧାନ କରିଥିଲେ। ମେହେଟା କହିଛନ୍ତି ଯେ ରାଜ୍ୟପାଳମାନଙ୍କର ଅନେକ କାର୍ଯ୍ୟପନ୍ଥା ଅଛି, କିନ୍ତୁ ସାମ୍ବିଧାନିକ ଉଦ୍ଦେଶ୍ୟ ଅନୁଯାୟୀ ବିବେକ ପ୍ରୟୋଗ କରାଯିବା ଆବଶ୍ୟକ। ସଲିସିଟର ଜେନେରାଲ ଅଦାଲତକୁ ଜବାହରଲାଲ ନେହରୁଙ୍କ ମନ୍ତବ୍ୟ ସମେତ ସମ୍ବିଧାନ ସଭାର ବିତର୍କକୁ ଉଦାହରଣ ଦେଇ କହିଥିଲେ ଯେ, ରାଜ୍ୟପାଳମାନେ ସକ୍ରିୟ ରାଜନୀତି ତଥା ଦଳୀୟ ଚିନ୍ତାଧାରାଠାରୁ ଦୂରରେ ରହି ସରକାରଙ୍କୁ ସହଯୋଗ କରିପାରିବେ।
ସର୍ବୋଚ୍ଚ ନ୍ୟାୟାଳୟ ରାଜ୍ୟପାଳଙ୍କ ନିକଟରେ ବହୁ ଦିନ ଧରି ବିଲ୍ ବିଚାରାଧୀନ ଥିବା, ଏପରିକି ୨୦୨୦ ପରଠାରୁ କିଛି ବିଲ୍ର ସମାଧାନ ହୋଇ ନ ଥିବା ଦର୍ଶାଇଥିଲେ। ମେହେଟା କହିଥିଲେ ଯେ ରାଜ୍ୟପାଳ ଓ ରାଷ୍ଟ୍ରପତିଙ୍କ ଉପରେ ନିର୍ଦ୍ଦିଷ୍ଟ ସମୟସୀମା ଲାଗୁ କରିବା ‘ସାମ୍ବିଧାନିକ ବିଶୃଙ୍ଖଳା’ର କାରଣ ହୋଇପାରେ। ଶୁଣାଣି ସମୟରେ ଖଣ୍ଡପୀଠ କହିଥିଲେ ଯେ ପ୍ରେସିଡେନ୍ସିଆଲ୍ ରେଫ୍ରେନ୍ସକୁ ଆପିଲେଟ୍ ଅଧିକାର ନୁହେଁ, ବରଂ ପରାମର୍ଶଦାତା ଅଧିକାରରେ ବିଚାର କରାଯିବ।