ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ସୁଡ଼ଙ୍ଗ ଭିତରେ ଫସି ରହିଥିବା ୪୧ ଜଣ ଶ୍ରମିକଙ୍କୁ ୧୭ ଦିନର ଅପରେସନ ପରେ ଉଦ୍ଧାର କରାଯିବା ପରେ ଟନେଲ ବିଶେଷଜ୍ଞ ଆର୍ନୋଲ୍ଡ ଡିକ୍ସ କହିଛନ୍ତି ଯେ ସୁଡ଼ଙ୍ଗ ବାହାରେ ଅସ୍ଥାୟୀ ମନ୍ଦିରରେ ଥିବା ଦେବାତାଙ୍କ ଆଶୀର୍ବାଦ ଯୋଗୁ ଉଦ୍ଧାର କାର୍ଯ୍ୟ ସଫଳ ହୋଇଛି। ସେଥିପାଇଁ ଦେବତାଙ୍କୁ ଧନ୍ୟବାଦ ଜଣାଇବା ପାଇଁ ମନ୍ଦିରକୁ ଯିବାକୁ ପଡ଼ିବ ବୋଲି ସେ କହିଥିଲେ। ଦୀର୍ଘ ଦିନ ଧରି ଚାଲିଥିବା ଏହି ଅପରେସନ ସମୟରେ ଉଦ୍ଧାର ସ୍ଥଳରେ ଏକ ପରିଚିତ ଚେହେରା ପାଲଟିଥିବା ଡିକ୍ସ କହିଛନ୍ତି ଯେ ଫସି ରହିଥିବା ଶ୍ରମିକମାନେ ସଫଳ ଭାବେ ଉଦ୍ଧାର ହେବା ଏକ ଚମତ୍କାର। ଆଜି ସକାଳେ ଏକ ଗଣମାଧ୍ୟମ ସଂସ୍ଥାକୁ ଡିକ୍ସ କହିଛନ୍ତି, ମୁଁ କହିଥିଲି ଯେ ଖ୍ରୀଷ୍ଟମାସ ସୁଦ୍ଧା ୪୧ ଜଣ ଲୋକ ଉଦ୍ଧାର ପାଇବେ ଏବଂ କେହି ଆହତ ହେବେ ନାହିଁ। ଆମେ ଏକ ଚମତ୍କାର ଦଳ ଭାବରେ କାମ କରିଥିଲୁ। ଭାରତରେ ଶ୍ରେଷ୍ଠ ଇଞ୍ଜିନିୟର ଅଛନ୍ତି। ଏହି ସଫଳ ଅଭିଯାନରେ ସାମିଲ ହେବା ମୋ ପାଇଁ ଖୁସିର ବିଷୟ ଥିଲା। ଜେନିଭାସ୍ଥିତ ଇଣ୍ଟରନ୍ୟାସନାଲ ଟନେଲିଂ ଆଣ୍ଡ ଅଣ୍ଡରଗ୍ରାଉଣ୍ଡ ସ୍ପେସ୍ ଆସୋସିଏସନର ସଭାପତି ଡିକ୍ସ ଜଣେ ପ୍ରଫେସର ଓ ବାରିଷ୍ଟର ମଧ୍ୟ। ସେ ଉଦ୍ଧାରକାରୀ ଦଳକୁ ସହଯୋଗ କରିବା ସହ ଅପରେସନର ଅଗ୍ରଗତି ସମ୍ପର୍କରେ ଗଣମାଧ୍ୟମକୁ ଅବଗତ କରାଉଥିଲେ। ସଙ୍କଟ ସମୟରେ ସାହାଯ୍ୟ ପାଇଁ ଦୌଡ଼ି ଆସିଥିବାରୁ ତାଙ୍କୁ ଖୁବ୍ ପ୍ରଶଂସା ମିଳିଥିଲା।

Advertisment

ଗତକାଲି ଡିକ୍ସ ଅସ୍ଥାୟୀ ମନ୍ଦିର ସମ୍ମୁଖରେ ଶ୍ରମିକଙ୍କ ସୁରକ୍ଷା ପାଇଁ ପ୍ରାର୍ଥନା କରୁଥିବାର ଏକ ଭିଡିଓ ଅନେକଙ୍କ ହୃଦୟ ଜିଣିନେଇଥିଲା। ଉଦ୍ଧାର କାର୍ଯ୍ୟ ସଫଳତାର ସହ ସମ୍ପନ୍ନ ହେବା ପରେ ଡିକ୍ସ କହିଥିଲେ, ‘ମୋତେ ମନ୍ଦିର ଯିବାକୁ ପଡିବ କାରଣ ଯାହା ଘଟିଲା ସେଥିପାଇଁ ମୁଁ ଦେବତାଙ୍କୁ ଧନ୍ୟବାଦ ଦେବାକୁ ପ୍ରତିଶ୍ରୁତି ଦେଇଥିଲି। ଆପଣ ଦେଖି ନ ଥାଇ ପାରନ୍ତି, କିନ୍ତୁ ଆମେ ଦେଖିଛୁ ଏହା ଏକ ଚମତ୍କାର ଥିଲା। ଅର୍ଥାତ୍ ଦେବତାଙ୍କ ଆଶୀର୍ବାଦରେ ହିଁ ଉଦ୍ଧାର କାର୍ଯ୍ୟ ସଫଳ ହେଲା ବୋଲି ଡିକ୍ସ ସ୍ବୀକାର କରିଛନ୍ତି। ଅଷ୍ଟ୍ରେଲୀୟ ନାଗରିକ ଡିକ୍ସଙ୍କୁ ମଧ୍ୟ ଭାରତରେ ଥିବା ତାଙ୍କ ଦେଶର ରାଷ୍ଟ୍ରଦୂତ ପ୍ରଶଂସା କରିଥିଲେ।