ବରିଷ୍ଠ ଆର୍‌ଏସ୍‌ଏସ୍‌ ନେତାଙ୍କ ବୟାନ: ଅହଙ୍କାରୀ ୨୪୦ରେ ଅଟକିଲେ

ପ୍ରଭୁ ଶ୍ରୀରାମଙ୍କ ବିରୋଧୀ ଦ୍ବିତୀୟରେ ରହିଲେ

ଜୟପୁର: ଆରଏସ୍‌ଏସ୍‌ (ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ)ର ଜଣେ ବରିଷ୍ଠ ନେତା ଇନ୍ଦ୍ରେଶ କୁମାର ଆଜି କହିଛନ୍ତି, ଶାସକ ଦଳ ଅହଙ୍କାରୀ ହୋଇଯିବାରୁ ସଂଖ୍ୟାଗରିଷ୍ଠତା ହାସଲ କରିପାରିଲାନି ଏବଂ ବିରୋଧୀ ଇଣ୍ଡି ମେଣ୍ଟ ପ୍ରଭୁ ଶ୍ରୀରାମଙ୍କ ବିରୋଧୀ ହେବାରୁ ଏହା ଦ୍ବିତୀୟ ସ୍ଥାନରେ ରହିଲା। ଜୟପୁର ନିକଟସ୍ଥ କନୋଟାରେ ରାମରଥ ଯାତ୍ରା ଦର୍ଶନ ପୁଜନ ସମାରୋହ କାର୍ଯ୍ୟକ୍ରମରେ ଯୋଗଦେଇ ଇନ୍ଦ୍ରେଶ କୁମାର କହିଛନ୍ତି, ଯେଉଁ ଦଳ ପ୍ରଭୁ ଶ୍ରୀରାମଙ୍କୁ ଭକ୍ତି କଲା କିନ୍ତୁ ଧୀରେଧୀରେ ଅହଙ୍କାରୀ ହୋଇଗଲା ତାହା ୨୪୦ ଆସନରେ ଅଟକିଗଲା। ଅବଶ୍ୟ ଏହା ସବୁଠାରୁ ବଡ଼ ଦଳରେ ପରିଣତ ହେଲା। ଅନ୍ୟପକ୍ଷେ ଯେଉଁମାନଙ୍କର ପ୍ରଭୁ ଶ୍ରୀରାମଙ୍କ ଉପରେ ଭରସା ଏବଂ ବିଶ୍ବାସ ନାହିଁ ସେମାନେ ୨୩୪ରେ ଅଟକିଗଲେ।

ସେ କହିଛନ୍ତି, ଗଣତନ୍ତ୍ରରେ ରାମରାଜ୍ୟର ବିଧାନ ଏବେ ଦେଖିବାକୁ ମିଳିଛି ଏବଂ ଲୋକସଭା ନିର୍ବାଚନରେ ତାହା ପ୍ରମାଣିତ ହୋଇଛି। ରାମଙ୍କୁ ବିରୋଧ କରିବା ଲୋକଙ୍କୁ କ୍ଷମତା ମିଳେନାହିଁ ଏବଂ ସେମାନେ (ଇଣ୍ଡି ମେଣ୍ଟ) ଏକାଠି ଦ୍ବିତୀୟ ସ୍ଥାନରେ ରହିଲେ ବୋଲି ଇନ୍ଦ୍ରେଶ କହିଛନ୍ତି।
ଉଲ୍ଲେଖଯୋଗ୍ୟ, ଆରଏସଏସ ମୁଖ୍ୟ ମୋହନ ଭାଗବତ ନିକଟରେ ଏକ ଟିପ୍ପଣୀ ଦେଇ କହିଥି‌ଲେ ଯେ ପ୍ରକୃତ ସେବକମାନେ ବିନା ଅହଙ୍କାରରେ ଲୋକଙ୍କର ସେବା କରିବା ଉଚିତ ଏବଂ ସମ୍ମାନ ରକ୍ଷା କରିବା ଉଚିତ। ସେ କହିଥିଲେ ଯେଉଁମାନେ ପ୍ରଭୁ ଶ୍ରୀରାମଙ୍କୁ ପୂଜା କରୁଛନ୍ତି ସେମାନେ ନମ୍ର ହେବା ଉଚିତ।

ସମ୍ବନ୍ଧିତ ଖବର