ନୂଆଦିଲ୍ଲୀ: ବୁଧବାର ଦିନ ମୃତ୍ୟୁବରଣ କରିଥିବା ଶିଳ୍ପପତି ରତନ ଟାଟାଙ୍କ ଶେଷକୃତ୍ୟ ମହାରାଷ୍ଟ୍ର ସରକାର ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ କରିବାକୁ ଘୋଷଣା କରିଛନ୍ତି। ରତନ ଟାଟାକୁ ନୈତିକତା ଏବଂ ଉଦ୍ୟୋଗର ଏକ ନିଆରା ମିଶ୍ରଣ ବୋଲି କହିଥିବା ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ମଧ୍ୟ ଶିଳ୍ପପତିଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ଗୁରୁବାର ଦିନ ରାଜ୍ୟରେ ଶୋକ ଦିବସ ଘୋଷଣା କରିଛନ୍ତି।
ଟାଟାଙ୍କ ମୃତଦେହକୁ ଗୁରୁବାର ଦିନ ସକାଳ ୧୦.୩୦ ରୁ ୪ଟା ପର୍ଯ୍ୟନ୍ତ ଦକ୍ଷିଣ ମୁମ୍ବାଇର ନରିମାନ ପଏଣ୍ଟରେ ଥିବା ନ୍ୟାସନାଲ ସେଣ୍ଟର୍ ଫର୍ ପର୍ଫମିଂ ଆର୍ଟ (ଏନସିପିଏ) ରେ ରଖାଯିବ। ଅପରାହ୍ନ ୩.୩୦ ସମୟରେ ତାଙ୍କ ମୃତଦେହକୁ ଶେଷ ରୀତିନୀତି ପାଇଁ ୱର୍ଲି ଶ୍ମସାନକୁ ନିଆଯିବ। କେନ୍ଦ୍ର ତରଫରୁ ରତନ ଟାଟାର ଶେଷ ରୀତିନୀତିରେ ଯୋଗଦେବେ ଗୃହମନ୍ତ୍ରୀ ଅମିତ ଶାହା। ଜନସାଧାରଣ ପାଇଁ ରତନ ଟାଟାଙ୍କ ମୃତଦେହକୁ ଗୁରୁବାର ଦିନ ସକାଳ ୧୦.୩୦ ସମୟରେ ମୁମ୍ବାଇର ଏନସିପିଏ ଲନ୍ସ, ନରିମାନ ପଏଣ୍ଟକୁ ନିଆଯିବ ବୋଲି ପରିବାର ଲୋକ ଏକ ବିବୃତିରେ କହିଛନ୍ତି।
ରତନ ଟାଟାଙ୍କ ଦେହାନ୍ତ ସହିତ ଏକ ଯୁଗର ଅବସାନ ହୋଇଛି। ଟାଟା ଗ୍ରୁପ୍କୁ ବିଶ୍ବରେ ପରିଚିତ କରିବାେର ସେ ଥିଲେ ବିନ୍ଧାଣି। ବ୍ୟବସାୟରେ ବିଚକ୍ଷଣ ଗୋଟିଚାଳନାରେ ସେ ଥିଲେ ସିଦ୍ଧହସ୍ତ। ସାରା ଜୀବନ ଅବିବାହିତ ରହିଥିବା ରତନ ଟାଟା ସର୍ବଦା ଲୋକମାନଙ୍କ ମଙ୍ଗଳ ଚିନ୍ତା କରୁଥିଲେ। ତାଙ୍କ ଭଳି ଜଣେ ଶିଳ୍ପପତିଙ୍କୁ ହରାଇବା ଭାରତ ଲାଗି ଅପୂରଣୀୟ କ୍ଷତି ହୋଇଛି। ରତନ ଟାଟାଙ୍କ ଜୀବନରୁ ମିଳୁଥିବା ସବୁଠୁ ବଡ଼ ପ୍ରେରଣା ହେଉଛି ବଡ଼ ସ୍ବପ୍ନ ଦେଖିବାକୁ ଭୟ କରନାହିଁ। ସ୍ବପ୍ନ ଦେଖ ଓ ତାହାକୁ ପୂରଣ କରିବା ଲାଗି ଚେଷ୍ଟା କର। ପ୍ରଥମେ ଲୋକମାନେ ଉପହାସ କରିପାରନ୍ତି, କିନ୍ତୁ ସଫଳତା ମିଳିବା ପରେ ସମସ୍ତେ ତାହାକୁ ସ୍ବୀକାର କରିବା ସହ ଗର୍ବିତ ହେବେ।