ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପୁରୀରୁ ପ୍ରାର୍ଥୀ କରିବା ଲାଗି ରାଜ୍ୟ ବିଜେପି ପ୍ରସ୍ତାବ ଦେବ

ଭୁବନେଶ୍ବର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପୁରୀରୁ ଲଢିବା ନେଇ ଆଗରୁ ଚର୍ଚ୍ଚା ହୋଇଛି। ତେବେ ଏ ନେଇ ଠୋସ୍ କିଛି ଜଣାପଡ଼ି ନ ଥିଲା। ମାତ୍ର ପୁରୀ ଲୋକସଭା ଆସନରୁ ମୋଦି ଲଢ଼ିବା ଲାଗି ରାଜ୍ୟ ବିଜେପି ପ୍ରସ୍ତାବ ଦେବ ବୋଲି ଜଣାପଡ଼ିଛି। ଏ ନେଇ ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା। ଏ ବାବଦରେ ବିଜେପିର ସଂସଦୀୟ ବୋର୍ଡ ନିଷ୍ପତ୍ତି ନେବ ବୋଲି ସେ ସ୍ପଷ୍ଟ କରିଛନ୍ତି। ୨୦୧୪ ନିର୍ବାଚନରେ ଉତ୍ତର ଭାରତରେ ବିଜେପିକୁ ଭଲ ସଫଳତା ମିଳିଥିଲା । ଏପରିକି ନରେନ୍ଦ୍ର ମୋଦି ତାଙ୍କ ପାରମ୍ପରିକ ଆସନ ବଡ଼ୋଦରା ସହ ଉତ୍ତରପ୍ରଦେଶର ବାରଣାସୀ ଆସନରୁ ଲଢିଥିଲେ ।

ବାରଣାସୀ ଆସନରେ ଲଢିବା ଫଳରେ ଉତରପ୍ରଦେଶର ବିଜେପିକୁ ସିଧା ଫାଇଦା ହୋଇଥିଲା । ରାଜ୍ୟର ମୋଟ ୮୦ ଲୋକସଭା ଆସନରୁ ବିଜେପିକୁ ମିଳିଥିଲା ୭୧ ଆସନ । ଉତ୍ତର ଭାରତ ପରେ ଏବେ ବିଜେପି ଟାର୍ଗେଟରେ ରହିଛି ପୂର୍ବ ଭାରତ । ଆସାମ, ତ୍ରିପୁରା ଓ ଅରୁଣାଚଳ ବିଜୟ ପରେ ଏବେ ଟାର୍ଗେଟରେ ରହିଛି ପଶ୍ଚିମବଙ୍ଗ ଓ ଓଡ଼ିଶା । ଓଡ଼ିଶାରେ ଦଳର ଆଗାମୀ ବିଧାନସଭାରେ ୧୨୦ ଆସନ ଜିତିବାକୁ ମନ୍ତ୍ର ଫୁଙ୍କିଛନ୍ତି ସଭାପତି ଅମିତ ଶାହ । ଏଭଳି ସ୍ଥଳେ ମୋଦି ପୁରୀରୁ ଲୋକସଭା ପାଇଁ ପ୍ରତିଦ୍ୱନ୍ଦିତା କଲେ ଦଳ ଲାଭବାନ ହେବ ବୋଲି ବିଜେପି ଆକଳନ କରୁଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ବିଜେପି ମୋଦିଙ୍କୁ ପୁରୀରୁ ଲଢିବା ପାଇଁ ପ୍ରସ୍ତାବ ଦେବ । ତେବେ ଏ ବାବଦରେ ଶେଷ ନିଷ୍ପତ୍ତି ନେବ ବିଜେପି ସଂସଦୀୟ ବୋର୍ଡ । ତେବେ ମୋଦି ଓଡ଼ିଶାରୁ ନିର୍ବାଚନ ଲଢ଼ିଲେ ଆମେ ସ୍ୱାଗତ କରିବୁ ବୋଲି କହିଛନ୍ତି ରାଜ୍ୟ ସଭାପତି ବସନ୍ତ ପଣ୍ଡା ।

ସମ୍ବନ୍ଧିତ ଖବର