ନୂଆଦିଲ୍ଲୀ: ଉଭୟ ସୁପ୍ରିମକୋର୍ଟ ଓ କାଲକାଟା ହାଇକୋର୍ଟଙ୍କ ତାଗିଦ ପରେ ବର୍ତ୍ତମାନ ରାଜ୍ୟ ନିର୍ବାଚନ ଆୟୋଗ ଗୃହ ମନ୍ତ୍ରାଳୟ ନିକଟରେ ୮୦୦ କମ୍ପାନୀ କେନ୍ଦ୍ରୀୟ ବାହିନୀ ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି | ବାସ୍ତବରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ରାଜ୍ୟ ନିର୍ବାଚନ ଆୟୋଗ କେନ୍ଦ୍ରୀୟ ବାହିନୀର ୨୨ଟି କମ୍ପାନୀ ନିୟୋଜନ ପାଇଁ ଦାବି କରାଯାଇଥିଲା। ତେବେ ଏନେଇ ହାଇକୋର୍ଟଙ୍କ ତାଗିଦ ପରେ ରାଜ୍ୟ ନିର୍ବାଚନ ଆୟୋଗ ଗୃହ ମନ୍ତ୍ରାଳୟରୁ ୮୦୦ଟି କେନ୍ଦ୍ରୀୟ ବାହିନୀର କମ୍ପାନୀ ଦାବି କରିଛନ୍ତି ଯାହା ଦ୍ୱାରା ସେମାନେ ରାଜ୍ୟର ସମସ୍ତ ଜିଲ୍ଲାରେ ନିୟୋଜିତ ହୋଇପାରିବେ। କେନ୍ଦ୍ର ଗୃହ ମନ୍ତ୍ରାଳୟ ମଧ୍ୟ କେନ୍ଦ୍ରୀୟ ବାହିନୀର ୩୧୫ କମ୍ପାନୀ ତୁରନ୍ତ ନିୟୋଜନ ପାଇଁ ନିର୍ଦ୍ଦେଶ ଜାରି କରିଛି। ସୂଚନା ଥାଉ କି ଯେ ପଶ୍ଚିମବଙ୍ଗରେ ପଞ୍ଚାୟତ ନିର୍ବାଚନ ପାଇଁ ଜୁଲାଇ ୮ରେ ଭୋଟ ଗ୍ରହଣ ଅନୁଷ୍ଠିତ ହେବ। ତେବେ ପଂଚାୟତ ନିର୍ବାଚନ ପାଇଁ ପଶ୍ଚିମବଙ୍ଗରେ ବ୍ୟାପକ ହିଂସାକାଣ୍ଡକୁ ଦେଖି କଲକତା ହାଇକୋର୍ଟ କେନ୍ଦ୍ରୀୟ ସୁରକ୍ଷା ବାହିନୀ ନିୟୋଜନ କରିବାକୁ ନିର୍ଦ୍ଦେଶ ଦେଇଥିଲେ | ଆଉ ପଶ୍ଚିମବଙ୍ଗ ସରକାର ଓ ରାଜ୍ୟ ନିର୍ବାଚନ ଆୟୋଗ ଏହି ରାୟକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ |

Advertisment

ତେବେ ସୁପ୍ରିମକୋର୍ଟ ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରିବାକୁ ମନା କରିଦେଇଥିବାବେଳେ ହାଇକୋର୍ଟ ଦେଇଥିବା ରାୟକୁ କାୟମ ରଖିଥିଲେ | ଏହା ପରେ ବି ରାଜ୍ୟ ନିର୍ବାଚନ ଆୟୋଗ କେବଳ ୨୨ଟି କେନ୍ଦ୍ରୀୟ ବାହିନୀର କମ୍ପାନୀ ନିୟୋଜନ କରିବାକୁ ଅନୁରୋଧ କରିଥିଲେ | ତେବେ ସୁପ୍ରିମକୋର୍ଟ ହାଇକୋର୍ଟଙ୍କ ରାୟକୁ କାଏମ ରଖିବାପରେ ହାଇକୋର୍ଟ ୨୪ ଘଣ୍ଟା ମଧ୍ୟରେ କେନ୍ଦ୍ରୀୟ ବାହିନୀ ମୁତୟନ ପାଇଁ ନିର୍ଦ୍ଦେଶ ଦେଇଥିଲେ । ୨୦୧୩ ନିର୍ବାଚନରେ ଯେତେସଂଖ୍ୟକ କେନ୍ଦ୍ରୀୟ ବାହିନୀ ମୁତୟନ ହୋଇଥିଲେ ତା’ଠାରୁ ଅଧିକ କେନ୍ଦ୍ରୀୟ ବାହିନୀ ମୁତୟନ କରିବାପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ପଶ୍ଚିମବଙ୍ଗରେ ୨୪ ଘଣ୍ଟା ମଧ୍ୟରେ ୮୨ ହଜାରରୁ ଅଧିକ କେନ୍ଦ୍ରୀୟ ବାହିନୀ ମୁତୟନ କରିବାପାଇଁ କାଲକାଟା ହାଇକୋର୍ଟ ଗତକାଲି ରାଜ୍ୟ ନିର୍ବାଚନ କମିସନ୍‌ (ଏସଇସି)ଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

୨୦୧୩ ପଂଚାୟତ ନିର୍ବାଚନରେ ୮୨ ହଜାର କେନ୍ଦ୍ରୀୟ ବାହିନୀ ନିଯୁକ୍ତ ହୋଇଥିବାବେଳେ ଏଥର ୧୭୦୦ କେନ୍ଦ୍ରୀୟ ବାହିନୀ ନିଯୁକ୍ତ ପାଇଁ ନିର୍ବାଚନ ଆୟୋଗ ଅନୁରୋଧ କରିଥିଲେ, ଯାହାକୁ ଅପର୍ଯ୍ୟାପ୍ତ ବୋଲି ହାଇକୋର୍ଟ କହିଥିଲେ | ହିଂସା ପ୍ରସଙ୍ଗରେ କାଲକାଟା ହାଇକୋର୍ଟର ମୁଖ୍ୟ ବିଚାରପତି ରାଜ୍ୟ ନିର୍ବାଚନ କମିସନରଙ୍କ ଉପରେ ବର୍ଷିଥିଲେ । ମୁଖ୍ୟ ବିଚାରପତି କହିଥିଲେ, ଯଦି ରାଜ୍ୟ ନିର୍ବାଚନ କମିସନର ଚାପ ନେଇପାରୁନାହାନ୍ତି ତେବେ ସେ ତାଙ୍କ ପଦରୁ ଇସ୍ତଫା ଦେଇ ଦିଅନ୍ତୁ।