ରଥଯାତ୍ରା ମାମଲାରେ ପକ୍ଷଭୁକ୍ତ ହେଲେ ରାଜ୍ୟ ସରକାର: ପୁରୀରେ ଭକ୍ତଶୂନ୍ୟ ରଥଯାତ୍ରା ସପକ୍ଷରେ ସତ୍ୟପାଠ ଦାଖଲ

ପୁରୀରେ ଭକ୍ତଶୂନ୍ୟ ରଥଯାତ୍ରାକୁ ସମର୍ଥନ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ : ସୁପ୍ରିମକୋର୍ଟର ଜଣିକିଆ ବେଞ୍ଚରେ ରଥଯାତ୍ରା ପ୍ରସଙ୍ଗରେ ମୂଳ ମାମଲା ସହ ଆଦେଶ ମୋଡିଫିକେସନ ଆବେଦନଗୁଡ଼ିକର ଏକାଠି ଶୁଣାଣି ଆରମ୍ଭ ହେବା ଅବ୍ୟବହିତ ପୂର୍ବରୁ ମାମଲାରେ ରାଜ୍ୟ ସରକାର ପକ୍ଷଭୁକ୍ତ ହୋଇଛନ୍ତି। ଓଡ଼ିଶା ସରକାରଙ୍କ ପକ୍ଷରୁ ଏକ ସତ୍ୟପାଠ ଦାଖଲ କରାଯାଇଛି। ଏହି ସତ୍ୟପାଠରେ ଦର୍ଶାଯାଇଛି ଯେ ଯଦି ଶ୍ରୀମନ୍ଦିର ପରିଚାଳନା ସମିତିର ଅଧ୍ୟକ୍ଷ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ପ୍ରସ୍ତାବ କ୍ରମେ କେବଳ ପୁରୀରେ ଜନସାଧାରଣଙ୍କ ଯୋଗଦାନ ବ୍ୟତିରେକେ ରଥଯାତ୍ରା ଅନୁଷ୍ଠିତ ହୁଏ, ତେବେ ରାଜ୍ୟ ସରକାର ଏଥିଲାଗି ଆବଶ୍ୟକୀୟ ବ୍ୟବସ୍ଥା ଗ୍ରହଣ କରିବେ। ଏହା ଫଳରେ ପୁରୀରେ ରଥଯାତ୍ରାକୁ ଅନୁମତି ନେଇ ଆଶା ବଢ଼ିଛି। 

Sabrang India

କେନ୍ଦ୍ର ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ସୁପ୍ରିମ୍‌ କୋର୍ଟରେ ଉପସ୍ଥିତ ରହି ବିଚାରପତିଙ୍କୁ କହିଛନ୍ତି ଯେ ରଥଯାତ୍ରା ପରମ୍ପରା ଶତାବ୍ଦୀ ଶତାବ୍ଦୀ ଧରି ଚାଲି ଆସିଛି। ଏହାକୁ ଏପରି ହଠାତ୍‌ ବନ୍ଦ କରି ଦିଆଯାଇ ପାରିବ ନାହିଁ। ଯଦି ଚଳିତ ବର୍ଷ ରଥଯାତ୍ରାକୁ ବନ୍ଦ ରଖାଯାଉଛି ତେବେ ବିଧି ମୁତାବକ ଶ୍ରୀଜିଉମାନେ ଆଉ ଆସନ୍ତା ୧୨ ବର୍ଷ ପାଇଁ ରଥଯାତ୍ରରେ ବାହାରି ପାରିବେ ନାହିଁଁ। ତେଣୁ, କୋଭିଡ୍‌- ୧୯ ସଂକ୍ରମଣକୁ ରୋକିବା ପାଇଁ ପୁରୀରେ ଗୋଟିଏ ଦିନ ପାଇଁ କର୍ଫ୍ୟୁ ଜାରି କରାଯାଇ ଭକ୍ତଙ୍କ ବିନା ରଥଯାତ୍ରାର ଆୟୋଜନ କରାଯାଉ। ଏବଂ ଭକ୍ତମାନଙ୍କ ପାଇଁ ସରକାରଙ୍କ ପକ୍ଷରୁ ରଥଯାତ୍ରାର ସିଧା ପ୍ରସାରଣ କରାଯାଉ ବୋଲି ସେ ଯୁକ୍ତି ବାଢ଼ିଛନ୍ତି। ସଲିସିଟର ‌ଜେନେରାଲ ତୁଷାର ମେହାଟ୍ଟଙ୍କ ଏ ଯୁକ୍ତି ଓ ଓଡ଼ିଶା ରାଜ୍ୟ ସରକାରଙ୍କ ପକ୍ଷରୁ ଦାଖଲ ହୋଇଥିବା ସତ୍ୟପାଠକୁ ଅନୁଧ୍ୟାନ କରିବା ପରେ ସୁପ୍ରିମ୍‌ କୋର୍ଟର ବିିଚାରପତି ଜଷ୍ଟିସ୍‌ ଏସ୍‌ ରବୀନ୍ଦ୍ର ଭଟ୍ଟଙ୍କ ଜଣିକିଆ ବେଞ୍ଚ ଏହି ମାମଲାର ପରବର୍ତ୍ତୀ ଶୁଣାଣିକୁ ଅଧଘଣ୍ଟା ପରକୁ ଧାର୍ଯ୍ୟ କରିଛନ୍ତିି।

ଆଜିର ଏ ଘଟଣାକ୍ରମ ଚଳିତ ବର୍ଷ ପୁରୀରେ ଭକ୍ତଶୂନ୍ୟ ରଥଯାତ୍ରା ପାଇଁ ବାଟ ଫିଟାଇବ ବୋଲି ଆଶା କରାଯାଉଛି।

ସମ୍ବନ୍ଧିତ ଖବର