ନୂଆଦିଲ୍ଲୀ: ନେହରୁ ମେମୋରିଆଲ ମ୍ୟୁଜିୟମ୍ ଆଣ୍ଡ ଲାଇବ୍ରେରି (ଏନ୍‌ଏମ୍‌ଏମ୍‌ଏଲ୍‌)ର ନାମ ପରିବର୍ତ୍ତନ କରି ତାକୁ ପ୍ରାଇମ୍ ମିନିଷ୍ଟର୍ସ ମ୍ୟୁଜିୟମ୍ ଆଣ୍ଡ ଲାଇବ୍ରେରି (ଏମ୍‌ଏମ୍‌ଏମ୍‌ଏଲ୍‌) ଭାବେ ପୁନର୍ନାମିତ କରାଯିବାକୁ ନେଇ ବିବାଦ ଦେଖା ଦେଇଛି। କଂଗ୍ରେସ ଦଳ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏହି ପଦକ୍ଷେପକୁ ସମାଲୋଚନା କରାଯାଇଛି। ପ୍ରଧାନମନ୍ତ୍ରୀ ମୋଦୀ ନେହରୁ ଲିଗାସୀକୁ ଧ୍ବଂସ କରିବାକୁ ଓ ତାଙ୍କୁ ବଦନାମ କରିବାକୁ ଚେଷ୍ଟା କରୁଛନ୍ତି ବୋଲି ସେମାନେ ଅଭିଯୋଗ କରିଛନ୍ତି। ଏ ପ୍ରସଙ୍ଗରେ ମତବ୍ୟକ୍ତ କରି ପ୍ରଧାନମନ୍ତ୍ରୀ ମ୍ୟୁଜିୟମ୍‌ ନିର୍ବାହୀ ପରିଷଦର ଉପାଧ୍ୟକ୍ଷ ଏ ସୂର୍ଯ୍ୟ ପ୍ରକାଶ କହିଛନ୍ତି ଯେ ଯେଉଁମାନେ ସମାଲୋଚନା କରୁଛନ୍ତି, ସେମାନେ ମ୍ୟୁଜିୟମ୍ ଆସନ୍ତୁ ନାମ ପରିବର୍ତ୍ତନର ଯଥାର୍ଥତା ବୁଝିଯିବେ।

Advertisment

ଏକ ଗଣମାଧ୍ୟମ ସଂସ୍ଥାକୁ ପ୍ରକାଶ କହିଛନ୍ତି, ଯଦି ଆପଣ ନେହରୁ ମ୍ୟୁଜିୟମ୍ ପୂର୍ବରୁ ଦେଖିଥିବେ, ତେବେ ବର୍ଷ ବର୍ଷ ଧରି ନେହରୁ-ଗାନ୍ଧି ପରିବାର ହାତରେ ଥିବା ଏହି ମ୍ୟଜିୟମ୍‌କୁ ସେମାନେ କିପରି ରଖିଥିଲେ ଏବଂ ନେହରୁଙ୍କୁ ସେମାନେ କିଭଳି ଉପସ୍ଥାପନ କରୁଥିଲେ ସେ ବିଷୟରେ କିଛି ଧାରଣା ଥିବ। ଗତ ଜୁନ ମଧ୍ୟଭାଗରେ ଏନ୍‌ଏମ୍‌ଏମ୍‌ଏଲ୍‌ ସୋସାଇଟିର ଏକ ସ୍ବତନ୍ତ୍ର ବୈଠକରେ ଏହାର ନାମ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା।

ପ୍ରକାଶ କହିଛନ୍ତି, ଆଜି ଯଦି ଆପଣ ପିଏମ୍‌ ମ୍ୟୁଜିୟମ୍‌କୁ ଆସିବେ ତେବେ ଫରକ ଜାଣିପାରିବେ। ଆପଣ ତିନ ମୂର୍ତ୍ତି ଭବନ ଯାଆନ୍ତୁ, ଦେଖିବେ ସେଠାରେ ନେହରୁଙ୍କ ପ୍ରତିକୃତିକୁ କିପରି ଉପସ୍ଥାପନ କରାଯାଇଛି। ନେହରୁଙ୍କ ଅମଳରେ ହୋଇଥିବା ହୀରାକୁଦ ବନ୍ଧ, ନାଗାର୍ଜୁନ ସାଗର ବନ୍ଧ, ତାଙ୍କର ଆଇଆଇଟି ଓ ଯୋଜନା କମିସନ ପ୍ରତିଷ୍ଠା କରିବାର ଚିନ୍ତାଧାରା ଆଦି ଏଥିରେ ପ୍ରଦର୍ଶିତ ହୋଇଛି। ତିନ ମୂର୍ତ୍ତି ଭବନ ଥିଲା ପ୍ରଥମ ପ୍ରଧାନମନ୍ତ୍ରୀ ନେହରୁଙ୍କ ସରକାରୀ ବାସସ୍ଥାନ। ନେହରୁଜୀ ତାଙ୍କ ଜୀବନରେ ଭାରତ ପାଇଁ ଯାହା ଯାହା କରିଛନ୍ତି, ତାହା ଏଥିରେ ପ୍ରଦର୍ଶନ କରାଯାଇଛି। ଏଣୁ ନେହରୁଙ୍କୁ କୌଣସି ପ୍ରକାର ହତାଦର କରାଯାଇ ନାହିଁ ବୋଲି ପ୍ରକାଶ କରିଛନ୍ତି। ତେବେ ଏହି ମ୍ୟୁଜିୟମ୍‌ରେ ଅନ୍ୟ ସମସ୍ତ ପ୍ରଧାନମନ୍ତ୍ରୀଙ୍କର ପ୍ରତିକୃତି ଓ କାର୍ଯ୍ୟାବଳୀ ମଧ୍ୟ ସନ୍ନିବେଶିତ କରାଯାଇଥିବାରୁ ନେହରୁ ମ୍ୟୁଜିୟମ୍ ବଦଳରେ ଏହାକୁ ପ୍ରଧାନମନ୍ତ୍ରୀ ମ୍ୟୁଜିୟମ୍ ଭାବେ ନାମକରଣ କରାଯିବାର ଯଥାର୍ଥତା ରହିଛି ବୋଲି ସେ କହିଛନ୍ତି।

ନେହରୁ ତାଙ୍କ କାମ ପାଇଁ ପରିଚିତ, ନାଁ ପାଇଁ ନୁହେଁ: ରାହୁଲ
ନୂଆଦିଲ୍ଲୀ : ନେହରୁ ମେମୋରିଆଲ ମ୍ୟୁଜିୟମ ଆଣ୍ଡ୍‌ ଲାଇବ୍ରେରି (ଏନଏମଏମଏଲ)ର ନାମ ପରିବର୍ତ୍ତନକୁ ନେଇ ରାଜନୈତିକ ବିବାଦ ଆରମ୍ଭ ହୋଇଥିବା ବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧି ଆଜି କହିଛନ୍ତି, ଜବାହରଲାଲ ନେହରୁ ତାଙ୍କ ନାଁ ପାଇଁ ନୁହେଁ ବରଂ ସେ ଯେଉଁ କାମ କରିଛନ୍ତି ସେଥିପାଇଁ ସେ ପରିଚିତ। ଉଲ୍ଲେଖଯୋଗ୍ୟ, ନେହରୁ ମ୍ୟୁଜିୟମର ନାଁ ପରିବର୍ତ୍ତନକୁ ନେଇ କଂଗ୍ରେସ ମୋଦୀ ସରକାରଙ୍କ ଉପରେ ତୀବ୍ର ଆକ୍ରମଣ କରିଛି। କଂଗ୍ରେସ ସାଧାରଣ ସଚିବ ଜୟରାମ ରମେଶ କହିଛନ୍ତି, ଦେଶର ସ୍ବା‌ଧୀନତା ସଂଗ୍ରାମରେ ଜବାହରଲାଲ ନେହରୁଙ୍କ ଅବଦାନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେବେ ହଟାଇ ପାରିବେନି। ଏହା ଅତି ଶସ୍ତା ରାଜନୀତି ବୋଲି କଂଗ୍ରେସ କହିଛି। ଉଲ୍ଲେଖଯୋଗ୍ୟ, ୭୭ତମ ସ୍ବାଧୀନତା ଦିବସ ଅବସରରେ ଏନଏମଏମଏଲ (ନେହରୁ ମେମୋରିଆଲ ମ୍ୟୁଜିୟମ ଆଣ୍ଡ୍‌ ଲାଇବ୍ରେରି)ର ପିଏମଏମଏଲ୍‌ (ପ୍ରାଇମ ମିନିଷ୍ଟର୍ସ ମ୍ୟୁଜିୟମ ଆଣ୍ଡ ଲାଇବ୍ରେରି) ନାମକୁ ସରକାରୀ ସ୍ବୀକୃତି ମିଳିଛି। ଗତ ଜୁନ୍‌ରେ ନେହରୁ ମ୍ୟୁଜିୟମର ନାଁ ପରିବର୍ତ୍ତନ କରି ପ୍ରଧାନମନ୍ତ୍ରୀ ମ୍ୟୁଜିୟମ କରିବାପାଇଁ ନିଷ୍ପତ୍ତି ନିଆଯାଇଥିଲା।