ବାକୁ: କାଜାଖସ୍ତାନରେ ଆଜରବଇଜାନ ଏୟାରଲାଇନ୍ସର ଏକ ବିମାନକୁ ରୁଷ୍ ଗତ ୨୫ ତାରିଖରେ କ୍ଷେପଣାସ୍ତ୍ର ମାରି ଖସାଇ ଦେବା ସ୍ପଷ୍ଟ ହେବାପରେ ଏହାକୁ ନେଇ ବିଶ୍ବବ୍ୟାପୀ ଚିନ୍ତା ପ୍ରକଟ କରାଯାଇଛି। ଆଜରବଇଜାନ ରାଷ୍ଟ୍ରପତି ଇଲହାମ ଆଲିୟେଭ ଆଜି ଦେଶବାସୀଙ୍କୁ ଏହି ସୂଚନା ଦେଇଛନ୍ତି। ଭୟଙ୍କର ବିମାନ ଦୁର୍ଘଟଣାର କାରଣକୁ ରୁଷ୍ ଲୁଚାଇବାକୁ ପ୍ରୟାସ କରିଥିଲା ବୋଲି ସେ ଅଭିଯୋଗ କରିଛନ୍ତି। ଏଥିସହିତ ଦୋଷ ସ୍ବୀକାର କରିବା ପାଇଁ ସେ ରୁଷ୍କୁ କହିଛନ୍ତି।
ଦୁର୍ଘଟଣାର ସତକୁ ଲୁଚାଇବାକୁ ରୁଷ୍ର କେତେକ ସ୍ତରରେ ଉଦ୍ୟମ କରାଯିବା ଏବଂ ଦୁର୍ଘଟଣା ସଂପର୍କରେ ମିଛ କାହାଣୀ କୁହାଯିବା ତାଙ୍କୁ ଦୁଃଖ ଦେଇଛି। ଘଟଣାକୁ ଚପାଇ ଦେବା ପାଇଁ ରୁଷ୍ ନୂଆ ତତ୍ତ୍ବ ସାମ୍ନାକୁ ଆଣିଥିବା ସ୍ପଷ୍ଟଭାବେ ଜଣାପଡ଼ିଛି ବୋଲି ସେ କହିଛନ୍ତି। ଉଲ୍ଲେଖଯୋଗ୍ୟ, ଆଜରବଇଜାନ ରାଷ୍ଟ୍ରପତି ଆଲିୟେଭଙ୍କୁ ଗତକାଲି ରୁଷ୍ ରାଷ୍ଟ୍ରପତି ବିମାନ ଦୁର୍ଘଟଣା ପାଇଁ କ୍ଷମା ମାଗିବା ପରେ ସେ ଆଜି ଏଭଳି ମନ୍ତବ୍ୟ ଦେଇଛନ୍ତି। ରୁଷ୍ ଆକ୍ରମଣରେ ଖସାଇ ଦିଆଯାଇଥିବା ବିମାନରେ ମୋଟ ୫୭ ଜଣ ଥିଲେ।