ନୂଆଦିଲ୍ଲୀ: କେନ୍ଦ୍ର ସରକାର ଜାରି କରିଥିବା ‘ଅନ୍ଲକ୍-୪’ ଗାଇଡଲାଇନରେ ଅଧିକାଂଶ କୋହଳ କଣ୍ଟେନ୍ମେଣ୍ଟ ଜୋନ୍ ବାହାରେ କାର୍ଯ୍ୟକାରୀ କରିଛନ୍ତି। କରୋନା ମହାମାରୀ ସଂକ୍ରମଣକୁ ନଜରରେ ରଖି କଣ୍ଟେନ୍ମେଣ୍ଟ ଜୋନ୍ରେ କଟକଣା କଡାକଡ଼ି ରଖାଯାଇଛି । ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ କଣ୍ଟେନ୍ମେଣ୍ଟ ଜୋନ୍ରେ ଲକ୍ଡାଉନ୍ ବଳବତ୍ତର ରହିବ ବୋଲି ଗୃହ ମନ୍ତ୍ରାଳୟ ପକ୍ଷରୁ ଘୋଷଣା କରାଯାଇଛି।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, କଣ୍ଟେନ୍ମେଣ୍ଟ ଜୋନ୍ ବାହାରେ ରାଜ୍ୟ ସରକାର ଲକ୍ଡାଉନ୍ ଘୋଷଣା କରି ପାରିବେ ନାହିଁ ବୋଲି ଏହି ଗାଇଡଲାଇନରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି।ପୂର୍ବରୁ ଏହି କ୍ଷମତା କେନ୍ଦ୍ର ସରକାର ରାଜ୍ୟ ସରକାରମାନଙ୍କୁ ଦେଇଥିଲେ ମାତ୍ର ଏହାକୁ ଅନଲକ-୪ରେ ପ୍ରତ୍ୟାହାର କରି ନିଆଯାଇଛି। କୌଣସି ରାଜ୍ୟ ସରକାର କିମ୍ବା କେନ୍ଦ୍ରଶାସିତ ଅଞ୍ଚଳର ସରକାର ରାଜ୍ୟ, ଜିଲ୍ଲା ଓ ସବ୍ଡିଭିଜନ୍, ସହର ଓ ଗ୍ରାମାଞ୍ଚଳରେ କଣ୍ଟେନ୍ମେଣ୍ଟ ଜୋନ୍ ବାହାରେ ଲକ୍ଡାଉନ୍ ଘୋଷଣା କରିବେ ନାହିଁ। କେନ୍ଦ୍ର ସରକାରଙ୍କ ପୂର୍ବ ଅନୁମୋଦନ ବିନା ଏପରି କରାଯାଇ ପାରିବ ନାହିଁ ବୋଲି ଗାଇଡଲାଇନରେ କୁହାଯାଇଛି।
ଜିଲ୍ଲା ପ୍ରଶାସନ ଓ ପୌର ପ୍ରଶାସନ କୋଭିଡ ସଂକ୍ରମଣକୁ ନଜରରେ ରଖି କଣ୍ଟେନ୍ମେଣ୍ଟ ଜୋନ୍ ଘୋଷଣା କରିବେ। ଏହି ଜୋନ୍ଗୁଡ଼ିକରେ କେବଳ ଅତ୍ୟାବଶ୍ୟକୀୟ ସାମଗ୍ରୀ ଯୋଗାଣ ବ୍ୟତୀତ ଅନ୍ୟ କୌଣସି କାର୍ଯ୍ୟ ହୋଇ ପାରିବ ନାହିଁ। ସେହିପରି ଅନ୍ଲକ୍-୪ ଗାଇଡଲାଇନ୍ ଅନୁସାରେ ଜିଲ୍ଲା ପ୍ରଶାସନ ଓ ପୌର ପ୍ରଶାସନ କେଉଁ ଅଞ୍ଚଳକୁ କଣ୍ଟେନ୍ମେଣ୍ଟ ଜୋନ୍ ଘୋଷଣା କଲେ ତାହାକୁ ସରକାରୀ ୱେସାଇଟରେ ପ୍ରକାଶ କରିବେ। ଏଥିସହିତ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟକୁ ମଧ୍ୟ ଏବାବଦରେ ସୂଚିତ କରିବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/08/state-lockdown-29_Thumb.jpg)