ନୂଆଦିଲ୍ଲୀ : ସଂସଦର ମୌସୁମୀ ଅଧିବେଶନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ବିବୃତି ଜାରି କରିଛନ୍ତି। ଏଥିରେ ସେ ସାଂସଦମାନଙ୍କୁ ସମ୍ବୋଧନ କରି ଲେଖିଛନ୍ତି ଯେ, ଏହି ଅଧିବେଶନ ପାଣିପାଗ ସହ ଯୋଡ଼ି ହୋଇଛି। ଏବେ ଦିଲ୍ଲୀରେ ମଧ୍ୟ ବର୍ଷା ଆରମ୍ଭ ହୋଇଯାଇଛି। ତଥାପି ବାହାରର ଗରମ କମିନାହିଁ ଏବଂ ଜଣା ନାହିଁ ଭିତରେ ଗରମ କମିବ କି ନାହିଁ। ଏହି ଅବଧି ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ। ଏହା ସ୍ୱାଧୀନତାର ଅମୃତ ମହୋତ୍ସବର ଅବଧି। ଅଗଷ୍ଟ ୧୫ର ବିଶେଷ ମହତ୍ତ୍ୱ ରହିଛି ଏବଂ ଆଗାମୀ ୨୫ ବର୍ଷ ନିମନ୍ତେ ଦେଶ ଯେତେବେଳେ ସ୍ୱାଧୀନତାର ଶତାବ୍ଦୀ ମହୋତ୍ସବ ପାଳନ କରିବ, ଆମର ୨୫ ବର୍ଷର ଯାତ୍ରା କିଭଳି ରହିଲା, ଆମେ କେତେ ଗତିରେ ଚାଲିଛୁ, କେତେ ନୂଆ ଉଚ୍ଚତାକୁ ପାର୍ କରିଛୁ, ତାହା ସାମ୍ନାକୁ ଆସିବ। ଏହି ସଂକଳ୍ପ ନେବାର ଏକ ଅବଧି ରହିଛି ଏବଂ ସେହି ସଂକଳ୍ପଗୁଡ଼ିକ ପ୍ରତି ସମର୍ପିତ ହୋଇ ଦେଶକୁ ଏକ ଦିଗ ଦେବା, ଗୃହ ଦେଶର ନେତୃତ୍ୱ ନେବା, ଗୃହର ସମସ୍ତ ମାନ୍ୟ ସଦସ୍ୟ ରାଷ୍ଟ୍ରରେ ନୂଆ ଶକ୍ତି ଭରିବା ଲାଗି ନିମିତ୍ତ ବନିବା। ସେହି ଦୃଷ୍ଟିରୁ ଏହି ଅଧିବେଶନ ମଧ୍ୟ ବହୁତ ମହତ୍ତ୍ୱପୂର୍ଣ୍ଣ।
ପ୍ରଧାନମନ୍ତ୍ରୀ କହିଛନ୍ତି, ଏହି ଅଧିବେଶନ ଏଥିପାଇଁ ମହତ୍ତ୍ୱପୂର୍ଣ୍ଣ, ଏହି ସମୟରେ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ପଦ ନିମନ୍ତେ ନିର୍ବାଚନ ହେଉଛି। ଆମେ ସର୍ବଦା ଗୃହକୁ ତୀର୍ଥକ୍ଷେତ୍ର ମାନିଥାଉ, ଯେଉଁଠି ଖୋଲା ମନରେ ଆଲୋଚନା ହେବ, ଆବଶ୍ୟକ ପଡ଼ିଲେ ବାଦବିବାଦ ହେବ, ବିତର୍କ ବି ହେବ, ଭଲ ଭାବେ ବିଶ୍ଳେଷଣ କରିହେବ। ଏହାଦ୍ୱାରା ନୀତି ନିର୍ଣ୍ଣୟରେ ବହୁତ ସକାରାତ୍ମକ ଯୋଗଦାନ ହୋଇପାରିବ। ସେ ସମସ୍ତ ଆଦରଣୀୟ ସାଂସଦଙ୍କଠାରୁ ଏହି ଆଶା କରିଥିଲେ ଯେ ଗଭୀର ଚିନ୍ତନ, ବ୍ୟାପକ ଚର୍ଚ୍ଚା, ଉତ୍ତମ ଆଲୋଚନା ମାଧ୍ୟମରେ ସେମାନେ ଗୃହକୁ ଅଧିକ ଫଳପ୍ରଦ ବନାଇବେ। ଏଥିପାଇଁ ସେ ସମସ୍ତଙ୍କ ସହଯୋଗ କାମନା କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/modi-eee.jpg)