ନୂଆଦିଲ୍ଲୀ: ନୂଆ ଭାରିଆଣ୍ଟ ଓମିକ୍ରନ ପାଇଁ ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଇବା ଆଶଙ୍କା ଥିବାରୁ କେନ୍ଦ୍ର ସରକାର ଆଜି ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକର ଏକ ସମୀକ୍ଷା ବୈଠକ କରିଛନ୍ତି। ବୈଠକରେ ଅକ୍ସିଜେନ୍, ଭେଣ୍ଟିଲେଟର, କନସେନଟ୍ରେଟର ଏବଂ ଅନ୍ୟାନ୍ୟ ଉପକରଣର ଉପଲବ୍ଧତା ସଂପର୍କରେ ଅନୁଧ୍ୟାନ କରାଯାଇଥିଲା। ପ୍ରତିଦିନ ଏସବୁର ଉପଲବ୍ଧତାକୁ ଅନୁଧ୍ୟାନ କରିବା ଏବଂ ସଂକ୍ରମଣ ସଂଖ୍ୟା ବଢ଼ିଲେ ତାହାକୁ କିଭଳି ମୁକାବିଲା କରାଯିବ ସେଥିପାଇଁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ରହିବାକୁ କେନ୍ଦ୍ର ପକ୍ଷରୁ କୁହାଯାଇଛି।
କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ ରାଜ୍ୟଗୁଡ଼ିକୁ କେତେକ ପରାମର୍ଶ ମଧ୍ୟ ଆଜିର ବୈଠକରେ ଦେଇଛନ୍ତି। ଜିଲ୍ଲାଗୁଡ଼ିକୁ ଯୋଗାଇ ଦିଆଯାଉଥିବା ଉପକରଣ ଡାକ୍ତରଖାନାରେ ତତ୍କାଳ ଲଗାଇବା ପାଇଁ କୁହାଯାଇଛି। ଅର୍ଥାତ୍ ଉପକରଣ ପହଞ୍ଚିବା ଏବଂ ତାହା ଲାଗିବା ମଧ୍ୟରେ ଅଯଥା କୌଣସି ସମୟ ନଷ୍ଟ ନହେବା ଆବଶ୍ୟକ। ପିଏସଏ ପ୍ଲାଣ୍ଟଗୁଡ଼ିକୁ କାର୍ଯ୍ୟକ୍ଷମ ଏବଂ ସ୍ଥାପନ ପାଇଁ ମକ୍ ଡ୍ରିଲ କରିବା ଲାଗି ରାଜ୍ୟଗୁଡ଼ିକୁ କୁହାଯାଇଛି। ସେଗୁଡ଼ିକ ଯେଭଳି ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ ରହେ ତାହାକୁ ନିଶ୍ଚିତ କରିବା ଲାଗି କୁହାଯାଇଛି। ଏହାହେଲେ ରୋଗୀ ବେଡ୍ ନିକଟରେ ଠିକ୍ ସମୟରେ ଆବଶ୍ୟକ ପରିମାଣର ଅକ୍ସିଜେନ୍ ପହଞ୍ଚି ପାରିବ। ଚଳିତମାସ ଶେଷ ସୁଦ୍ଧା ଏହି ଅଭ୍ୟାସ କାର୍ଯ୍ୟ ଶେଷ କରିବା ପାଇଁ ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। କରୋନା ମହାମାରୀକୁ ମୁକାବିଲା କରିବା ପାଇଁ ହେଲେ ନିରନ୍ତରଭାବେ ପର୍ଯ୍ୟାପ୍ତ ପରିମାଣର ମେଡିକାଲ ଅକ୍ସିଜେନ ଯୋଗାଣର ଆବଶ୍ୟକତା ସବୁଠୁ ଗୁରୁତ୍ବପୂର୍ଣ୍ଣ। ଏଥିପାଇଁ ଉପକରଣ ଏବଂ ବ୍ୟବସ୍ଥାକୁ ମଞ୍ଜୁରି ଦିଆଯାଇଥିଲେ ସୁଦ୍ଧା ଅନେକ ରାଜ୍ୟରେ ଏଗୁଡ଼ିକ ଜିଲ୍ଲାସ୍ତରରେ ଥିବା ଚିକିତ୍ସାଳୟଗୁଡ଼ିକୁ ପଠାଯାଇ ନାହିଁ। ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ (ଡିଆରଡିଓ), ଏଚଏଲଏଲ ଇନଫ୍ରା ଟେକ ସର୍ଭିସେସ ଲିମିଟେଡ, ସେଣ୍ଟ୍ରାଲ ମେଡିକାଲ ସର୍ଭିସେସ୍ ସୋସାଇଟି ସହିତ ବିଦ୍ୟୁତ ଏବଂ ସ୍ଥାନ ସଂପର୍କିତ ସମନ୍ବୟ କାର୍ଯ୍ୟକୁ ତ୍ବରାନ୍ବିତ କରିବା ପାଇଁ ରାଜ୍ୟର ନୋଡାଲ ଅଧିକାରୀମାନଙ୍କୁ ଅନୁରୋଧ କରାଯାଇଥିଲା। ବର୍ତ୍ତମାନ ସୁଦ୍ଧା ଦେଶରେ ବିଭିନ୍ନ ମାଧ୍ୟମରେ ୩୨୩୬ ପିଏସଏ ପ୍ଲାଣ୍ଟ ସ୍ଥାପନ ହୋଇଛି। ଏଗୁଡ଼ିକର ମୋଟ ଅକ୍ସିଜେନ କାର୍ଯ୍ୟକ୍ଷମ କ୍ଷମତା ୩୭୮୩ ଏମ୍ଟି ରହିଛି। ଅଧିକନ୍ତୁ ୧,୧୪,୦୦୦ ଅକ୍ସିଜେନ୍ କନସେନ୍ଟ୍ରେଟର ରାଜ୍ୟଗୁଡ଼ିକୁ ପ୍ରଦାନ କରାଯାଉଛି। ପିଏମ୍ କେୟାର୍ସ ମାଧ୍ୟମରେ ୧ ଲକ୍ଷ ଏବଂ ଏମର୍ଜେନ୍ସି କୋଭିଡ ରିଲିଫ ପ୍ୟାକେଜ-୨ ମାଧ୍ୟମରେ ୧୪୦୦୦ କନ୍ସେନ୍ଟ୍ରେଟର୍ ବ୍ୟବସ୍ଥା ହୋଇଛି।