ଆଉ ଖସିପାରିବେନି ନେତା: ଲୁଚିପାରିବନି ଅପରାଧ ରେକର୍ଡ

ବିଜ୍ଞାପନ ଦ୍ବାରା ଜଣାଇବାକୁ ବାଧ୍ୟ, ରାଜ୍ୟ ନିର୍ବାଚନ କମିସନ୍‌ଙ୍କୁ ଚିଠି

ମୁମ୍ବାଇ: ଦାଗୀ ନେତାଙ୍କୁ ଆଉ ନିସ୍ତାର ନାହିଁ। ନିଜ ଅପରାଧ ରେକର୍ଡ ଲୁଚାଇ ସେମାନେ ପୂର୍ବରୁ ଯେଭଳି ନିର୍ବାଚନ ବୈତରଣୀ ପାର୍‌ ହେଉଥିଲେ, ତାହାର ଆଉ ପୁନରାବୃତ୍ତି ହେବନାହିଁ। ଅପରାଧିକ ମାମଲା ସଂକ୍ରାନ୍ତ ସବୁ ତଥ୍ୟ ସେମାନଙ୍କୁ ବିଜ୍ଞାପନ ଦ୍ବାରା ସାର୍ବଜନୀନ କରିବାକୁ ହେବ। ଆଗାମୀ ୨୦୧୯ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି କେନ୍ଦ୍ରୀୟ ନିର୍ବାଚନ କମିସନ୍‌ ସମସ୍ତ ରାଜ୍ୟ ନିର୍ବାଚନ କମିସନ୍‌ଙ୍କୁ ଦାଗୀ ନେତାଙ୍କ ବାବଦରେ ଚିଠି ଲେଖିଛନ୍ତି। ଦାଗୀ ନେତାମାନେ ଉଭୟ ଖବରକାଗଜ ଏବଂ ଟିଭି ଚ୍ୟାନେଲ୍‌ରେ ସେମାନେ ନିଜ ବିରୋଧରେ ଚାଲିଥିବା ସମସ୍ତ ମାମଲାର ବିବରଣୀ ଦେବେ। ଏଭଳି ଦାଗୀ ନେତାମାନଙ୍କୁ ଟିକଟ୍ ଦେଉଥିବା ରାଜନୈତିକ ଦଳଗୁଡ଼ିକ ବି ନିଜ ନିଜ ୱେବ୍‌ସାଇଟ୍‌ରେ ସେମାନଙ୍କ ସମ୍ପର୍କରେ ବିସ୍ତୃତ ଭାବେ ରେକର୍ଡ ସ୍ଥାନିତ କରିବେ। ନିର୍ବାଚନ ପାଖେଇ ଆସୁଥିବା ବେଳେ କମିସନ୍‌ଙ୍କ ଏହି ଚିଠି ଦାଗୀ ନେତାଙ୍କ ମଧ୍ୟରେ ଛନକା ପୂରାଇ ଦେଇଛି। ଦାଗୀ ନେତାମାନେ ନିର୍ବାଚନ ଆୟୋଗଙ୍କ ନିକଟରେ ସତ୍ୟପାଠ ଦାଖଲ କରିଥାନ୍ତି। ପ୍ରତ୍ୟେକ ନିର୍ବାଚନ ପୂର୍ବରୁ ଔପଚାରିକତା ସ୍ବରୂପ ଏଭଳି ହୋଇଆସୁଛି। କିନ୍ତୁ ଏହି ନେତାଙ୍କୁ ଭୋଟ୍‌ ଦେବାକୁ ଥିବା ଲୋକମାନେ ସମ୍ପୂର୍ଣ୍ଣ ଅନ୍ଧାରରେ ‌ରହୁଛନ୍ତି। ସେମାନଙ୍କୁ ଦାଗୀ ନେତାଙ୍କ କାରନାମା ସମ୍ପର୍କରେ କୌଣସି ସୂଚନା ମିଳୁନାହିଁ। ନିର୍ବାଚନ କମିସନ୍‌ ମତଦାନକୁ ସ୍ବଚ୍ଛ କରିବା ପାଇଁ ଏଭଳି ଉଦ୍ୟମ ହାତକୁ ନେଇଛନ୍ତି। ନିର୍ବାଚନ କମିସନ୍‌ କହିଛନ୍ତି, କେବଳ ସତ୍ୟପାଠ ଦାଖଲ କଲେ ତାହା ଯଥେଷ୍ଟ ହେବନାହିଁ। ଦାଗୀ ନେତାମାନେ ସେମାନଙ୍କ ଅପରାଧ ରେକର୍ଡ ଲୋକଙ୍କ ଆଗରେ ଏଣିକି ଖୋଲାଖୋଲି ଭାବେ ଘୋଷଣା କରିବେ। ଆଶାୟୀ ନେତାମାନେ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ନିକଟରେ ନିଜ ନିର୍ବାଚନ ବାବଦ ଖର୍ଚ୍ଚ ସମେତ କେଉଁ ଖବରକାଗଜ ଓ ଟିଭିରେ ବିଜ୍ଞାପନ ଦେଇ ନିଜ ଅପରାଧ ତଥ୍ୟ ଦେଇଛନ୍ତି, ତାହାର ବିବରଣୀ ଦାଖଲ କରିବେ। ପୂର୍ବରୁ ସୁପ୍ରିମ୍‌ କୋର୍ଟ ମାର୍ଗଦର୍ଶିକା ଜାରି କରିସାରିଥିବା ବେଳେ ଏହାକୁ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନିଆଯାଇଛି। ସୁପ୍ରିମ୍ କୋର୍ଟଙ୍କ ମାର୍ଗଦର୍ଶିକା ମୁତାବକ ନାମାଙ୍କନ ପତ୍ର ଫେରାଇ ନେବାର ଶେଷ ତାରିଖଠାରୁ ମତଦାନର ଦୁଇଦିନ ପୂର୍ବରୁ ନେତାମାନେ ସେମାନଙ୍କ ଅପରାଧ ଚିଠାର ବିଜ୍ଞାପନ ଦେବେ। ସେମାନଙ୍କ ବିରୋଧରେ ହୋଇଥିବା ସମସ୍ତ ମାମଲାର ସୁବିସ୍ତୃତ ତାଲିକା ଖବରକାଗଜ ଓ ଟିଭି ଚ୍ୟାନେଲ୍ ମାଧ୍ୟମରେ ଉପସ୍ଥାପନ କରିବେ।

ସମ୍ବନ୍ଧିତ ଖବର