ତୈଳ ଦର ବୃଦ୍ଧି ପାଇଁ ରାଜ୍ୟ ସରକାରଙ୍କୁ ଦାୟୀ କରାଯାଇପାରିବ ନାହିଁ: ଉଦ୍ଧବ ଠାକେର

ମୁମ୍ବାଇ: ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ କରିବା ସମୟରେ କରୋନା ସ୍ଥିତିର ସମୀକ୍ଷା କରିବା ସହ ତୈଳ ଦର ବୃଦ୍ଧି ନେଇ ବିରୋଧୀଙ୍କୁ ଟାର୍ଗେଟ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ପେଟ୍ରୋଲ ଏବଂ ଡିଜେଲ ଉପରେ ଟିକସ ହ୍ରାସ କରିବା ଜରୁରୀ, ଯେପରି ନଭେମ୍ବର ମାସରେ କେନ୍ଦ୍ର ଏକ୍ସାଇଜ୍ ଶୁଳ୍କ ହ୍ରାସ କରିଥିଲା ବୋଲି ପ୍ରଧାନମନ୍ତ୍ରୀ ବିରୋଧୀଙ୍କୁ କହିଥିଲେ। ଏବେ ଏହା ଉପରେ ପ୍ରତିକ୍ରିୟା ଦେଇ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ପ୍ରଧାନମନ୍ତ୍ରୀଙ୍କୁ ପାଲଟା ଆକ୍ରମଣ କରିଛନ୍ତି। ତୈଳ ଦର ବୃଦ୍ଧି ପାଇଁ ରାଜ୍ୟ ସରକାରଙ୍କୁ ଦାୟୀ କରାଯାଇପାରିବ ନାହିଁ କହିଛନ୍ତି ଉଦ୍ଧବ ଠାକରେ।

ତାଙ୍କ କହିବା ମୁତାବକ, ମୁମ୍ବାଇରେ ଗୋଟିଏ ଲିଟର ଡିଜେଲ ମୂଲ୍ୟରେ ୨୪.୩୮ ଟଙ୍କା କେନ୍ଦ୍ର ପାଇଁ ଏବଂ ୨୨.୩୭ ଟଙ୍କା ରାଜ୍ୟ ପାଇଁ ରହିଛି। ପେଟ୍ରୋଲ ମୂଲ୍ୟରେ ୩୧.୫୮ ପଇସା ହେଉଛି କେନ୍ଦ୍ରୀୟ ଟ୍ୟାକ୍ସ ଏବଂ ୩୨.୫୫ ପଇସା ହେଉଛି ରାଜ୍ୟ ଟ୍ୟାକ୍। ତେଣୁ ରାଜ୍ୟ ହେତୁ ପେଟ୍ରୋଲ ଏବଂ ଡିଜେଲ ମହଙ୍ଗା ହେଉଥିବା କହିବା ଠିକ ନୁହେଁ। ତୈଳ ଦର ବୃଦ୍ଧି ପାଇଁ ରାଜ୍ୟ ସରକାରଙ୍କୁ ଦାୟୀ କରାଯାଇପାରିବ ନାହିଁ।

ତୈଳ ମୂଲ୍ୟ ବୃଦ୍ଧି ପାଇଁ ରୁଷ-ୟୁକ୍ରେନ ଯୁଦ୍ଧକୁ ଦାୟୀ କରିବା ସହ ପ୍ରଧାନମନ୍ତ୍ରୀ କହିଥିଲେ ଯେ, କେନ୍ଦ୍ର-ରାଜ୍ୟ ମଧ୍ୟରେ ସମନ୍ୱୟ ରହିବା ଜରୁରୀ। ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ପେଟ୍ରୋଲ ଏବଂ ଡିଜେଲ ଉପରେ ଟିକସ ହ୍ରାସ କରିବା ଜରୁରୀ, ଯେପରି ନଭେମ୍ବର ମାସରେ କେନ୍ଦ୍ର ଏକ୍ସାଇଜ୍ ଶୁଳ୍କ ହ୍ରାସ କରିଥିଲା। ପ୍ରଧାନମନ୍ତ୍ରୀଙ୍କ ଏହି ବିବୃତି ଏପରି ଏକ ସମୟରେ ଆସିଛି ଯେତେବେଳେ ପେଟ୍ରୋଲ-ଡିଜେଲ, ପିଏନଜି, ସିଏନଜି ମୂଲ୍ୟ ବୃଦ୍ଧିରେ ଜନସାଧାରଣ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ପ୍ରସଙ୍ଗକୁ ନେଇ ବିରୋଧୀ ମୋଦୀ ସରକାରଙ୍କୁ ଘେରୁଥିବା ବେଳେ ବର୍ତ୍ତମାନ ପ୍ରଧାନମନ୍ତ୍ରୀ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଭାଟ୍ ହ୍ରାସ କରିବାକୁ ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର