ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ଅନ୍ତ୍ୟେଷ୍ଟିରେ ମୋଦୀଙ୍କ ସମେତ ୧୦୦ ଦେଶର ପ୍ରତିନିଧି ସାମିଲ୍‌

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ଅନ୍ତ୍ୟେଷ୍ଟିରେ ଯୋଗ ଦେବା ଲାଗି ସୋମବାର ସନ୍ଧ୍ୟାରେ ଜାପାନ ଯାତ୍ରା କରିଛନ୍ତି। ସିଞ୍ଜୋ ଆବେଙ୍କ ଅନ୍ତିମ ସଂସ୍କାର ଆରମ୍ଭ ହୋଇଯାଇଛି। ଆବେଙ୍କ ଅନ୍ତିମ ସଂସ୍କାରରେ ୨୦ରୁ ଅଧିକ ରାଷ୍ଟ୍ରଧ୍ୟକ୍ଷ ଓ ସରକାରଙ୍କ ସମେତ ପ୍ରାୟ ୧୦୦ରୁ ଅଧିକ ଦେଶ ପ୍ରତିନିଧି ସାମିଲ୍‌ ହୋଇଛନ୍ତି। ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ଅନ୍ତିମ ସଂସ୍କାର ପାଇଁ ହୋଇଥିବା ଏହି କାର୍ଯ୍ୟକ୍ରମରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି।  ମୋଦୀ ଜାପାନ ଯାଇ ଜାପାନୀ ପ୍ରତିପକ୍ଷ ଫୁମିଓ କିସିଦାଙ୍କ ସହ ଦ୍ବାପାକ୍ଷିକ ଆଲୋଚନାରେ ଭାଗ ନେଇଛନ୍ତି।

ସୂଚନାଯୋଗ୍ୟ ଜାପାନକୁ ସୁଦୀର୍ଘକାଳ ଶାସନ କରିଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କର ଗତ ଜୁଲାଇ ୮ ତାରିଖରେ ଏକ ନିର୍ବାଚନୀ ମଞ୍ଚ ଉପରେ ଭାଷଣ ଦେଉଥିବା ବେଳେ ଜଣେ ଆତତାୟୀଙ୍କ ଗୁଳିମାଡ଼ରେ ମୃତ୍ୟୁ ହୋଇଥିଲା।

ଏହି ରାଷ୍ଟ୍ରୀୟ ଅନ୍ତ୍ୟେଷ୍ଟି ରାଣୀ ଏଲିଜାବେଥ୍-୨ୟଙ୍କଠାରୁ ବି ବଡ଼ ଆକାରରେ ଅନୁଷ୍ଠିତ ହୋଇଛି। ମଙ୍ଗଳବାର ସ୍ଥାନୀୟ ସମୟ ଅପରାହ୍ଣ ୨ଟାରେ କେନ୍ଦ୍ରୀୟ ଟୋକିଓର ନିପନ ବୁଦୋକାନଠାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଦ୍ବିତୀୟ ବିଶ୍ବଯୁଦ୍ଧ ପରେ ଏହା ହେଉଛି କୌଣସି ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ପାଇଁ ଅନୁଷ୍ଠିତ ହୋଇଥିବା ଦ୍ବିତୀୟ ରାଷ୍ଟ୍ରୀୟ ଅନ୍ତ୍ୟେଷ୍ଟି।

ସମ୍ବନ୍ଧିତ ଖବର