ନାଗରିକତା (ସଂଶୋଧନ) ଆଇନ ଲାଗୁ କରିବାକୁ ରାଜ୍ୟମାନେ ବାଧ୍ୟ : ଗୃହ ମନ୍ତ୍ରାଳୟ

ନୂଆଦିଲ୍ଲୀ : ନାଗରିକତା (ସଂଶୋଧନ) ଆଇନ ୨୦୧୯କୁ ନେଇ କେନ୍ଦ୍ର ସରକାର ଓ ରାଜ୍ୟମାନଙ୍କ ମଧ୍ୟରେ ମତଭେଦ ବଢିବାରେ ଲାଗିଛି । ଏହି ଆଇନକୁ ନିଜ ନିଜ ରାଜ୍ୟରେ ଲାଗୁ କରିବେ ନାହିଁ ବୋଲି ପ୍ରଥମେ ପଶ୍ଚିମବଙ୍ଗ ଓ ପରେ କେରଳ ଓ ପଞ୍ଜାବର ମୁଖ୍ୟମନ୍ତ୍ରୀମାନେ କହିବା ପରେ କେନ୍ଦ୍ର ଗୃହ ମନ୍ତ୍ରାଳୟ ତାହାର ଜବାବ ଦେଇଛି ।

କେନ୍ଦ୍ର ଗୃହମନ୍ତ୍ରାଳୟର ଜଣେ ବରିଷ୍ଠ ଅଧିକାରୀ ଗଣମାଧ୍ୟମକୁ କହିଛନ୍ତି ଯେ ନାଗରିକତା ପ୍ରସଙ୍ଗ କେନ୍ଦ୍ର ସରକାରଙ୍କ କ୍ଷମତା ପରିସରରେ ଆସୁଥିବାରୁ ରାଜ୍ୟ ସରକାରମାନେ ଏହି ନୂଆ ଆଇନକୁ ଲାଗୁ କରିବାକୁ ମନା କରିପାରିବେ ନାହିଁ ।

ସେ କହିଛନ୍ତି ଯେ ସମ୍ବିଧାନର ୭ମ ଅଧ୍ୟାୟରେ ୩ଟି ତାଲିକା ରହିଛି । ରାଜ୍ୟ ଓ ମିଳିତ ତାଲିକାରେ ଥିବା ବିଷୟଗୁଡ଼ିକ ଉପରେ ନିଷ୍ପତ୍ତି ନେବାରେ ରାଜ୍ୟ ସରକାରମାନଙ୍କ ଅଧିକାର ରହିଥିବାବେଳେ, କେନ୍ଦ୍ର ତାଲିକାରେ ଥିବା କୌଣସି ବିଷୟରେ ଯଦି ସଂସଦରେ ଏକ ଆଇନ ଗୃହୀତ ହୋଇଛି ତେବେ ରାଜ୍ୟ ସରକାରମାନେ ତାହାକୁ ଲାଗୁ କରିବାକୁ ବାଧ୍ୟ । କେନ୍ଦ୍ର ତାଲିକାରେ ପ୍ରତିରକ୍ଷା, ବୈଦେଶିକ ବ୍ୟାପାର, ରେଳସେବା,ନାଗରିକତା ଆଦି ମୋଟ ୯୭ଟି ବିଷୟ ରହିଛି ।

ନାଗରିକତା (ସଂଶୋଧନ) ବିଲ୍‌-୨୦୧୯ ଆଜି ରାଷ୍ଟ୍ରପତିଙ୍କ ମଂଜୁରୀ ପାଇବା ପରେ ଆଇନରେ ପରିଣତ ହୋଇଛି । ଏଥିରେ ଥିବା ବ୍ୟବସ୍ଥା ଅନୁସାରେ ପାକିସ୍ତାନ, ଆଫଗାନିସ୍ତାନ ଓ ବାଂଲାଦେଶରେ ଧର୍ମୀୟ ହିଂସାର ସମ୍ମୁଖୀନ ହୋଇ ୨୦୧୪ ଡିସେମ୍ବର ପୂର୍ବରୁ ଭାରତ ଆସିଥିବା ହିନ୍ଦୁ, ବୌଦ୍ଧ, ଶିଖ,ଖ୍ରୀଷ୍ଟିଆନ ଓ ପାର୍ସୀ ଆଦି ସଂପ୍ରଦାୟର ଶରଣାର୍ଥୀମାନଙ୍କୁ ଭାରତର ନାଗରିକତା ଦିଆଯିବ । ତେବେ ମୁସଲମାନ ମାନଙ୍କୁ ଏହି ଆଇନ୍‌ ମାଧ୍ୟମରେ ନାଗରିକତା ଦିଆଯିବ ନାହିଁ ।

ସମ୍ବନ୍ଧିତ ଖବର