ନୂଆଦିଲ୍ଲୀ: ଆଜି ସଂସଦରେ ବିଜେଡି ରାଜ୍ୟସଭା ସାଂସଦ ଡକ୍ଟର ଅମର ପଟ୍ଟନାୟକଙ୍କ ଓଡ଼ିଶାରେ ପ୍ରସ୍ତାବିତ ଦୀଘା-ଜଳେଶ୍ବର, ଝାରସୁଗୁଡ଼ା – ଅମ୍ବିକାପୁର, ବୁରାମରା-ଚକୁଳିଆ, ବରଗଡ଼-ନୂଆପଡ଼ା ଓ ଯାଜପୁର-ଧାମରା ଆଦି ନୂଆ ରେଳପଥର ଅଗ୍ରଗତି ସଂପର୍କୀତ ଏକ ପ୍ରଶ୍ନର ଉତ୍ତର ରଖିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ପୀୟୂଷ ଗୋଏଲ। କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ, ୨୦୧୦-୧୧ରେ ଅନୁମୋଦିତ ଦୀଘା-ଜଳେଶ୍ବର ରେଳପଥର ଆନୁମାନିକ ମୂଲ୍ୟ ୧୪୪୪ କୋଟି। ପଶ୍ଚିମବଙ୍ଗର ରାଜ୍ୟ ସରକାର ଏହି ପ୍ରକଳ୍ପ ଲାଗି ଜମି ଅଧିଗ୍ରହଣ କରିପାରି ନ ଥିବାରୁ ସେହି କାମ ଆଗେଇ ପାରିନାହିଁ।
ଝାରସୁଗୁଡ଼ା - ଅମ୍ବିକାପୁର ରେଳ ପଥ ନିର୍ମାଣ ଲାଗି ସର୍ଭେ ସରିଯାଇଛି। ସୁନ୍ଦରଗଡ଼ ଦେଇ ନିର୍ମିତ ହେବାକୁ ଥିବା ଏହି କାର୍ଯ୍ୟ ଶେଷ ହୋଇଛି। କିନ୍ତୁ ଏହି ପ୍ରକଳ୍ପ ଆର୍ଥିକ ଦୃଷ୍ଟିରୁ ଲାଭଦାୟକ ନୁହେଁ ବୋଲି ଜଣାଯାଇଛି। ଏଣେ ମୟୂରଭଞ୍ଜ ଜିଲ୍ଲାରେ ଆଂଶିକ ଭାବେ ଯାଉଥିବା ବୁରାମରା - ଚକୁଳିଆ ରେଳପଥ ଆର୍ଥିକ ଦୃଷ୍ଟିରୁ ଲାଭଜନକ ନୁହେଁ ବୋଲି ରେଳ ବିକାଶ ନିଗମ ଲିମିଟେଡ୍ ମତ ଦେଇଛି। ତେବେ ରାଜ୍ୟର ସମ୍ପ୍ରତି ସମ୍ମତିକୁ ଦୃଷ୍ଟିରେ ରଖି ଏବଂ ବିନାମୂଲ୍ୟରେ ଜମି ଯୋଗାଇବା ପାଇଁ ଓଡ଼ିଶା ସରକାର ରାଜି ହୋଇଥିବା କାରଣରୁ ଏହାର ସବିଶେଷ ଆକଳନ କରାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି।
ଅପରପକ୍ଷରେ ୨୦୧୮-୧୯ ଆର୍ଥିକ ବର୍ଷରେ ବରଗଡ଼-ନୂଆପଡ଼ା ରେଳପଥ (୧୪୨ କିଲୋମିଟର)ପାଇଁ ସର୍ଭେ କରାଯାଇଥିଲା। ଏହି ନୂତନ ଲାଇନ ପାଇଁ ଟ୍ରାଫିକ୍ ଅଧ୍ୟୟନ ଏବଂ ଆର୍ଥିକ ମୂଲ୍ୟାଙ୍କନ କରାଯାଇଥିଲା ଓଡ଼ିଶା ରାଜ୍ୟ ସରକାର ଏବଂ ରେଳ ମନ୍ତ୍ରଣାଳୟର ମିଳିତ ସଂସ୍ଥା ଓଡ଼ିଶା ରେଳ ଭିତ୍ତିଭୂମି ବିକାଶ ଲିମିଟେଡ୍ (ଓଆରଆଇଡିଏଲ) ଏହି ପ୍ରକଳ୍ପର ଯାଞ୍ଚ କରିବା ପରେ ଆର୍ଥିକ ଦୃଷ୍ଟିରୁ ଏହା ଅନୁପଯୁକ୍ତ ବୋଲି ଜଣାପଡ଼ିଥିଲା। ତେବେ ଏହି ପ୍ରକଳ୍ପକୁ କାର୍ଯ୍ୟକାରୀ କରିବାକୁ ଏବଂ ଆର୍ଥିକ କାର୍ଯ୍ୟକ୍ଷମତାକୁ ସୁଦୃଢ଼ କରିବା ପାଇଁ ଜମି ଯୋଗାଣ, ପୁନର୍ବାସ ଏବଂ ପୁନଃବିସ୍ଥାପନର ମୂଲ୍ୟ ବହନ କରିବାକୁ ଓଡ଼ିଶା ସରକାରଙ୍କୁ ଓଆରଆଇଡିଏଲକୁ ଅନୁରୋଧ କରାଯାଇଛି। କିନ୍ତୁ ଏହାର କୌଣସି ଉତ୍ତର ମିଳିନାହିଁ ବୋଲି ମନ୍ତ୍ରୀ କହିଛନ୍ତି।
ଯାଜପୁର-ଧାମରା ରେଳପଥ(୯୬ କିଲୋମିଟର) ପାଇଁ ସର୍ଭେ ଶେଷ ହୋଇଛି। ତେବେ ଧାମରା ବନ୍ଦରକୁ ଭଦ୍ରକଠାରୁ ଅନ୍ୟ ଏକ ରେଳପଥ ଥିବାରୁ ଯାଜପୁର-ଧାମରା ରେଳପଥର କୌଣସି ଆବଶ୍ୟକତା ନାହିଁ ବୋଲି କେନ୍ଦ୍ର ରେଳବାଇ ମନ୍ତ୍ରୀ ପୀୟୂଷ ଗୋଏଲ କହିଛନ୍ତି।