ଭୁବନେଶ୍ୱର:- ସାର୍ବଜନୀନ ଟିକାକରଣ କାର୍ଯ୍ୟକ୍ରମ ଅଧୀନରେ ଟିକାର ଗୁଣବତ୍ତା ସମ୍ପୂର୍ଣ୍ଣ ପରିଚାଳନା ପାଇଁ ରାଜ୍ୟ ଟିକା ଭଣ୍ଡାର ଦେଶର ପ୍ରଥମ ଟିକା ଭଣ୍ଡାର ଭାବେ ଆଇଏସଓ ୯୦୦୦୧-୨୦୧୫ ସାର୍ଟିଫିକେଟ୍‌ ପାଇଛି । ଟିକାର ଉପଯୁକ୍ତ ସଂରକ୍ଷଣ, କୋଲ୍‌ଡ ଚେନ୍‌ ପରିଚାଳନା, ଯୋଗାଣ ଶୃଙ୍ଖଳ ପରିଚାଳନା, ଅନ୍‌ଲାଇନ୍‌ ସଫ୍ଟୱେର ଜରିଆରେ କମ୍ପ୍ୟୁଟରୀକୃତ ରେକର୍ଡ, ପ୍ରତ୍ୟହ ଦୁଇଥର ତାପମାତ୍ରା ପରୀକ୍ଷା ଦ୍ୱାରା ଟିକାର ମାନ ବଜାୟ ରଖିବା ଓ ଶୂନ୍ୟ ଅପଚୟ ପରି ମାନକଗୁଡ଼ିକ ପାଇଁ ରାଜ୍ୟ ଟିକା ଭଣ୍ଡାରକୁ ଏହି ପ୍ରମାଣପତ୍ର ମିଳିଛି ।

Advertisment

ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ ଓ ସ୍ୱାସ୍ଥ୍ୟକର୍ମୀମାନଙ୍କ ନିରନ୍ତର ପ୍ରୟାସ ଓ ଉତ୍ସର୍ଗୀକୃତ ସେବା ମନୋଭାବ ଯୋଗୁ ଏହି ସଫଳତା ମିଳିପାରିଛି ।

ସଠିକ କୋଲ୍‌ଡ ଚେନ୍‌ ବ୍ୟବସ୍ଥା ଏବଂ ଟିକାର ଉପଯୁକ୍ତ ପରିବହନ ସାର୍ବଜନୀନ ଟିକାକରଣ କାର୍ଯ୍ୟକ୍ରମର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ । ହିତାଧିକାରୀଙ୍କ ପାଖରେ ପହଞ୍ଚିବା ପର୍ଯ୍ୟନ୍ତ ଅନୁମୋଦିତ ତାପମାତ୍ରାରେ ଟିକାକୁ ସୁରକ୍ଷିତ ରଖିବା ପାଇଁ ଓଡ଼ିଶାରେ ରାଜ୍ୟ ଟିକା ଭଣ୍ଡାର, ୯ଟି ଆଞ୍ଚଳିକ ଏବଂ ୩୨ଟି ଜିଲ୍ଲା ଟିକା ଭଣ୍ଡାର ସମେତ ୧୨୬୩ଟି କୋଲ୍‌ଡ ଚେନ୍‌ କେନ୍ଦ୍ର ରହିଛି ।

ସମସ୍ତ ଟିକାର ଦୈନନ୍ଦିନ ଯୋଗାଣ ଶୃଙ୍ଖଳ ଓ ଗୁଣବତ୍ତାର ପରିଚାଳନା ପାଇଁ ସମସ୍ତ ଟୀକା ଭଣ୍ଡାରରେ ଉତ୍ତମ ତାଲିମପ୍ରାପ୍ତ କର୍ମଚାରୀ ନିୟୋଜିତ ଅଛନ୍ତି ।  

ଅଧିକ ପଢ଼ନ୍ତୁ: ବ୍ରହ୍ମପୁର ବିଶ୍ବବିଦ୍ୟାଳୟ କୁଳପତି ଡିଜିଟାଲ ଆରେଷ୍ଟ୍‌ର ଶିକାର: ୧୪ ଲକ୍ଷ ଠକିନେଲେ ଠକ

ପ୍ରତିବର୍ଷ ୯.୪ ଲକ୍ଷ ଗର୍ଭବତୀ ମହିଳା, ୭.୯ ଲକ୍ଷ ନବଜାତ ଓ ୨୮ ଲକ୍ଷ କିଶୋର-କିଶୋରୀଙ୍କ ଟିକାକରଣ ଲକ୍ଷ୍ୟ ପୂରଣ ପାଇଁ ଟିକା ଭଣ୍ଡାରଗୁଡ଼ିକ ୨.୩୬ କୋଟି ଟିକାର ଉପଯୁକ୍ତ ସଂରକ୍ଷଣ ଏବଂ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କ ପାଖରେ ଏହାକୁ ସୁରକ୍ଷିତ ଭାବେ ପହଞ୍ଚାଇବା ପାଇଁ ଯତ୍ନବାନ ରହିଛି । 

ସୂଚନାଯୋଗ୍ୟ, ପୂର୍ବରୁ ରାଜ୍ୟର ୭ଟି ଆଞ୍ଚଳିକ ଏବଂ ୨୨ଟି ଜିଲ୍ଲା ଟିକା ଭଣ୍ଡାରଆଇଏସଓ ୯୦୦୦୧-୨୦୧୫ ପ୍ରମାଣପତ୍ର ପାଇସାରିଛନ୍ତି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଲୋକ ସମ୍ପର୍କ ଅଧିକାରୀ  ସୌରଭ ପ୍ରଧାନ ସୂଚନା ପ୍ରଦାନ କରିଛନ୍ତି।

ଅଧିକ ପଢ଼ନ୍ତୁ: ୩୦୦ କୋଟି ପାର୍ କଲା ଭିକି କୌଶଲଙ୍କ ଅଭିନୀତ ଫିଲ୍ମ 'ଛାବା'