ସାରାଦେଶରେ ମାଲ ପରିବହନକୁ ସୁଗମ କରିବାକୁ ପଦକ୍ଷେପ ନିଆଯାଉଛି : ଗୃହ ମନ୍ତ୍ରାଳୟ

ନୂଆଦିଲ୍ଲୀ : ଦେଶରେ ଆସନ୍ତା କାଲି ମଧ୍ୟରାତ୍ରୀରେ ୨୧ ଦିନିଆ ଲକଡାଉନ ଅବଧି ଶେଷ ହେଉଛି । ଏପର୍ଯ୍ୟନ୍ତ ଏହି ଲକଡାଉନ ଅବଧ#ବୃଦ୍ଧି ସଂପର୍କରେ କେନ୍ଦ୍ର ସରକାର ସରକାରୀଭାବେ କୌଣସି ଘୋଷଣା କରିନଥିବାବେଳେ ଆସନ୍ତା କାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏ ସଂପର୍କରେ ଘୋଷଣା କରିବାର ସମ୍ଭାବନା ରହିଛି ।

ମିଳିଥିବା ସୂଚନା ଅନୁସାରେ ସରକାର ଆଉ ଦୁଇ ସପ୍ତାହ ଲକଡାଉନ ଅବଧି ବଢାଇବାର ସମ୍ଭାବନା ଥିବାବେଳେ ଏହି ସମୟରେ କେତେକ ଜରୁରୀ କ୍ଷେତ୍ର, ଶିଳ୍ପ ସଂସ୍ଥା, ପରିବହନ ଆଦିକୁ ପର୍ଯ୍ୟାୟକ୍ରମେ ଖୋଲିବାକୁ ପଦକ୍ଷେପ ନେଇପାରନ୍ତି ।

ଆଜି କେନ୍ଦ୍ର ଗୃହ ମନ୍ତ୍ରାଳୟର ଯୁଗ୍ମ ସଚିବ ପୁଣ୍ୟ ସଲିଲା ଶ୍ରୀବାସ୍ତବ କହିଛନ୍ତି ଯେ ଦେଶରେ ଘୋଷିତ ଲକଡାଉନକୁ ପାଳନ କରିବାକୁ ରାଜ୍ୟ ସରକାରମାନେ ପଦକ୍ଷେପ ନେଉଛନ୍ତି । ରାଜ୍ୟ ରାଜ୍ୟ ମଧ୍ୟରେ ଓ ରାଜ୍ୟ ମଧ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀ ଓ ସାଧାରଣ ପରିବହନ ନେଇ କୌଣସି କଟକଣା ଜାରି କରାଯାଇନାହିଁ । ଅନ୍ତଃରାଜ୍ୟ ଟ୍ରକ ପରିବହନ ଜାରି ରହିଛି ବୋଲି ସେ କହିଛନ୍ତି । ଟ୍ରକ ଚାଳକ ଓ କ୍ଲିନର ଯେପରି ଘରୁ ଟ୍ରକ ପର୍ଯ୍ୟନ୍ତ ଯାଇପାରିବେ ସେଥିପ୍ରତି ପ୍ରଶାସନ ଦୃଷ୍ଟି ଦେବା ଆବଶ୍ୟକ । ଯେଉଁ ଶିଳ୍ପ ସଂସ୍ଥାଗୁଡ଼ିକୁ ଲକଡାଉନରୁ ଛାଡ଼ କରାଯାଇଛି ସେମାନଙ୍କ କର୍ମଚାରୀଙ୍କ ଗମନାଗମନରେ ଯେପରି ପ୍ରତିବନ୍ଧକ ନହୁଏ ତାହା ଦୃଷ୍ଟି ଦିଆଯାଉଛି । ଯେଉଁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ଯଥା ଅଟା, ଡାଲି, ଖାଇବା ତେଲ ଉତ୍ପାଦନରେ ନିୟୋଜିତ ଅଛନ୍ତି ସେମାନଙ୍କ କାର୍ଯ୍ୟରେ କୌଣସି ପ୍ରତିବନ୍ଧକ ସୃଷ୍ଟି ନକରିବାକୁ କେନ୍ଦ୍ର ସରକାର ଗାଇଡଲାଇନ ଜାରି କରିଛନ୍ତି । ସେହିପରି ରେଳ,ବନ୍ଦର, ଏୟାରପୋର୍ଟ, କଷ୍ଟମ୍ସ ଆଦି ବିଭାଗର ଅଧିକାରୀମାନଙ୍କୁ ପାସ ଦେବା ପାଇଁ ଅଧିକୃତ କରାଯାଇଛି ।

ସମ୍ବନ୍ଧିତ ଖବର